ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କମିଶନରେଟ୍‌ ପୋଲିସ କଟକଣା ଜାରି କରିଛି। ରାତି ୧୦ରୁ ସକାଳ ୬ ଯାଏଁ ବାଜିବନି ମାଇକ୍‌।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳରେ ଉତ୍ସାହ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳରେ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରି ରହିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।

ଆଡଭାଇଜରିରେ କୁହାଯାଇଛି ଯେ ବିନା ସ୍ୱୀକୃତିରେ କାର୍ଯ୍ୟକ୍ରମ ଆୟୋଜନ କଲେ ଏହାକୁ ଆଚରଣ ବିଧି ଉଲ୍ଲଂଘନ ବୋଲି ଧରାଯିବ।

ଶୋଭାଯାତ୍ରା ସମୟରେ ଯେଭଳି ଟ୍ରାଫିକ୍‌ ସମସ୍ୟା ନହୁଏ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ। ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ, ସେହି ରାସ୍ତା ପାଇଁ ଯଦି ସ୍ୱୀକୃତି ନଥିବା ତେବେ ତାହା ବେଆଇନ୍‌ ଧରାଯିବ।

ଅସ୍ତ୍ର ଧରି ଶୋଭାଯାତ୍ରା କରିପାରିବେ ନାହିଁ। ଏହାସହ ବାଣ ବି ଫୁଟାଇ ପାରିବେ ନାହିଁ।

ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍‌ ବାଜିବା ମନା। ରାତି ୧୦ଟା ପରେ କୌଣସି ସଭା ବା ଶୋଭାଯାତ୍ରା କରିବାକୁ ମନା।

ରାଲିରେ ୧୦ରୁ ଅଧିକ ତିନି ଏବଂ ଚାରି ଚକିଆ ଗାଡ଼ି ଏକାଠି ଯାଇ ପାରିବ ନାହିଁ। ଯଦି ୧୦ରୁ ଅଧିକ ଗାଡ଼ି ବ୍ୟବହାର କରାଯାଏ ତାହାଲେ ୧୦୦ ମିଟର ବ୍ୟବଧାନ ରଖାଯିବ। ଶୋଭାଯାତ୍ରା ପୂର୍ବରୁ କମିଶନରେଟ୍ ପୋଲିସର ଅନୁମତି ନେବାକୁ ପଡ଼ିବ।

ପ୍ରଚାର ଗାଡ଼ିରେ ୧ ଫୁଟର ଦଳୀୟ ପତାକା ବ୍ୟବହାର କରିବାକୁ ଆଡଭାଇଜରିରେ କୁହାଯାଇଛି। ପ୍ରାର୍ଥୀମାନେ ୬ଫୁଟରେ ୪ ଫୁଟ ବ୍ୟାନର ବ୍ୟବହାର କରିବାକୁ କୁହାଯାଇଛି।

Comment