ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାମେଳିରୁ ଦୂରେଇ ରହି ବିଜେଡି ସମଦୂରତା କାର୍ଡ ଖେଳିଛି।

ମୋଦିଙ୍କ ବିରୋଧରେ କୋଲକାତାରେ ମହାମେଳି କରିଛନ୍ତି ବିରୋଧୀ। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ୨୩ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି।

ହେଲେ ଏହି ମହାମେଳିରେ ବିଜେଡି କିନ୍ତୁ ସାମିଲ ହୋଇନି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ବିଜେଡିର କୌଣସି ପ୍ରତିନିଧି ଏହି ମହାମେଳିକୁ ଯାଇ ନାହାନ୍ତି। ବିଜେଡିର ଏହି ଆଭିମୁଖ୍ୟକୁ କଂଗ୍ରେସ ସମାଲୋଚନା କରିଛି। ବିଜେପି ସହ ବିଜେଡିର ଭିତିରି ବୁଝାମଣା ରହିଥିବା କହିଛି କଂଗ୍ରେସ।

କେବଳ ବିଜେଡି ନୁହେଁ, ଏହି ମହାମେଳିରେ ଏଆ ଇଏଡିଏମ୍‌କେ, ଟିଆର୍‌ଏସ୍, ୱାଇଏସ୍‌ଆର୍ କଂଗ୍ରେସ ଏବଂ ବାମଦଳ ସାମିଲ ହୋଇ ନାହାନ୍ତି।

କାହିଁକି ସାମିଲ ହେଲାନି ବିଜେଡି?

‘ବିଜେଡି କୌଣସି ମହାମେଣ୍ଟରେ ସାମିଲ ହେବନି’ – ଗତ ଜାନୁଆରୀ ୯ ତାରିଖରେ ଏହା କହି ନବୀନ ପଟ୍ଟନାୟକ ସମଦୂରତା କାର୍ଡ ଖେଳିଥିଲେ। ନବୀନଙ୍କର ଏହି ସ୍ପଷ୍ଟୀକରଣ ପରେ ୟୁନାଇଟେଡ ଇଣ୍ଡିଆ ରାଲିରେ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ କରିନଥିଲେ ମମତା। ଏଣୁ ବିଜେଡି ମଧ୍ୟ ଏହି ମହାମେଳିଠାରୁ ଦୂରେଇ ରହିବାକୁ ଉଚିତ ମନେକରିଛି।

ବିଜେଡି ମହାମେଣ୍ଟଠାରୁ ଦୂରେଇ ରହିବା ପଛରେ ଅନେକ କାରଣ ରହିଥିବା ରାଜନୀତି ପଣ୍ଡିତମାନେ ପୂର୍ବାନୁମାନ କରୁଛନ୍ତି। ବିଜେପିକୁ ସହାୟତା ଦେବା ପାଇଁ ବିଜେଡିର ଏହା ଆଉ ଏକ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେଉ କି ସଂସଦରେ ବିଭିନ୍ନ ବିଲ୍ ଆଗତ ବେଳେ ବିଜେଡି କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ଆଭିମୁଖ୍ୟ ଦେଖାଇ ଆସିଛି।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିକଟରେ ୪ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ସେ ବି ନବୀନଙ୍କୁ ସିଧାସଳଖ ଆକ୍ରମଣ କରି ନାହାନ୍ତି। ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିଲେ ମୋଦି। ଏସବୁକୁ ଦୃଷ୍ଟିରେ ରଖି ବିଜେପି ଏବଂ ବିଜେଡି ଭିତରେ ଭିତିରି ସମ୍ପର୍କ ରହିଥିବା କଂଗ୍ରେସ ଅଭିଯୋଗ କରିଛି।

“ବିଜେଡି ସବୁବେଳେ ବିଜେପି ସାଙ୍ଗରେ ରହିଛି। ବିଜେପିର ଯେତେବେଳେ ସମର୍ଥନ ଦରକାର ହେଉଛି ସେତେବେଳେ ବିଜେଡି ସମର୍ଥନ ଯୋଗାଇ ଆସୁଛି। ଏଣୁ ମମତାଙ୍କ ରାଲିକୁ ଯାଇନି ବିଜେଡି”, କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ। ସେ କହିଛନ୍ତି, “ବିଜେଡି ସମଦୂରତା ରଖି ଆସୁଛି। ଆମେ କଂଗ୍ରେସ କିମ୍ବା ବିଜେପି ସହିତ ନାହୁଁ।”

Comment