ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ହକ୍ ମାଗୁଛି ଓଡ଼ିଶା’। କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।
ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରାଯାଇଥିବା ‘ହକ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଛାତ୍ର ନେତାମାନେ ଯୋଗ ଦେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲେ।
“ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କ୍ଷେତ୍ରରେ, ନିଯୁକ୍ତି କ୍ଷେତ୍ରରେ, ମହାନଦୀ ବିବାଦ, ରେଲୱେ ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକତାଭାବ ଦେଖାଦେଇଛି। ଏଣିକି କେନ୍ଦ୍ର ସରକାରଙ୍କଠାରୁ ଆମେ ହକ୍ ଆଉ ମାଗିବାନି, ଏଥର ହକ୍ ଛଡ଼ାଇ ଆଣିବା” ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଚିନ୍ମୟ ସାହୁ କହିଛନ୍ତି।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାର ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। କିନ୍ତୁ କେନ୍ଦ୍ର ଏଥିରେ ଟାଳଟୂଳ ନୀତି ଅବଲମ୍ବନ କରୁଛି। କେନ୍ଦ୍ର ସରକାର ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଓଡ଼ିଶାର ଯୁବକମାନଙ୍କୁ କର୍ମନିଯୁକ୍ତି ମିଳୁ ନାହିଁ। ରେଲୱେ କ୍ଷେତ୍ରରେ ବି ଓଡ଼ିଶାର ବିକାଶ ହୋଇପାରିନି।
“ପ୍ରାକୃତିକ ସମ୍ପଦ ଓ ଖଣିଜ ପଦାର୍ଥରେ ଭରପୁର ହୋଇ ରହିଛି ଓଡ଼ିଶା। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି। ଓଡ଼ିଶାରୁ କେନ୍ଦ୍ର ଅଧିକ ମାତ୍ରାରେ ରାଜସ୍ୱ ନେଉଥିଲେ ମଧ୍ୟ ଓଡ଼ିଶା ପଛରେ ପଡ଼ିଛି”, କହିଛନ୍ତି ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର।
ଏସବୁ ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ କରାଯାଇଛି।