କପିଳାସ ଭୂୟାଁ

ଗତ ରବିବାର ମାର୍ଚ୍ଚ ୧୦ ତାରିଖ ଦିନ ଦେଶରେ ନିର୍ବାଚନ ତାରିଖ ଘୋଷଣା ହେବାର ଅଳ୍ପ କିଛି ସମୟ ପୂର୍ବରୁ କେନ୍ଦ୍ରାପଡ଼ାର ବାରୁଅ ସିଦ୍ଧବଟ ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଲୋକସଭା ନିର୍ବାଚନରେ ୩୩ % ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରିଛନ୍ତି।

ଏଭଳି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ପ୍ରକାରାନ୍ତରେ ହରଡ ଘଣାରେ ପକେଇ ଦେଇଛନ୍ତି ବୋଲି କୁହାଯାଉଛି।

ଅନ୍ୟ ପକ୍ଷରେ ଏହି ନିୟମ କେବଳ ଲୋକସଭା ପାଇଁ କାହିଁକି, ବିଧାନସଭା ପାଇଁ କାହିଁକି ନୁହେଁ ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି। ଏହା ଏକ ସମୁଚିତ ପ୍ରଶ୍ନ ହୋଇଥିଲେ ବି ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ସ୍ତରରେ କୌଣସି ପଦକ୍ଷେପ ନେଇ ନ ଥିବା ବିଜେପି ଦଳ ପକ୍ଷରୁ ଏଭଳି ପ୍ରଶ୍ନକୁ ଅବାନ୍ତର ମନେ କରାଯାଉଛି।

ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଗତ ବର୍ଷ ନଭେମ୍ବର ୨୦ ତାରିଖ ଦିନ ରାଜ୍ୟ ବିଧାନସଭାରେ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା। ସେହି ଅବସରରେ ନବୀନ ବାବୁ ତାଙ୍କ ମତ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ ମହିଳାମାନଙ୍କୁ ସଶକ୍ତ ନକରି କୌଣସି ପରିବାର, ସମାଜ କି ରାଜ୍ୟ କିମ୍ବା ଦେଶ ପ୍ରଗତି କରି ପାରିବ ନାହିଁ ଓ ମହିଳା ସଶକ୍ତିକରଣ ପ୍ରତି ସେ ଆନ୍ତରିକ ଭାବେ ଆଗ୍ରହୀ।

ଏହା କେବଳ ରାଜ୍ୟ ନୁହେଁ, ବରଂ ସାରା ଦେଶରେ ନବୀନ ବାବୁଙ୍କ ସପକ୍ଷରେ ଯଥେଷ୍ଟ ପ୍ରଭାବ ପକାଇବା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅକଳରେ ପକାଇ ଦେଇଥିଲା। ରାଜନୈତିକ ବିଶେଷଜ୍ଞମାନେ ଏହାକୁ ନିର୍ବାଚନ ନିମନ୍ତେ ନବୀନଙ୍କର ଅତି ଧୂରୀଣ ଗୋଟିଚାଳନା ବୋଲି କହିଥିଲେ। କାରଣ ଏହି ପ୍ରସ୍ତାବ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସମେତ ସମସ୍ତ ରାଜନୈତିକ ଦଳଗୁଡିକୁ ଅକଳରେ ପକାଇ ଦେଇଥିଲା ଓ ସବୁ ବିରୋଧୀଙ୍କୁ ଚୁପ କରି ଦେଇଥିଲା।

