ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ଡେବ୍ୟୁ କରିଛନ୍ତି ଭାରତୀୟ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ। ୨୪ ବର୍ଷୀୟ ସିରାଜ ଦିନିକିଆ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାରେ ୨୨୫ତମ କ୍ରିକେଟର ବନିଛନ୍ତି। ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ସ୍ଥାନରେ ଏଗାର ଜଣିଆ ଟିମରେ ସ୍ଥାନ ପାଇଥିଲେ ସିରାଜ।

ଏହା ପୂର୍ବରୁ ୨୦୧୭ ନଭେମ୍ବର ୪ରେ ନ୍ୟୁଜିଲାଣ୍ଡ ବିରୋଧରେ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ଡେବ୍ୟୁ କରିଥିଲେ। ଭଲ ବୋଲିଂ ପାଇଁ ଖୁବଶୀଘ୍ର ଲୋକପ୍ରିୟତା ହାସଲ କରିପାରିଛନ୍ତି ।

୭ ବର୍ଷ ବୟସରେ ମାତ୍ର ୫୦୦ ଟଙ୍କାରେ କ୍ରିକେଟ କ୍ୟାରିୟର

୧୯୯୪ ମାର୍ଚ୍ଚ ୧୩ରେ ମହମ୍ମଦ ସିରାଜଙ୍କ ଜନ୍ମ। ମାତ୍ର ୭ ବର୍ଷ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ସିରାଜ। ୪ ବର୍ଷ ପୂର୍ବେ ୨୦୧୫ରୁ ଲଗାତାର କ୍ରିକେଟ ଖେଳିବା ଜାରି ରଖିଛନ୍ତି। ଏକ କ୍ଲବ ମ୍ୟାଚରେ ୨୫ ଓଭର ବୋଲିଂ କରି ମାତ୍ର ୨୦ ରନ ଦେଇ ୯ଟି ୱିକେଟ୍ ହାସଲ କରିଥିଲେ। ମ୍ୟାଚରେ ଅଧିନାୟକ ଥିବା ତାଙ୍କ ମାମୁଁ ବିଜୟ ପାଇଁ ଉପହାର ସଦୃଶ ୫ଶହ ଟଙ୍କା ଦେଇଥିଲେ। କ୍ରିକେଟର ଭାବେ ଏହା ମୋର ପ୍ରଥମ ରୋଜଗାର ବୋଲି କହିଛନ୍ତି ସିରାଜ।

ଅଭାବୀ ପରିବାରରୁ ଷ୍ଟାର କ୍ରିକେଟର

ମହମ୍ମଦ ସିରାଜଙ୍କ ବାପା ମହମ୍ମଦ ଗ୍ୟାସ ଅଟୋ ଡ୍ରାଇଭର ଅଟନ୍ତି। ରୋଜଗାର ଅଧିକ ନଥିଲେ ମଧ୍ୟ ପୁଅର ଖେଳିବା ସ୍ୱପ୍ନକୁ କେବେ ବି ଭାଙ୍ଗିନଥିଲେ ମହମ୍ମଦ। ନାନା ଅସୁବିଧା ସତ୍ତ୍ୱେ ପୁଅ ପାଇଁ କ୍ରିକେଟ୍ କିଟ୍ ଯୋଗାଉଥିଲେ ସିରାଜଙ୍କ ବାପା।

ସିରାଜଙ୍କୁ ମିଳିଲା କ୍ରିକେଟର ପ୍ରକୃତ ପରିଚ

୨୦୧୬-୧୭ ବର୍ଷରେ ଖେଳାଯାଇଥିବା ରଣଜୀ ମ୍ୟାଚରେ ନିଜର ପରିଚୟ ସୃଷ୍ଟି କରିଥିଲେ ମହମ୍ମଦ ସିରାଜ। ଡାହାଣ ହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ୯ଟି ମ୍ୟାଚ୍ ଖେଳି ୪୧ ୱିକେଟ୍ ହାସଲ କରିଥିଲେ। ଯାହାକି ଟୁର୍ଣ୍ଣାମେଣ୍ଟର ତୃତୀୟ ସଫଳତମ ବୋଲର ହୋଇଥିଲେ।

ଆଇପିଏଲ କରିଥିଲା ମାଲାମାଲ

ରଣଜୀ ଟ୍ରଫିରେ ସାନଦାର ପ୍ରଦର୍ଶନ ପରେ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ ସିରାଜ। ଆଇପିଏଲର ୧୦ମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨.୬ କୋଟି ଟଙ୍କାରେ କିଣିଥିଲା। ସିରାଜ ୬ ମ୍ୟାଚ ଖେଳି ୧୦ଟି ୱିକେଟ୍ ନେଇଥିଲେ। ୨୦୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ସମାନ ମୂଲ୍ୟରେ କିଣିଥିଲା।

କୋହଲିଙ୍କ ସହ ରହିଛି ଖାସ୍ ସମ୍ପର୍କ

କ୍ୟାପଟେନ କୋହଲିଙ୍କ ସହ ମହମ୍ମଦ ସିରାଜଙ୍କ ରହିଛି ଖାସ୍ କନେକ୍ସନ୍। ଯେତେବେଳେ କୋହଲିଙ୍କ ନେତୃତ୍ୱରେ ଆରସିବି ପାଇଁ ସିରାଜ ଖେଳୁଥିଲେ ହାଇଦ୍ରାବାଦ ସ୍ଥିତ ନିଜ ଘରେ ବିରିୟାନୀ ପାର୍ଟି ରଖିଥିଲେ। ପାର୍ଟିରେ ପୂରା ଟିମକୁ ଆମନ୍ତ୍ରିତ କରିଥିଲେ। ବିରାଟ କୋହଲି ତାଙ୍କ ଘରେ ତଳେ ବସି ବିରିୟାନି ଖାଇଥିଲେ, ଯାହାର ଇମୋସନାଲ ପୋଷ୍ଟ ସୋସିଆଲ ମିଡଆରେ ସେୟାର କରିଥିଲେ ସିରାଜ।

Comment