ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ଵର ଲୋୟର୍ ପିଏମଜିରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ
  • ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ୧୮ ହଜାର ଟଙ୍କା ଦରମା ଦାବି
  • ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ। ୯ ଦଫା ଦାବି ନେଇ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଭୁବନେଶ୍ଵରସ୍ଥିତ ଲୋୟର୍ ପିଏମଜି ଛକରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସରକାର ଦାବି ପୂରଣ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି।

ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହ ମାସିକ ୧୮ହଜାର ଟଙ୍କା ଦରମା ଦେବାକୁ ଦାବି କରାଯାଇଛି। ଅଙ୍ଗନବାଡ଼ି ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି।

ସେହିପରି ଅଙ୍ଗନବାଡ଼ି କର୍ମୀଙ୍କୁ ୫ ଲକ୍ଷ ଟଙ୍କାର ଅବସରକାଳୀନ ସହାୟତା ଓ ମାସିକ ୫ ହଜାର ଟଙ୍କା ପେନସନ ଦେବାକୁ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଅଙ୍ଗନବାଡି କର୍ମୀଙ୍କୁ ସବୁ ଗାଁ କଲ୍ୟାଣ ସମିତିରୁ ବାଦ୍ ଦିଆଯିବା ଏବଂ ସେମାନଙ୍କୁ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାସହ ସେମାନଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ମିଳୁ ବୋଲି ଦାବି ହୋଇଛି।

ଏହାପୂର୍ବରୁ ୨୦୨୨ ମସିହା ନଭେମ୍ବର ମାସରେ ଉପରୋକ୍ତ ଦାବିଗୁଡ଼ିକୁ ନେଇ ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାପରେ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ ସଂଘର ୮ ଜଣ ପ୍ରତିନିଧିଙ୍କ ସହ ଆଲୋଚନା କରି ଦାବିପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସରକାରଙ୍କ ପ୍ରତିଶ୍ରୁତି ପରେ ସେତେବେଳେ ଅଙ୍ଗନବାଡ଼ି କର୍ମୀମାନେ ୪୬ ଦିନର ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ହେଲେ ଏ ଯାଏଁ ଦାବିପୂରଣ ହୋଇନଥିବାରୁ ସେମାନେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Tags: #Anganwadiworkers #Protest #Anganwadi #Bhubaneswar #Odisha

 

Comment