ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟାକାଳୟ ଟ୍ରେଜେରୀରୁ ୨୦୧୨ରେ ଡକାୟତି ଦଳ କର୍ମଚାରୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲେ। ଡକାୟତି ଦଳଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ଡକାୟତି ଦଳରେ ସମ୍ପୃକ୍ତ ଥିଲେ ଜଣେ ମହିଳା। ସେହି ମହିଳାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅଞ୍ଚଳରେ।

ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ମାନେ ଗୁନା ଜେଲ ହାଜତରେ ୬ ମାସ ରହିବା ପରେ ଜାମିନରେ ଖଲାସ ହୋଇଥିଲେ। ଏହି ଗ୍ୟାଙ୍ଗରେ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ତନ୍ତିଆପାଳ ଥାନା ସାନରାହମା ଗାଁର କଳ୍ପନା ଜେନା ନାମକ ଜଣେ ବିଧବା ମହିଳା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

କଳ୍ପନା ମଧ୍ୟପ୍ରଦେଶର ଗୁନାଠାରେ ଏକ ଭଡା ଘରେ ରହୁଥିଲେ। ମଧ୍ୟପ୍ରଦେଶ କୋର୍ଟରେ ମାମଲା ଚାଲୁଥିବା ବେଳେ କଳ୍ପନା ଜାମିନରେ ଆସି ଆଉ କୋର୍ଟରେ ହାଜର ହେଉନଥିଲେ। ପରେ କଳ୍ପନା ମଧ୍ୟପ୍ରଦେଶ ଛାଡି ଦିଲ୍ଲୀ ପଳାଇ ଯାଇଥିଲେ। ଗତ ବୁଧବାର କଳ୍ପନା ଦିଲ୍ଲୀରୁ ନିଜ ଗାଁ ସାନରାହମା ଆସିଥିଲେ।

କଳ୍ପନାଙ୍କୁ କୋର୍ଟରେ ହାଜର ହେବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ୱାରେଣ୍ଟ ଜାରି କରିଥିଲେ ମଧ୍ୟ କଳ୍ପନା କୋର୍ଟରେ ହାଜର ହେଉନଥିଲେ। କଳ୍ପନାଙ୍କ ପିଛା କରି ମଧ୍ୟପ୍ରଦେଶ ପୋଲିସ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛି। କେନ୍ଦ୍ରାପଡା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତନ୍ତିଆପାଳ ଥାନା ପୋଲିସ ସାନରାହାମା ଗାଁରୁ କଳ୍ପନାଙ୍କୁ ଉଠାଇ ଆଣିଛି।

ହେଲେ ମଧ୍ୟପ୍ରଦେଶ ପୋଲିସକୁ କଳ୍ପନାଙ୍କୁ ହସ୍ତାନ୍ତର କରିପାରିନି। ମଧ୍ୟପ୍ରଦେଶ ପୋଲିସ ପାଖରେ ୱାରେଣ୍ଟ କାଗଜପତ୍ର ନଥିବାରୁ ତନ୍ତିଆପାଳ ପୋଲିସ କଳ୍ପନାଙ୍କୁ ଏକ ଷ୍ଟେ ହୋମ୍ରେ ନେଇ ଥଇଥାନ କରିଛି। ମଧ୍ୟପ୍ରଦେଶ ପୋଲିସ ୱାରେଣ୍ଟ କାଗଜପତ୍ର ଦେଖାଇଲେ ତନ୍ତିଆପାଳ ପୋଲିସ ମଧ୍ୟପ୍ରଦେଶ ପୋଲିସଙ୍କୁ କଳ୍ପନାଙ୍କୁ ହସ୍ତାନ୍ତର କରିବ ବୋଲି କହିଛି।

ମଧ୍ୟ ପ୍ରଦେଶରୁ ଆଉ ଏକ ପୋଲିସ ଟିମ୍ ୱାରେଣ୍ଟ କାଗଜପତ୍ର ଆଣି ଆସୁଥିବା ବେଳେ ଆଗରୁ ଆସିଥିବା ଏହି ପୋଲିସ ଟିମ କେନ୍ଦ୍ରାପଡା ସହରର ଏକ ଲଜରେ ଅପେକ୍ଷା କରିଛି।

Comment