ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶା ଦଖଲ କରି ସାରିବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ଆଡ଼କୁ ମୁହାଇଁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ‘ଲୁକ ୱେଷ୍ଟ’ ବା ପଶ୍ଚିମକୁ ଦେଖ ନୀତି ଆପଣେଇଥିବା ଲକ୍ଷ୍ୟ କରାଯାଉଛି। ପଶ୍ଚିମ ଓଡ଼ିଶାରେ ବିଜେଡିରସ୍ଥିତି ଦୁର୍ବଳ ଥିବା କାରଣରୁ ସେ ସେହି ଅଞ୍ଚଳ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଲୁକ ଇଷ୍ଟ’ ନୀତି ଗ୍ରହଣ କରିଥିବା ବେଳେ ନବୀନଙ୍କ ‘ଲୁକ ୱେଷ୍ଟ’ ରଣନୀତିର ଉଦ୍ଦେଶ୍ୟ ହେଉଛି ସମଗ୍ର ଓଡ଼ିଶାକୁ କବଳିତ କରିବା।

ଅନେକ ବର୍ଷ ଧରି ପଶ୍ଚିମ ଓଡ଼ିଶା ରାଜିନୀତିରେ ବିଜେପିର ଦବଦବା ରହିଆସିଛି। ପଶ୍ଚିମ ଓଡ଼ିଶାର ଲୋକେ ଅଣ ବିଜେଡି ରାଜନୀତି ସହିତ ଅଧିକ ସମୟ କାଟୁଥିବାରୁ ବିଜେପିର ନେତାଙ୍କୁ  ମଧ୍ୟ ଏଠାକାର ରାଜନୀତି ସହଜ ଲାଗୁଥିବା ଦେଖାଯାଉଛି। ତା’ ଛଡ଼ା ପଶ୍ଚିମ ଓଡ଼ିଶାରେ ହିନ୍ଦୀ ଭାଷୀ ଓ ବିଶେଷ କରି ମାରୁୱାଡ଼ିଙ୍କ ପ୍ରାବଲ୍ୟ ଦୃଷ୍ଟିରୁ ବିଜେପି ସେଠି ପ୍ରାୟ ଭଲ କରି ଆସିଛି। ୧୯୮୦ ମସିହାରେ ବଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ତାଙ୍କର ପ୍ରଥମ ରାଜନୈତିକ ସଭା ବଲାଙ୍ଗିରରେ କରିଥିଲେ।

ବିଜେପି ପାଇଁ ପଶ୍ଚିମ ଓଡ଼ିଶା ଏଥିପାଇଁ  ଗୁରୁତ୍ୱପୂର୍ଣ୍ଣ ଯେ ୨୦୦୯ରେ ମିଳିତ ସରକାର ଥିବା ବେଳେ ଅଧିକାଂଶ ଲୋକସଭା ଓ ବିଧାନସଭା ଆସନ ପଶ୍ଚିମ ଓଡ଼ିଶାରୁ ହିଁ ଆସିଥିଲା। ବିଜେଡି ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରୁ ପ୍ରାର୍ଥୀ ଦେଇଥିବା ବେଳେ ବିଜେପିକୁ ପଶ୍ଚିମ ଓଡ଼ିଶା ଛାଡ଼ି ଦିଆଯାଇଥିଲା। ଏପରିକି ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବି ବିଜେପି ସଂଖ୍ୟାଧିକ ଆସନ ପଶ୍ଚିମ ଓଡ଼ିଶାରୁ ହିଁ ପାଇଥିଲା। ଏପରିକି ଶେଷ ହେବାକୁ ଯାଉଥିବା ବିଧାନସଭାରେ ବିଜେପିର ଯେଉଁ ୧୦ ଜଣ ବିଧାୟକ ଅଛନ୍ତି ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର। ଏବେ ବିଜେପି ହାତରେ ଯେଉଁ ବିଧାନସଭା ଆସନ ରହିଛି ସେଗୁଡ଼ିକ ହେଲା ରାଉରକେଲା, ବ୍ରଜରାଜନଗର, ନୂଆପଡ଼ା, ଖଡ଼ିଆଳ, ପଦ୍ମପୁର, କୁଚିଣ୍ଡା, ପାଟଣାଗଡ଼ ଓ ଦେବଗଡ଼। ବିଜେପିର ଅନ୍ୟ ଦୁଇ ଜଣ ବିଧାୟକ ବିଭୂତି ହରିଚନ୍ଦନ ଓ ଗୋବିନ୍ଦ ଦାସ ଯଥାକ୍ରମେ ଚିଲିକା ଓ ରେମୁଣା ଆସନରୁ ନିର୍ବାଚିତ ହୋଇଥିଲେ।

