ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଭିଭାବକମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେମାନେ ତାଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଚାହୁଁଛନ୍ତି। ଏମିତି ବି ସରକାରୀ ସ୍କୁଲରେ କେବଳ ଗରିବଶ୍ରେଣୀ ଲୋକଙ୍କ ପିଲା ପାଠ ପଢୁଥିବା କହିଲେ କିଛି ଭୁଲ୍ ହେବନି। ଏଭଳି ମାନସିକତା ପାଇଁ ପାଠପଢ଼ା ଏକ ବ୍ୟବସାୟ ପାଲଟିଗଲାଣି।

ଏବେ ଛୋଟ ଛୋଟ ପିଲାଙ୍କୁ ଘରୋଇ ପ୍ଲେ ସ୍କୁଲରେ ଆଡମିଶନ କରାଯାଉଛି। ପ୍ଲେ ସ୍କୁଲ ଏବେ ଅଙ୍ଗନବାଡ଼ିର ସ୍ଥାନ ନେଉଛି। ପିଲାଙ୍କୁ ପ୍ଲେ ସ୍କୁଲରେ ପଢ଼ାଇବା ଉଚ୍ଚବର୍ଗର ପିତାମାତାଙ୍କ ପାଇଁ ଏକ ଫ୍ୟାସନରେ ପରିଣତ ହୋଇଛି। କିନ୍ତୁ ଏହି ଟ୍ରେଣ୍ଡରେ ଏବେ ପରିବର୍ତ୍ତନ ଆଣିଛନ୍ତି ତାମିଲନାଡ଼ୁର ତିରୁନେଭେଲି ଜିଲ୍ଲାର ଜିଲ୍ଲାପାଳ ଶିଳ୍ପା ପ୍ରଭାକର ସତୀଶ। ଚେନ୍ନାଇରୁ ୬୦୦ କିଲୋମିଟର ଦୂରରେ ରହିଥିବା ଏହି ଜିଲ୍ଳାପଳ ଜଣଙ୍କ ନିଜ ଝଇୃକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ାଇବାକୁ ପଠାଇବା ନେଇ ଏବେ ଚର୍ଚ୍ଚାରେ।

୨୦୦୯ ବ୍ୟାଚ ଆଇଏଏସ୍ ଅଫିସର ଶିଳ୍ପା ପ୍ରଭାକର ସତୀଶ ଜିଲ୍ଲାର ପ୍ରଥମ ମହିଳା ଜିଳ୍ଲାପାଳ। ସେ ଏବେ ତାଙ୍କ ଘରେ ପାଖରେ ଥିବା ସ୍ୱୀକୃତି ପ୍ରାପ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ତାଙ୍କ ଝିଅକୁ ପାଠ ପଢ଼ାଇବା ପାଇଁ ପଠାଇ ସମସ୍ତଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି।

ଜିଲ୍ଲାପାଳ କହିଛନ୍ତି, “ସରକାର ଭଲ ଭାବେ ଅଙ୍ଗନବାଡ଼ିର ନିର୍ମାଣ କରୁଛନ୍ତି। ଏଥିରେ ଉଚ୍ଚବର୍ଗର ଶିକ୍ଷା ଦିଆଯିବା ସହ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖାଯାଉଛି। ଆମ ସହରର ଅଙ୍ଗନବାଡ଼ି ଆମଘରକୁ ଲାଗି ରହିଛି। ଫଳରେ ସେଠାରେ ମୋ ସନ୍ତାନ ଖୁବ ସୁବିଧାରେ ଏବଂ ସୁରକ୍ଷିତ ଭାବେ ରହୁଛି।”

“ମୁଁ ଚାହୁଁଥିଲି ମୋ ସନ୍ତାନ ସମାଜର ସମସ୍ତ ବର୍ଗର ଲୋକଙ୍କ ସହ ମିଶି ପାଠପଢ଼ୁ। ଏଣୁ ମୁଁ ଅଙ୍ଗନବାଡ଼ିରେ ପାଠପଢ଼ାଇବା ନେଇ ନିଷ୍ପତ୍ତି ନେଲି”, କହିଛନ୍ତି ଜିଲ୍ଲାପାଳ।

ତେବେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଜିଲ୍ଲାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ପିଲାଙ୍କୁ ଅଙ୍ଗନବାଡ଼ିରେ ପାଠ ପାଢ଼ାଇବା ପାଇଁ ଆଗ୍ରହ ବଢ଼ାଇଛି।

LEAVE A REPLY

Please enter your comment!
Please enter your name here