ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଜିତୁ ନା ରାଜେନ୍ଦ୍ର – କାହାକୁ ଟିକେଟ ଦେବେ ବିଜେଡି ସୁପ୍ରିମୋ?
ବାଜିଛି ନିର୍ବାଚନ ବିଗୁଲ୍। ଭାରତୀୟ ନିର୍ବାଚନ କମିଶନର ଏନେଇ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ସବୁ ରାଜନୀତିକ ଦଳରେ ଉତ୍ସାହ ଲାଗି ରହିଛି।
ନିର୍ବାଚନ ପୂର୍ବରୁ ନେତାମାନେ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ଆଜି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓରଫ୍ ଜିତୁ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଫୁଙ୍କିଛନ୍ତି।
ଜିତୁଙ୍କ ଯୋଗଦାନ ବେଳେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ଖୋର୍ଦ୍ଧା ବିଧାନସଭା ଆସନରୁ କିଏ ବିଜେଡି ଟିକେଟ ନେବ?
ଘରକୁ ବାହୁଡ଼ି ଆସିଥିବା ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଉପରେ ନବୀନ ଆସ୍ଥା ପ୍ରକଟ କରିବେ ନା ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେବେ ତାହା ଏବେ ଖୋର୍ଦ୍ଧାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓରଫ୍ ଜିତୁ ୨୦୦୦ ମସିହାରେ ଖୋର୍ଦ୍ଧା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ବିଜେଡି ସମର୍ଥକ ଥିଲେ ମଧ୍ୟ ତାଙ୍କୁ ସେତେବେଳେ ଦଳ ଟିକେଟ ଦେଇ ନଥିଲା। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।
୨୦୦୪ ନିର୍ବାଚନରେ ଜିତୁ ବିଜେଡି ଟିକେଟ ନେଇଥିଲେ ଏବଂ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଜିତୁଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଥିଲା।
୨୦୦୯ରେ ରାଜନୀତିକ ଦୃଶ୍ୟପଟ୍ଟ ବଦଳି ଯାଇଥିଲା। ବାମ ଦଳ ସହିତ ବିଜେଡି ମେଣ୍ଟ କରିଥିଲା। ଫଳରେ ଖୋର୍ଦ୍ଧା ବିଧାନସଭା ଆସନ ବାମ ଦଳକୁ ଛାଡ଼ି ଦେଇଥିଲା ବିଜେଡି। ସିପିଆଇ(ଏମ୍)ର ଶିବାଜୀ ପଟ୍ଟନାୟକ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ।
ଜିତୁ ଏବଂ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ରାଜେନ୍ଦ୍ରଙ୍କୁ ବିଜେଡିର ସମର୍ଥକମାନେ ସମର୍ଥନ କରିବାରୁ ସେ ବିଜୟୀ ହୋଇଥିଲେ।
ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ରାଜେନ୍ଦ୍ର ଶେଷରେ ବିଜେଡି ଫୋଲ୍ଡକୁ ଚାଲି ଯାଇଥିଲେ। ୨୦୧୪ ନିର୍ବାଚନରେ ଜିତୁ ବିଜେଡି ଟିକେଟ ପାଇଁ ଲବି ଚଳାଇଥିଲେ। ହେଲେ ଜିତୁ ନିରାଶ ହୋଇଥିଲେ। ରାଜେନ୍ଦ୍ରଙ୍କ ଉପରେ ବିଜେଡି ମ୍ୟାନେଜର ଆସ୍ଥା ପ୍ରକଟ କରିଥିଲେ। ଶେଷରେ ଜିତୁ ବିଜେପିରେ ଯୋଗ ଦେଇଥିଲେ।
୨୦୧୯ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ରାଜନୀତିର ଦୃଶ୍ୟପଟ୍ଟ ବଦଳିବାକୁ ଯାଉଛି। ପଦ୍ମ ଛାଡ଼ି ଜିତୁ ପୁଣି ଶଙ୍ଖ ଫୁଙ୍କିଛନ୍ତି। ଦୁଇ ଦୁଇ ଥର ବିଧାୟକ ହୋଇଥିବା ଜିତୁ ପୁଣିଥରେ ବିଜେଡି ଟିକେଟ ନେବାକୁ ଆଶାବାଦୀ ଅଛନ୍ତି। ଯଦି ଜିତୁ ବିଜେଡି ଟିକେଟ ପାଆନ୍ତି ତାହାଲେ ରାଜେନ୍ଦ୍ର କ’ଣ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।








ଜିତୁ ନା ରାଜେନ୍ଦ୍ର – କାହାକୁ ଟିକେଟ ଦେବେ ବିଜେଡି ସୁପ୍ରିମୋ?








