ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳକ୍ରମେ ସମୟର ଗତିରେ ଓଡ଼ିଶା ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଲା। ବିରେନ ବାବୁଙ୍କ ଅନ୍ତିମ ଜୀବନ ବହୁ ଦଃଖ କଷ୍ଟକର ବିତୁଥିଲା। ଅଭାବ ଅନାଟନରେ ତାଙ୍କୁ ଜୀବନ କାଟିବାକୁ ପଡ଼ିଥିଲା। ବାରମ୍ବାର ନାନା ରୋଗରେ ପୀଡ଼ିତ ହୋଇ କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ଯେହେତୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ, ଓଡ଼ିଶା ସରକାର ତାଙ୍କ ଚିକିତ୍ସା ପାଇଁ ସବୁକିଛି କରୁଥାନ୍ତି। ୧୯୭୪ ମସିଆରେ ବିରେନ ବାବୁ ଏକ ସାଂଘାତିକ ରୋଗରେ ଆକ୍ରାନ୍ତ ହୋଇ କଟକର ଏସ୍‌ସିବି ମେଡିକାଲ କଲେଜରେ ଏକ ସ୍ପେଶାଲ କ୍ୟାବିନ୍‌ରେ ରହି ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ମୁଁ ସେତେବେଳେ ନନ୍ଦିନୀ ଦେବୀଙ୍କର ମନ୍ତ୍ରୀ ମଣ୍ଡଳରେ ଶିଳ୍ପ, ବାଣିଜ୍ୟ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଥିଲେ। ବିରେନ ବାବୁଙ୍କର ଚିକିତ୍ସା କଥା ଶୁଣି ଏସ୍‌ସିବି ମେଡିକାଲ କଲେଜରେ ପହଞ୍ଚିଲି।

କ୍ୟାବିନ୍‌ ମଧ୍ୟରେ ପ୍ରବେଶ କରି ଦେଖିଲି ବିରେନ ବାବୁ ଅତି ଅସହାୟ ଅବସ୍ଥାରେ ଶୋଇଥାନ୍ତି। କେବଳ ବେଡ ପାଖରେ ବସିଥାଏ କଟକର ଶଙ୍କର ବେହେରା। ମୋତେ ଦେଖି ହାତ ଉଠାଇଲେ। ମୁଁ ମୋ ଦୁଇ ହାତରେ ତାଙ୍କ ହାତକୁ ଧରିଲି। ଖଟ ତଳେ କେତୋଟି ଖଣ୍ଡିଆ ବିଡ଼ି ପଡ଼ିଥାଏ। ବିରେନ ବାବୁ ବେହେରାକୁ କହିଲେ ଦେ ମୋତେ ବିଡ଼ି ଖଣ୍ଡେ ଦେ। ବେହେରା ଖଟ ତଳୁ ଖଣ୍ଡେ ଖଣ୍ଡିଆ ବିଡ଼ି ଉଠାଇ ଦିଆସିଲିରେ ଖଣ୍ଡିଆ ବିଡ଼ି ଲଗାଇ ତାଙ୍କ ହାତକୁ ଦେଲେ। ସେ ଖଣ୍ଡିଆ ବିଡ଼ିକୁ ବିରେନ ବାବୁ ଟାଣି ଚାଲିଥାନ୍ତି। ଠିକ୍‌ ଏହି ସମୟରେ ତାଙ୍କ ସ୍ତ୍ରୀ ଈଶ୍ୱରାମ୍ମା ଦେବୀ ଆସି ପହଞ୍ଚିଲେ। ଈଶ୍ୱରାମ୍ମାଙ୍କୁ ଦେଖି ବିରେନ ବାବୁ ଅନ୍ୟପଟକୁ ମୁହଁ ମାଡ଼ି ଶୋଇଲେ।