ପଶ୍ଚିମ ଓଡ଼ିଶାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ନବୀନ ନିକଟରେ ଏବେ ଝାରସୁଗୁଡ଼ା ବିଧାୟକ ଓ କଂଗ୍ରେସର ଷ୍ଟ୍ରଙ୍ଗମ୍ୟାନ ନବ ଦାସଙ୍କୁ ଦଳରେ ସାମିଲ କରିଛନ୍ତି। ସେହିଭଳି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ବି ଖୁବ୍ ଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ବିଜେପିର କୌଣସି ବିଧାୟକଙ୍କୁ ଆଣିବା ସମ୍ଭବ ନୁହେଁ ଜାଣି ନବୀନ କଂଗ୍ରେସ ବିଧାୟକମାନଙ୍କୁ ଟାର୍ଗେଟ କରିଥିଲେ। ଏଣେ ଓଡ଼ିଶା ବିଜେପିର ଅନୁମାନ ହେଉଛି ଆଗାମୀ ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳର ସମସ୍ତ ୪୦ଟି ଆସନ ଦାଖଲ କରିବ। ଅମିତ ଶାହଙ୍କ ୧୨୦ ମିଶନର ଲକ୍ଷ୍ୟ ପଶ୍ଚିମ ଓଡ଼ିଶା ଉପରେ ଭରସା ରଖି ହିଁ କରାଯାଇଛି।

ଇତି ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ତାଙ୍କର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ସେ ବିଗତ କିଛି ଦିନଭିତରେ ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦ୍‌ଘାଟନ ବ୍ୟତୀତ ସ୍ୱତନ୍ତ୍ର ପ୍ୟାକେଜ ବି ଘୋଷଣା କରିଛନ୍ତି। ଆଉ କିଛି ଦିନ ପରେ ନବୀନ ବରଗଡ଼ଠାରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେବେ। ଏଥିପାଇଁ ପ୍ରସ୍ତୁତି ଚାଲିଛି।

ପଶ୍ଚିମ ଓଡ଼ିଶାରେ ବିଜେପି ବ୍ୟତୀତ କଂଗ୍ରେସର ମଧ୍ୟ ଭୋଟବ୍ୟାଙ୍କ ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ କଂଗ୍ରେସର ରାଜନୈତିକସ୍ଥିତି ଭଲ। ଖାଲି ସେତିକି ନୁହେଁ, ପଡ଼ୋଶୀ ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ କଂଗ୍ରେସ ନେତାମାନଙ୍କୁ ଆଣି ପଶ୍ଚିମ ଓଡ଼ିଶାର ଭୋଟକୁ ବଜାୟ ରଖିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟନାୟକ ଉଦ୍ୟମ ଆରମ୍ଭ କରିଛନ୍ତି।

ଏହିଭଳି ଦେଖିବାକୁ ଗଲେ, ରାଜ୍ୟର ତିନି କୋଣ ପୂର୍ବ-ଦକ୍ଷିଣ-ଉତ୍ତରକୁ କବ୍ଜା କରିନେବା ପରେ ପଶ୍ଚିମ ଓଡ଼ିଶା ଉପରେ ଏବେ ନବୀନଙ୍କ ନଜର। ବିଜେପୁର ଉପନିର୍ବାଚନରେ ରିତା ସାହୁଙ୍କୁ ଜିତାଇବା ପରେ କଂଗ୍ରେସର ପ୍ରଭାବଶାଳୀ ନେତା ପ୍ରଣୟ ସାହୁଙ୍କୁ ମଧ୍ୟ ନିକଟରେ ବିଜେଡିରେ ନିଆ ସରିଛି।

ଗୋଟିଏ ପଟେ ଶାସକ ବିଜେଡି ପଶ୍ଚିମ ଓଡ଼ିଶାରେ ତାର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଓ କଂଗ୍ରେସ ଦଳ ପଡ଼ୋଶୀ ରାଜ୍ୟର ସହାୟତାରେ ତାର ଭୋଟକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଥିବା ବେଳେ  ବିଜେପି ତାର ଦୁର୍ଗ ରକ୍ଷା କରିବା ପାଇଁ କିପ୍ରକାର ରଣକୌଶଳ ଗ୍ରହଣ କରୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment