ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଚିର୍‌କୁଟ୍’। ଏହି ଫିଲ୍ମର ଅଡିଓ ରିଲିଜ ନିକଟରେ ଶେଷ ହୋଇଛି। ଏହି ଅଡିଓ ରିଲିଜ ବେଳେ ଅକ୍ଷୟ ପରିଜା ପ୍ରଡକ୍ସନସ୍‌ ଏବଂ ପ୍ରକାଶ ଫିଲ୍ମସ୍‌ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଚିର୍‌କୁଟ୍‌ ଫିଲ୍ମର ଫାଷ୍ଟ ଡେର ଫାଷ୍ଟ ଶୋ’ ଦର୍ଶକଙ୍କ ପାଇଁ ମଗଣା ରଖାଯାଇଛି।

ଓଡ଼ିଶାର ଯେତୋଟି ହଲ୍‌ରେ ଏହି ଫିଲ୍ମ ରିଲିଜ ହେବ ସେଦିନର ଫାଷ୍ଟ ଶୋ’ ଦର୍ଶକମାନେ ବିନା ଟିକେଟରେ ଦେଖି ପାରିବେ।

“ପାନକ୍ରିୟାସ୍‌ ଜନିତ ରୋଗରେ ଦୀର୍ଘଦିନ ଧରି ପୀଡ଼ିତ ଥିବା ପପୁ ପମ୍‌ ପମ୍‌ ସୁସ୍ଥ ହୋଇ ଫେରି ଆସିଛନ୍ତି। ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରାର୍ଥନା ପପୁଙ୍କୁ ମରଣ ମୁହଁରୁ ଫେରାଇ ଆଣିଛି। ସୁସ୍ଥ ହୋଇ ଫେରିବା ପରେ ପପୁ ପ୍ରଥମ ଥର ପାଇଁ ଚିର୍‌କୁଟ ଫିଲ୍ମର ନିର୍ଦ୍ଦେଶନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଣୁ ଫିଲ୍ମର ଫାଷ୍ଟ ଡେର ଫାଷ୍ଟ ଶୋ’ ଦର୍ଶକଙ୍କ ପାଇଁ ମଗଣା ରଖାଯାଇଛି”, କହିଛନ୍ତି ଚିର୍‌କୁଟ୍ ଫିଲ୍ମର ପ୍ରଯୋଜକ ଅକ୍ଷୟ କୁମାର ପରିଜା।

ଓଲିଉଡ ଇଣ୍ଡଷ୍ଟ୍ରୀର କମେଡି କିଙ୍ଗ୍ ପପୁ ପମ୍‌ ପମ୍‌ ଫୋର୍ ଇଡିୟଟସ୍‌ ଫିଲ୍ମ ସୁଟିଂରେ ପପୁ ଥାଇଲାଣ୍ଡ ଯାଇଥିଲେ। ସୁଟିଂ ଚାଲିଥିବା ବେଳେ ପପୁ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ। ସୁଟିଂ ବାତିଲ କରି ସେ ଭୁବନେଶ୍ୱର ଫେରି ଆସିଥିଲେ। ସେ ପାନକ୍ରିୟାସଜନିତ ରୋଗରେ ଆକ୍ରାନ୍ତ ଥିବାରୁ ଚିକିତ୍ସା ପାଇଁ ସେ ଦିଲ୍ଲୀ ଯାଇଥିଲେ। ଦୀର୍ଘ ଦିନ ଦିଲ୍ଲୀରେ ରହି ସୁସ୍ଥ ହୋଇ ପପୁ ଓଡ଼ିଶା ଫେରିଥିଲେ।

ସୁସ୍ଥ ହୋଇ ଫେରିବା ପରେ ପପୁଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ଅକ୍ଷୟ ପରିଜା ପ୍ରଡକ୍ସନସ୍‌ ଏବଂ ପ୍ରକାଶ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଫିଲ୍ମ ‘ଚିର୍‌କୁଟ୍‌’ରେ ପପୁ ନିର୍ଦ୍ଦେଶନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଏହି ଫିଲ୍ମରେ ନୂଅ କଳାକାରଙ୍କୁ ନେଇ ପପୁ ଏହି ଫିଲ୍ମଟି କରିଛନ୍ତି।

ଏହି ଫିଲ୍ମରେ ୬ଟି ଗୀତ ରହିଛି। ଏଥିରେ ଆଗଧାଡ଼ିର ଗାୟକ, ଗାୟିକା ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି ଏବଂ ନିଜେ ପପୁ ଗୀତ ଗାଇଛନ୍ତି। ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

“ଆପଣମାନଙ୍କ ଅଜସ୍ର ଭଲ ପାଇବା ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା ଯୋଗୁଁ ମୁଁ ମରଣ ମୁହଁରୁ ଫେରି ଆସିଛି। ପପୁ ଏକ ନୂଆ ଜୀବନ ପାଇଛି। ଏଣୁ ମୁଁ ମୋ ଦର୍ଶକମାନଙ୍କ ଭଲପାଇବାକୁ ସମ୍ମାନ ଜଣାଇ ପ୍ରଯୋଜକ ଅକ୍ଷୟ ପରିଜା ସାର୍‌ଙ୍କ ପାଖରେ ଏକ ପ୍ରସ୍ତାବ ରଖିଥିଲି। ଚିର୍‌କୁଟ ଫିଲ୍ମର ଫଷ୍ଟ ଡେ ଫାଷ୍ଟ ଶୋ’ ସବୁ ଦର୍ଶକମାନେ ବିନା ଟିକେଟରେ ଦେଖିବା ଲାଗି ପ୍ରସ୍ତାବ ଦେଇଥିଲି। ମୋ’ ପ୍ରସ୍ତାବରେ ସେ ରାଜି ହୋଇଥିଲେ। ମୋ’ ଦର୍ଶକମାନଙ୍କ ପାଇଁ ଏତିକି କରିପାରିଥିବାରୁ ଏବଂ ପ୍ରଯୋଜନା ସଂସ୍ଥା ମୋ’ କଥା ରଖିଥିବାରୁ ମୁଁ ଖୁସି”, କହିଛନ୍ତି ପପୁ ପମ୍‌ ପମ୍‌।

Comment