ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ ଓଲିଉଡର କେତେକ ସେଲିବ୍ରିଟି ନୂଆ ରୂପରେ ପରଦା ଉପରେ ନଜର ଆସିବେ, ଅବା ପରଦା ପଛରେ। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ…

ନିଜ ଭୂମିକାରେ ନିଜେ ଅନୁଭବ

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ପ୍ରଥମ ଥର ପାଇଁ ନିଜ ଭୂମିକାରେ ନିଜେ ନଜର ଆସିବେ। ଅନୁଭବ କେବଳ ଜଣେ ଅଭିନେତା ନୁହଁନ୍ତି, ବରଂ ସେ ଜଣେ ରାଜନେତା ବି। ସମସ୍ତଙ୍କୁ ଜଣା ଯେ ଅନୁଭବ ରାଜ୍ୟସଭା ସଦସ୍ୟ। ସେ ଏ ବର୍ଷ ଏଭଳି ସିନେମାରେ ସ୍ପେସିଆଲ୍ ଆପିଅରାନ୍ସରେ ନଜର ଆସିବେ, ଯେଉଁଥିରେ ଦର୍ଶକ ତାଙ୍କୁ ସାଂସଦ ଅନୁଭବ ମହାନ୍ତି ଭାବେ ଦେଖିବାକୁ ପାଇବେ।

ହଁ, ଏହି ଓଡ଼ିଆ ସିନେମାଟି ହେଲା ‘ନିମ୍‌କି’। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାଇଟଲ ରୋଲ୍‌ରେ ଦେଖିବାକୁ ମିଳିବ। ଏହି ଫିଲ୍ମର ଅନୁଭବ ଓ ବର୍ଷାଙ୍କର ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଅନୁଭବ ଏଭଳି ନୂଆ ରୂପରେ ପରଦାକୁ ଆସି କେତେ ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ପରଦା ପଛର ନାୟକ ଭୂମିକାରେ ପପୁ ପମ୍‌ପମ୍

ପପୁ ପମ୍‌ପମ୍‌ ଜଣେ ଲୋକପ୍ରିୟ ହାସ୍ୟାଭିନେତା। ହେଲେ ୨୦୧୯ରେ ଦର୍ଶକ ତାଙ୍କୁ ଏକ ନୂଆ ବିଶେଷଣ ସହିତ ଜାଣିବାକୁ ପାଇବେ। ସେ ଏଥର ପରଦା ପଛର ନାୟକ ଅର୍ଥାତ୍ ନିର୍ଦ୍ଦେଶକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି।

ହଁ, ପପୁ ପମ୍‌ପମ୍‌ ‘ଚିରକୁଟ୍’ ଟାଇଟଲରେ ନିର୍ମିତ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି, ଯାହା ୨୦୧୯ରେ ରିଲିଜ୍ ହେବ। ଖାଲି ନିର୍ଦ୍ଦେଶକ ଭାବେ ନୁହେଁ, ବରଂ ସେ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ଭୂମିକାରେ ବି ଅଛନ୍ତି। ଅର୍ଥାତ୍‌ ଉଣେଇଶିରେ ପପୁଙ୍କୁ ମିଳିବ ଦୁଇଟି ନୂଆ ରୂପ।

ଗାୟିକା ଅସୀମା ଏଥର ନାୟିକା ରୂପରେ

ଓଲିଉଡର ଜଣାଶୁଣା ଗାୟିକା ଅସୀମା ପଣ୍ଡା ତ ଗୀତ ଗାଇ ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଛନ୍ତି। ଷ୍ଟୁଡ଼ିଓ ଭର୍ସନରେ ବି ଅସୀମାଙ୍କର ଏକ୍ସପ୍ରେସନ୍ ଦର୍ଶକଙ୍କୁ ମତୁଆଲା କରିଥାଏ।

ହେଲେ ଆପଣ କ’ଣ ଜାଣନ୍ତି କି ୨୦୧୯ରେ ଦର୍ଶକ ବଡ଼ପରଦାରେ ଗାୟିକା ଅସୀମା ପଣ୍ଡାଙ୍କୁ ନାୟିକା ଭାବେ ଦେଖିବାକୁ ପାଇବେ। ହଁ ଏବେ ସେ ‘ମାଲ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’ ସିନେମାରେ ଅଭିନୟ କରୁଛନ୍ତି। ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅସୀମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏକ୍ସପ୍ରେସନ୍ କୁଇନ୍ ଅସୀମା ପଣ୍ଡାଙ୍କ ଅଭିନୟ ବି ଦର୍ଶକଙ୍କୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

ଶ୍ରୀତମ୍ ଆସିବେ ଆଣ୍ଟି ରୂପରେ

କେବଳ ନାୟକ, କେବେ ଖଳନାୟକ, କେବେ ସହ ନାୟକ ପୁଣି କେବେ ଚରିତ୍ର ଅଭିନେତା। ଏମିତି ବିଭିନ୍ନ ଭାବେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ଶ୍ରୀତମ୍ ଦାସ ଜଣେ ନିର୍ଦ୍ଦେଶକ ବି। ତେବେ ୨୦୧୯ରେ ଶ୍ରୀତମ୍ ଦାସଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ପାଇବେ।

ହଁ, ଶ୍ରୀତମ୍ ଦାସଙ୍କୁ ଦର୍ଶକ ଏକ ଫିଲ୍ମରେ ମହିଳା ରୂପରେ ଏ ବର୍ଷ ଦେଖିବାକୁ ପାଇବାର ସମ୍ଭାବନା ରହିଛି। ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି, ତାହାର ଟାଇଟଲ୍ ହେଲା ‘ଆଣ୍ଟି ନମସ୍କାର’। ନିରଞ୍ଜନ ବେହେରା ଏହାର ନିର୍ଦ୍ଦେଶକ। ଏଥିରେ ଶ୍ରୀତମଙ୍କୁ ଜଣେ ଆଣ୍ଟି ଭୂମିକା କାହିଁକି ନିଭାଇବାକୁ ପଡ଼ୁଛି, ତାହା କାହାଣୀର ସବୁଠାରୁ ମଜାଦାର ପ୍ରସଙ୍ଗ।

ଅର୍ଚ୍ଚିତା ଏଥର ଚାମ୍ପିଆନ୍

ଓଡ଼ିଆ ସିନେମାରେ ଜଣେ ନାୟିକାଙ୍କୁ କେବେ ବି ସମ୍ପୂର୍ଣ୍ଣ ଚମ୍ପିଆନ୍ ଭୂମିକାରେ ଦେଖିବାକୁ ପାଇନାହାନ୍ତି। ହେଲେ ପ୍ରଥମ ଥର ପାଇଁ ଏଭଳି ଚରିତ୍ରରେ ଏ ବର୍ଷ ନଜର ଆସିବେ ଓଲିଉଡର ଡ୍ୟାନ୍‌ସିଂ ହିରୋଇନ୍ ଅର୍ଚ୍ଚିତା। ହଁ ୨୦୧୯ରେ ଅର୍ଚ୍ଚିତାଙ୍କ ଅଭିନୀତ ‘ଚମ୍ପିଆନ୍’ ରିଲିଜ୍ ହେବ। ଏହି ଫିଲ୍ମରେ ଅର୍ଚ୍ଚିତାଙ୍କୁ ଚମ୍ପିଆନ୍‌ ରୂପରେ ନଜର ଆସିବେ। ଏହି ସିନେମାର ନିର୍ଦ୍ଦେଶକ କେ. ମୁରଲୀକ୍ରୀଷ୍ଣା।

Comment