ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ରାଜ୍ୟପାଳ ଗଣେଶୀ ଲାଲ୍ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

“ସାରା ବିଶ୍ଵରେ ଶ୍ରେଷ୍ଠତମ ସ୍ଥାନ ମୋ ଓଡ଼ିଶା, ଯାହାର ମାଟି ପାଣି ଓ ପବନରେ ଧର୍ମ ଓ ସଂସ୍କୃତିର ସ୍ପନ୍ଦନ ବାରି ହୁଏ”, କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇ ଭାବ ବିହ୍ଵଳ ଢଙ୍ଗରେ ଏପରି କହିଛନ୍ତି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଗଣେଶୀ ଲାଲ୍ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ବୁଧବାର ବିଭିନ୍ନ ଉତ୍ସବରେ ଯୋଗ ଦେଇଥିଲେ। ସେ ପ୍ରଥମେ ଡେରାବିଶ ବ୍ଲକର ବେଲାରପୁର ଭଗବତୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, କେନ୍ଦ୍ରାପଡ଼ା ବ୍ଲକର ବଗଡ଼ାଠାରେ ଥିବା ସିଦ୍ଧ ମରିଚାଣି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, କେନ୍ଦ୍ରାପଡା ପୌରାଞ୍ଚଳର ମାଭୈ ପୋଖରୀ ନିକଟରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଆଳି ବ୍ଲକର ବାଟିପଡ଼ା ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ରାଜକନିକା ଆର ଏନ୍ ହାଇସ୍କୁଲର ଶତବାର୍ଷିକ ସମାରୋହ ଓ ପଟ୍ଟାମୁଣ୍ଡାଇ ସହରର ଏମ୍‌ଏନ୍ ହାଇସ୍କୁଲର ପ୍ଲାଟିନମ ଜୁବଲି ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

“ସାରା ବିଶ୍ଵରେ ଓଡିଶାର ପବିତ୍ର ମାଟି ପାଣି ପବନର ପଟାନ୍ତର ନାହିଁ”, ରାଜ୍ୟପାଳ ଅଭିଭାଷଣରେ କହିଥିଲେ। ସେ ବଗଡ଼ା ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଦିବାକାର ଜେନା, ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ବିଶ୍ଵାଳ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଭଜକୃଷ୍ଣ ରାଉତଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କେନ୍ଦ୍ରାପଡ଼ା ସହରରେ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସଙ୍କୁ ସମ୍ମାନିତ କରିଥିଲେ।

କେନ୍ଦ୍ରାପଡ଼ା ସହରର ମାଭୈ ପୋଖରୀ ନିକଟରେ ଜିଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଆନୁକୂଲ୍ୟରେ ପ୍ରତିଷ୍ଠିତ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ରାଜ୍ୟପାଳ।

ପଟ୍ଟାମୁଣ୍ଡାଇ ଏମ୍ଏନ୍ ହାଇସ୍କୁଲର ପ୍ଲାଟିନମ ଜୁବଲି ଉତ୍ସବକୁ ରାଜ୍ୟପାଳ ଉଦ୍‌ଘାଟନ କରିଥିବାବେଳେ ଏହି ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ପ୍ରଜ୍ଞାନନ୍ଦଜୀ ମହାରାଜ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

Comment