୧୯୯୨ ମସିହାରେ ବିଜୁବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ୩୩% ସ୍ଥାନ ସଂରକ୍ଷଣ କରି ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ସମୟରେ ପାର୍ଲାମେଣ୍ଟ ଓ ବିଧାନସଭା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଚାହୁଁଥିଲେ। ସେବେଠାରୁ ଗତ ୨୫ ବର୍ଷ ଭିତରେ ତଥା ଦେଶ ସ୍ଵାଧୀନ ହେବାର ୭୦ ବର୍ଷ ଭିତରେ କୌଣସି ରାଜନୈତିକ ଦଳ ହେଉ କିମ୍ବା ମେଣ୍ଟ ସରକାର ଚଳାଇବା ବେଳେ ଏହି ପଦକ୍ଷେପ ନେଇ ପାରିନାହାନ୍ତି। ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନବୀନ ବାବୁ ତାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଚାହିଁବା ନିଶ୍ଚୟ ତାଙ୍କ ରାଜନୈତିକ ପରିପକ୍ଵତାର ପରିଚୟ ଦେଉଛି ବୋଲି କହିବା ଅତ୍ୟୁକ୍ତି ହେବନାହିଁ।

କିନ୍ତୁ ଗତ ବର୍ଷ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହେବାର ମାତ୍ର ସାଢେ ତିନି ମାସ ପରେ ନବୀନବାବୁ କେବଳ ଲୋକସଭାକୁ ୩୩ % ମହିଳାଙ୍କୁ ପଠାଇବାକୁ ଘୋଷଣା କରିବା ଓ ବିଧାନସଭା ପ୍ରସଙ୍ଗକୁ ଏହି ଘୋଷଣାଠାରୁ ଅଲଗା କରି ରଖିବାର କାରଣ କଣ? ଏହା ମଧ୍ୟରେ କ’ଣ ବିଜେଡି ପକ୍ଷରୁ ବିଧାନସଭା କ୍ଷେତ୍ରରେ ଏଭଳି ପଦକ୍ଷେପ ନେବା ଦ୍ଵାରା କୌଣସି କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି କି?

ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଅର୍ଥାତ ୪୯ଟି ଆସନରେ ମହିଳାମାନଙ୍କୁ ନିର୍ବାଚନ ଲଢିବା ପାଇଁ ବିଜେଡି ଦଳ ପକ୍ଷରୁ ଟିକେଟ ଦିଆଗଲେ ଏହା ଏକ ଐତିହାସିକ ପଦକ୍ଷେପ ରୂପେ ପରିଗଣିତ ହେବ ଓ ଦଳର ସଭାପତି ରୂପେ ନବୀନବାବୁଙ୍କୁ ସମସ୍ତ ଶ୍ରେୟ ଯିବ।

ଏହା ବ୍ୟତୀତ ବିଜେଡିର ଏହି ପଦକ୍ଷେପ ଅନ୍ୟ ସମସ୍ତ ରାଜନୈତିକ ପ୍ରତିପକ୍ଷଙ୍କୁ ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେବାକୁ ବାଧ୍ୟ କରିବ।

ନବୀନବାବୁଙ୍କ ବାରୁଅ ଘୋଷଣା ଏବେ ଲୋକମାନଙ୍କ ମନରେ ଯଥେଷ୍ଟ ସନ୍ଦେହ ସୃଷ୍ଟି କରିଛି। ହୁଏତ ବିଜେଡି ୩୩% ବିଧାନସଭା ଆସନରେ ମହିଳାମାନଙ୍କୁ ନିର୍ବାଚନ ଲଢିବା ସୁଯୋଗ ଦେବା ପାଇଁ ଚାହୁଁ ନାହିଁ ବୋଲି ଲୋକମାନଙ୍କ ମନରେ, ବିଶେଷକରି ମହିଳାମାନଙ୍କ ମନରେ ଏକ ସନ୍ଦେହ ବାରୁଅ ଘୋଷଣା ଯୋଗୁ ଦାନା ବାନ୍ଧିବାକୁ ବସିଲାଣି।

ତେଣୁ ଦଳ ପକ୍ଷରୁ ଖୁବ ଶୀଘ୍ର ଏ ବାବଦରେ ସାନି ଘୋଷଣା କରାଯିବା ଅତ୍ୟନ୍ତ ଜରୁରୀ। ନଚେତ ନେଡ଼ି ଗୁଡ଼ କହୁଣିକୁ ବୋହି ଯିବା କିଛି ଅସମ୍ଭବ ନୁହେଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment