ନରେନ୍ଦ୍ର କୁମାର ମିଶ୍ର

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜରେ ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୃତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢ଼ି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

ବିଶ୍ୱାସ କରିପାରିଲିନି ଗଣେଶ୍ୱର ବାବୁ, ଏତେ ଶୀଘ୍ର ଚାଲିଯିବେ ବୋଲି। ଟେଲିଭିଜନ୍ ବୋତାମ ଟିପି ଦେଖିଲି ବିଶିଷ୍ଟ ଶିକ୍ଷାବିତ୍‌, ସୁସାହିତ୍ୟିକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ପ୍ରଫେସର ଗଣେଶ୍ୱର ମିଶ୍ର ଇହଧାମ ତ୍ୟାଗ କରିଛନ୍ତି। ସେଥିଲେ ଓଡ଼ିଶାମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ। ଲାଗିଲା ଓଡ଼ିଶାର ସାହିତ୍ୟ ଆକାଶରୁ ଗୋଟିଏ ଉଜ୍ୱଳ ତାରକା ଖସି ପଡ଼ିଲା। ମୁଁ ଜଣେ ହିତାକାଂକ୍ଷୀ ବନ୍ଧୁଙ୍କୁ ହରାଇଲି, ଯାହାଙ୍କ ବିୟୋଗାନ୍ତ ପୀଡ଼ା ମୁଁ ମର୍ମେ ମର୍ମେ ଅନୁଭବ କରୁଛି।

ଆଜିକୁ ପ୍ରାୟ ୫୩ ବର୍ଷ ତଳେ, ୧୯୬୨ ମସିହାରେ ଆମର ପ୍ରଥମ ଦେଖାହୁଏ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ପରିସରରେ। ସେଥିଲେ ପୁରୀ ସାମନ୍ତଚନ୍ଦ୍ରଶେଖର ମହାବିଦ୍ୟାଳୟର ସ୍ନାତକ  ଛାତ୍ର ଏବଂ ମୁଁ ସମ୍ବଲପୁର ଗଙ୍ଗାକ୍ଷର ମେହେର ମହାବିଦ୍ୟାଳୟର ଛାତ୍ର। ଆମେ ଦୁହେଁ, ବିଶ୍ୱବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ପାଇଁ ଉଭୟ କଲେଜରୁ ପ୍ରତିନିଧିତ୍ୱ କରୁଥିଲୁ। ସେତେବେଳେ, ଓଡ଼ିଶାରେ ଏହି ଗୋଟିଏ ମୁଖ୍ୟ ବିଶ୍ୱବିଦ୍ୟାଳୟ ଥିଲା। ସମ୍ବଲପୁର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଞ୍ଚବର୍ଷ ପରେ ଜାନୁଆରୀ, ୧୯୬୭ ମସିହାରେ ପ୍ରତିଷ୍ଠିତ ହେଲା।

ଗଣେଶ୍ୱରବାବୁ ଜଣେ ଶାନ୍ତ ଓ ସରଳ, ମିଷ୍ଟଭାଷୀ, ପତଳା, ଗୋରା ଏବଂ ଭଲ ଉଚ୍ଚତା ଥିବା ଯୁବକ, ଯାହାଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ୱ ମୋତେ ପ୍ରଥମରୁ ମୁଗ୍ଧ କରିଥିଲା। ସେହି ସାକ୍ଷାତରୁ ହିଁ ଆମେ ଦୁହେଁ ବନ୍ଧୁତ୍ୱର ଡୋରୀରେ ବନ୍ଧା ହୋଇ ରହିଗଲୁ। ପ୍ରାୟ ନିୟମିତ ପୋଷ୍ଟକାର୍ଡ ମାଧ୍ୟମରେ ଆମର ଭାବର ଆଦାନ ପ୍ରଦାନ ଚାଲିଥିଲା। ଇଂରାଜୀରେ ଏମ.ଏ. ପଢ଼ିବା ପାଇଁ ସେ ଗଲେ କଟକର ରେଭେନ୍ସା କଲେଜକୁ ଏବଂ ମୁଁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ଆସିଲି ବାଣୀବିହାର, ଭୁବନେଶ୍ୱରକୁ। ବିଭିନ୍ନ ସମୟରେ ଆମର ଦେଖା ସାକ୍ଷାତ ହେଉଥିଲା।

ମୋ ଭଳି, ତାଙ୍କର ଜନ୍ମ ୧୯୪୨ ମସିହାରେ। ପିଲାଦିନୁ ତାଙ୍କର ମାତୃବିୟୋଗ ଘଟିଥିଲା ଏବଂ ୧୯୫୦ ମସିହାରୁ ମୋର ପିତୃ ବିୟୋଗ ଘଟିଥିଲା। ସ୍ନାତକୋତ୍ତର ଶିକ୍ଷାପରେ ଗଣେଶ୍ୱର ବାବୁ ହେଲେ ଜଣେ ଅଧ୍ୟାପକ ଏବଂ ମୁଁ ଓଡ଼ିଶା ପ୍ରଶାସନିକ ସେବାରେ ଡେପୁଟି କଲେକ୍ଟର ଓ ମାଜିଷ୍ଟ୍ରେଟ୍ ଭାବରେ ଯୋଗ ଦେଲି।

ସଂଯୋଗ ବଶତଃ, ଏକାଦିନ ୨୪ ଜୁନ୍‌ ୧୯୬୭ରେ ଆମର ବିବାହ ହୋଇଥିଲା। ଗଣେଶ୍ୱର ବାବୁଙ୍କ ସହଧର୍ମିଣୀ ଶ୍ରୀମତୀ ସୁରଙ୍ଗିଣୀ ମିଶ୍ର ଅର୍ଥନୀତିର ଜଣେ ଅଧ୍ୟାପିକା ଏବଂ ମୋ ସ୍ତ୍ରୀ ଡଃ କନକ ମଞ୍ଜରୀ ମିଶ୍ର ମଧ୍ୟ ସେହି ବିଭାଗର ଜଣେ ଅଧ୍ୟାପିକା। ଉଭୟେ ବନ୍ଧୁ ଏବଂ ଏକତ୍ର ରମାଦେବୀ ଏବଂ ବି.ଜେ.ବି. କଲେଜରେ କାମ କରିଛନ୍ତି।

୭୦ ଦଶକରେ ପ୍ରାୟ ପାଖାପାଖି ଗଣେଶ୍ୱର ଗଲେ ଇଂଲଣ୍ଡର କେଣ୍ଟ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ଏବଂ ମୁଁ ନେଦରଲାଣ୍ଡସ୍‌ର ରାଜଧାନୀ ହେଗ୍‌ଠାରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍ ଷ୍ଟଡିଜ୍‌ରେ ‘ଲୋକ ପ୍ରଶାସନ’ରେ ଉଚ୍ଚତର ଶିକ୍ଷା ପାଇଁ ଯାଇଥିଲି। ନିକଟରେ ଶ୍ରୀମତୀ ସୁରଙ୍ଗିଣୀଙ୍କ ଲିଖିତ ‘ନିଜକଥା’ ବହି ପଢ଼ିବାର ସୁଯୋଗ ପାଇଲି। ସେଥିରେ ସେ କନକମଞ୍ଜରୀଙ୍କ ନାମ ତିନି ଚାରି ଥର ଅବତାରଣା କରିଛନ୍ତି। ଆମ ଦୁଇଜଣଙ୍କ ବିଷୟରେ ଲେଖିଛନ୍ତି। “କନକ ମଞ୍ଜରୀ ମିଶ୍ର, କ୍ଷୀରୋଦ୍‌ ମହାପାତ୍ର ମୋର ସହକର୍ମୀ ଥିଲେ। କନକ ତ ମୋର ପୁରୁଣା ପାରିବାରିକ ବନ୍ଧୁ, ମୋର ସମସାମୟିକ। କନକର ସ୍ବାମୀ ନରେନ୍ଦ୍ର କୁମାର ମିଶ୍ର ଛାତ୍ର ଜୀବନରୁ ଗଣେଶ୍ୱର ବାବୁଙ୍କ ବନ୍ଧୁଥିଲେ, ବହୁବାର ଆମ ଘରକୁ ଆସିଛନ୍ତି। ସେ ଆଇ.ଏ.ଏସ୍. ପଦବୀରୁ ଅବସର ନେବା ପରେ ରାଜନୀତିରେ ଯୋଗଦାନ କରିଛନ୍ତି।”ଗଣେଶ୍ୱର ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ, ନିରାଡମ୍ବର ଅହଂଶୂନ୍ୟ, ବନ୍ଧୁବତ୍ସଳ ବ୍ୟକ୍ତି। ମୋର ଜଣେ ପରମ ହିତାକାଂକ୍ଷୀ ବନ୍ଧୁ। ଦେଖିବାକୁ ଗମ୍ଭୀର ପ୍ରକୃତିର ହେଲେ ମଧ୍ୟ ତାଙ୍କ ହୃଦୟଥିଲା ଆନ୍ତରିକତାର ଅନ୍ତଃସଲିଳା ଫଲ୍‌ଗୁ। ମୋର ଶେଷ ଜୀବନ ପର୍ଯ୍ୟନ୍ତ ସେ ଅଭୁଲା ବନ୍ଧୁ ହୋଇ ରହିଥିବେ। ତାଙ୍କର ଅମରଆତ୍ମା ସ୍ବର୍ଗରେ ଶାନ୍ତିରେ ରହୁ, ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment