ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଜେଲ ନାଁ ଶୁଣିଲେ ଲୋକେ ଭୟ କରିଥାନ୍ତି। କିନ୍ତୁ ଏଭଳି ଦେଶ ରହିଛି ଯେଉଁଠି ଜାଣିଶୁଣି ଜେଲ ଯିବାକୁ ଲୋକେ ପସନ୍ଦ କରୁଛନ୍ତି। ସୁରକ୍ଷା, ସ୍ୱାସ୍ଥ୍ୟସେବାର ଫାଇଦା ଉଠାଇବା ପାଇଁ ଲୋକେ ଘର ଛାଡ଼ି ଜେଲ ଯିବାକୁ ଚାହୁଁଛନ୍ତି। ଏଭଳି ଘଟଣା ଜାପାନରେ ଘଟୁଛି।

ଜାପାନର ମୋଟ ଜନସଂଖ୍ୟାର ୨୭.୩ ପ୍ରତିଶତ ଲୋକଙ୍କ ବୟସ ୬୫ ବର୍ଷ ଉପରେ ରହିଛି।  ଜାପାନରେ ଲୋକଙ୍କ ଆୟୁ ତୁଳନାରେ ଶିଶୁଜନ୍ମ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହି କାରଣରୁ ଜାପାନରେ ଜନସଂଖ୍ୟା ତୁଳନାରେ ବୃଦ୍ଧଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଆସନ୍ତା ୨୦୨୫ ମସିହା ସୁଦ୍ଧା ପ୍ରତି ତିନି ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୫ ବର୍ଷରୁ ଅଧିକ ହେବ।

ଏହି କାରଣରୁ ଜାପାନରେ ପେନସନ ବ୍ୟବସ୍ଥାରେ ଅଧିକ ପ୍ରଭାବ ପଡ଼ୁଛି। ପ୍ରତି ପାଞ୍ଚ ଜଣରେ ଜଣେ ନାଗରିକଙ୍କ ଆୟରେ ହ୍ରାସ ପାଉଥିବାରୁ ଦାରିଦ୍ର‌୍ୟ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ପ୍ରତି ୬ଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଜଣେ ବୃଦ୍ଧ ଏକୁଟିଆ ରହୁଥିବା ଜଣାପଡ଼ିଛି।

ଦେଶ କି ରାଜ୍ୟ ବାହାରେ କାମ କରିବା କାରଣରୁ ପିଲାମାନେ ବୟସ୍କ ବାପା ମା’ଙ୍କୁ ସମୟ ଦେଇପାରୁ ନଥିବା ଅଧିକ ମାମଲା ରହିଛିା ଏଭଳି କାରଣରୁ ଜାପାନରେ କିଛି ବୟସ୍କ ଲୋକେ ଛୋଟ ଛୋଟ ଅପରାଧରେ ସଂଶ୍ଳିଷ୍ଟ ହେବାରୁ ଜେଲ ଯାଉଛନ୍ତି। ଏଥିରୁ ଅଧିକ ଚୋରି ମାମଲା ରହିଛି। ମାରପିଟ୍ ଏବଂ ହତ୍ୟା ଭଳି ଅପରାଧ ବୟସ୍କଙ୍କ କ୍ଷେତ୍ରରେ ଦେଖାଯାଉଛି।

ଏଭଳି  ଘଟଣା ଘଟିବା ପଛରେ ମଧ୍ୟ କାରଣ ରହିଛି। ସୁରକ୍ଷା ସହିତ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁବିଧା ମାଗଣାରେ ମିଳୁଥିବାରୁ ଜେଲ ଯିବା ଏକ ପ୍ରକାର ସଉକ ପାଲଟିଯାଇଛି। ଜେଲର ରୁମ୍ ଅତ୍ୟାଧୁନିକ ହେବା ସହ ଗୋଟିଏ ଡେସ୍କ ଏବଂ ଚୌକି ରହିଛି।

ଖାଲି ସେତିକି ନୁହେଁ, ଶୋଇବା ପାଇଁ କାଠର ଖଟ ଏବଂ ଟିଭି ଦେଖିବା ଭଳି ବ୍ୟବସ୍ଥା ରହିଛି। ସେହିଭଳି ଜେଲରେ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ରହିଛି। ଜେଲରେ ରହୁଥିବା ତିନି ଜଣ କଏଦୀଙ୍କ ଭିତରେ ଜଣେ କି ଦୁଇ ଜଣ ରୋଗରେ ଆକ୍ରାନ୍ତ। ମାନସିକ, ହୃଦରୋଗ ଭଳି ଚିକିତ୍ସା ସୁବିଧା ଜେଲରେ ଉପଲବ୍ଧ।

ଏକୁଟିଆ ଘରେ ରହିବା ଅପେକ୍ଷା ଜେଲରେ ରହିବା ଅଧିକ ଭଲ ବୋଲି ବୟସ୍କମାନେ କହୁଛନ୍ତି। ଜାପାନରେ ଏଭଳି ସ୍ଥିତି ଦେଖିଲେ ଜେଲରେ ୧୯ ପ୍ରତିଶତ କଏଦୀ ରହିଛନ୍ତି ଯେଉଁମାନଙ୍କ ବୟସ ୬୫ବର୍ଷ ବୟସରୁ ଅଧିକ।

ରିପୋର୍ଟ ଅନୁସାରେ ଜଣେ କଏଦୀ ପିଛା ବର୍ଷକୁ ସରକାର ପାଖାପାଖି ୨୦ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରଛନ୍ତି। ଜାପାନରେ ପ୍ରତି ବର୍ଷ  ୬ ହଜାର ୪୦୦ କଏଦୀ ଜେଲରେ ଦିନ କାଟୁଛନ୍ତି। କଏଦୀଙ୍କ ପିଛା ସରକାର ୧ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

୨୦୧୫ରେ ସରକାର ଜେଲ ପାଇଁ ବଜେଟରେ ୧୫ ହଜାର କୋଟି ଟଙ୍କା ବ୍ୟୟ କରିଥିଲେ। ଲଗାତାର କଏଦୀ ସଂଖ୍ୟା ବଢ଼ୁଥିବାରୁ ସରକାର ୨୦୧୮ ମସିହାରେ ତିନୋଟି ନୂଆ ଜେଲ ନିର୍ମାଣ କରିଛନ୍ତି।

Comment