ମୁଁ ବୁଝିପାରୁଥିଲି ଯେ ବିରେନ ବାବୁ ଈଶ୍ୱରାମ୍ମା ଦେବୀଙ୍କୁ ଦେଖିବାକୁ ଚାହାନ୍ତି ନାହିଁ। ଈଶ୍ୱରାମ୍ମା ଦେବୀ ଶଙ୍କର ବେହେରାଙ୍କୁ ଠାରରେ ପଚାରିଲେ କିଏ କ’ଣ ପଇସାପତ୍ର ଦେଇଛନ୍ତି ? ଶଙ୍କର ବେହେରା ମନା କରିଦେଲା। ମୁଁ ବୁଝି ପାରିଲି ବିରେନ ବାବୁଙ୍କର ଫଳମୂଳ ଖାଦ୍ୟ ଓ ଚିକିତ୍ସା ପାଇଁ ପଇସାପତ୍ର ଦରକାର ପଡ଼ୁଛି। ତେଣୁ ମୋ ମନିପର୍ସରୁ ହଜାର ଟଙ୍କା ବାହାର କରି ଆଖି ଦୁଇଟାରେ ତରାଟି କରି ଈଶ୍ୱରାମ୍ମା ଦେବୀଙ୍କ ଚାହୁଁଥିଲେ। କିଛି ସମୟ ପରେ ଈଶ୍ୱରାମ୍ମା ଦେବୀ ସେଠାରୁ ଚାଲିଗଲେ। ଚାଲିଗଲା ପରେ ମୋତେ ବିରେନ ବାବୁ କହିଲେ- “କାହ୍ନୁ! ଈଶ୍ୱରାମ୍ମା ଥିବା ବେଳେ କେବେ ପଇସା ଦବୁନି। ତା’ର ଅନୁପସ୍ଥିତିରେ ଯାହା କିଛି ମୋ ହାତକୁ ଦେବୁ।”

ସେହି ମେଡିକାଲ କ୍ୟାବିନ୍‌ରେ ବିରେନ ବାବୁ ଅସୁସ୍ଥ ହୋଇ ପଡ଼ିଲା ବେଳେ ମୁଁ ଅନତି ଦୂରରେ ନୀରବ ନିସ୍ତବ୍ଧ ଭାବରେ ଦାରୂଭୂ୍ତ ମୂରାରୀ ଭଳି ଛିଡ଼ା ହୋଇଥାଏ। ଅନେକ କଥା ମୋ ମନକୁ ଆସୁଥାଏ। ଯେଉଁ ବିରେନ ମିତ୍ରଙ୍କ ବିରୋଧରେ ବିରୋଧୀ ଦଳ ଦୁର୍ନୀତି ଅଭିଯୋଗ କରି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ବୋଲି ପ୍ରଚାର କରିଥିଲେ ଏବଂ ଯାହାଙ୍କ ବିରୋଧରେ ଦୁର୍ନୀତି ପାଇଁ କମିଶନ ବସିଥିଲା ସେହି ବିରେନ ମିତ୍ରଙ୍କୁ ମୁଁ ଅନ୍ତିମ ଅବସ୍ଥାରେ ଦେଖିଲି ଖଣ୍ଡେ ଖଣ୍ଡିଆ ବିଡ଼ିରେ ନିଆଁ ଧରି ଟାଣୁଛନ୍ତି। ବିଡ଼ି ଖଣ୍ଡେ କିଣିବା ପାଇଁ ପାଖରେ ପଇସା ନାହିଁ। ଘୋର ମନସ୍ତାପରେ ଏବଂ ଦୁଃଖରେ ମୋର ମୁଣ୍ଡ ଘୁରେଇ ଗଲା।

ପକେଟ୍‌ରେ ମନିପର୍ସରେ ଦେଖିଲି କେବଳ ଆଉ ପାଞ୍ଚଶହ ଟଙ୍କା ରହିଛି। ସେହି ପାଞ୍ଚଶହ ଟଙ୍କା ରହିଛି। ସେହି ପାଞ୍ଚଶହ ଠଙ୍କାକୁ ବିରେନ ବାବୁଙ୍କ ହାତକୁ ବଢ଼ାଇ ଦେଲି। ବିରେନ ବାବୁ ସେ ପାଞ୍ଚଶହ ଟଙ୍କାକୁ ବେହେରା ହାତକୁ ବଢ଼ାଇ ଦେଇ କହିଲେ ଯଦି ଏ ପଇସାକୁ ମୁଁ ତକିଆ ତଳେ ରଖିବି ଈଶ୍ୱରାମ୍ମା ଆସି ନେଇଯିବ। ମୋର ଆଜି ପରିଣତ ବୟସ। ଯେତେବେଳେ ଯୁବକ ଥିଲି ବିରେନ ମିତ୍ରଙ୍କୁ ଦେଖିଛି। ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ତାଙ୍କୁ ମୁଁ ଦେଖିଛି। କେତେ ଦୁଃଖୀରଙ୍କି ଲୋକଙ୍କୁ ସେ ଅର୍ଥ ସାହାର୍ଯ୍ୟ କରିଛନ୍ତି। ମୁଁ ନିଜେ ଆଖିରେ ଦେଖିଛି; କିନ୍ତୁ ଆଜି ବିରେନ ବାବୁଙ୍କ କଥା ମନେ ପଡ଼ିଲେ ମନରେ କେତେ ଗର୍ବ ଓ ଅହଙ୍କାର ଆପେ ଆପେ ମିଳାଇ ଯାଏ।

ସୌଜନ୍ୟ: କାହ୍ନୁ ଚରଣ ଲେଙ୍କାଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’

Comment