ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ଏଥର ବାଜି କାହା ହାତକୁ ଯିବ?

ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ରାଜନୈତିକ ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ହୋଇଥିବାବେଳେ ଏଥର ବାଜି କାହା ହାତକୁ ଯିବ ତା’ ଉପରେ ରହିଛି ସମସ୍ତଙ୍କ ନଜର। ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଶାସକ ବିଜେଡି ଏବଂ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ହେବ ମୁଖ୍ୟ ଲଢ଼େଇ। ବର୍ତ୍ତମାନ ସୁଦ୍ଧା ଏହି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ।

ଲୋକସଭା ଆସନ ପାଇଁ ହେବ ବିଜେଡି-ବିଜେପି ଫାଇଟ୍

କେନ୍ଦ୍ରାପଡ଼ା ନିର୍ବାଚନ ଉପରେ ଏବେ ଅଟକି ରହିଛି ସାରା ରାଜ୍ୟର ନଜର। ଚଳିତ ଥର ଲୋକସଭା ଆସନ ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେପି। ଏପଟେ ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ଏହି ଆସନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।

ଗତ ମାସକ ଭିତରେ କେନ୍ଦ୍ରାପଡ଼ା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଓ ବରିଷ୍ଠ ନେତା ଗଣେଶ୍ୱର ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ଘଟଣା ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ସମେତ କଟକ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ସାଲେପୁର ସାମିଲ ରହିଛି । ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ସମେତ ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ରହିଥିଲା। ପ୍ରଭାତ ସାମନ୍ତରାୟ, ଅର୍ଚ୍ଚନା ନାୟକଙ୍କ ପରେ ବିଜେଡିରୁ ୨୦୦୯ ଓ ୨୦୧୪ରେ ବୈଜୟନ୍ତ ପଣ୍ଡା ଲଗାତାର ଦୁଇଥର ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ବୈଜୟନ୍ତଙ୍କ ଉପରେ ବିଜେପିର ଭରସା

ଦଳ ସହ ସମ୍ପର୍କ ବିଗିଡ଼ିବାରୁ ୨୦୧୯ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡା ୨୦୧୯ରେ ବିଜେପି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ତେବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ସେ ପରାଜିତ ହୋଇଥିଲେ। ଅନୁଭବ ମହାନ୍ତିଙ୍କୁ ୬ ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ବୈଜୟନ୍ତ ପଣ୍ଡା ପାଇଥିଲେ ୪ ଲକ୍ଷ ୪୭ ହଜାର ୪୫୬ ଖଣ୍ଡ ଭୋଟ।

୨୦୧୯ରେ ବିଜେଡିକୁ ଲୋକସଭା କ୍ଷେତ୍ରରେ ଥିବା ୭ ବିଧାନସଭା ମଣ୍ଡଳୀର ନେତୃତ୍ୱଙ୍କ ଭରପୂର ସହଯୋଗ ମିଳିଥିଲା। ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ, କେନ୍ଦ୍ରାପଡ଼ାରୁ ଶଶିଭୂଷଣ ବେହେରା, ଆଳିରୁ ପ୍ରତାପ କେଶରୀ ଦେବ, ରାଜନଗରରୁ ଧ୍ରୁବଚରଣ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ବିଜୟୀ ହେବା ସହ ସେମାନଙ୍କ ଭୋଟ ଭାଗ ଅନୁଭବଙ୍କ ପାଇଁ ମଧ୍ୟ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ କୌଣସି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବିଜୟୀ ନହୋଇ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ ସାଢ଼େ ୪ ଲକ୍ଷ ଭୋଟ ମିଳିବା ନିଶ୍ଚିତ ଭାବେ ବିଜେଡିକୁ ଏଥର କସରତ କରିବାକୁ ବାଧ୍ୟ କରିବ।

ନିର୍ବାଚନ ଉପରେ ପଡ଼ିବ ଦଳ ବଦଳର ପ୍ରଭାବ!

ଚଳିତ ବର୍ଷ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଦଳବଦଳ ଦେଖିବାକୁ ମିଳିଛି। ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନ ଉପରେ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଛନ୍ତି। ବିଗତ ଦିନରେ ବିଜେଡିର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବିଜୟ ମହାପାତ୍ରଙ୍କ ପାଇଁ ଏଥର କିନ୍ତୁ ନୀରବ ରହିବାର ସ୍ଥିତି ଉପୁଯିବ। କାରଣ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେଇଛନ୍ତି। ଏଥର ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଅରବିନ୍ଦ ସୁଯୋଗ ପାଇଛନ୍ତି। ଏହି କାରଣରୁ ବିଜୟ ମହାପାତ୍ର ବିଜେଡିକୁ ବିରୋଧ କରିବାର ସମ୍ଭାବନା କମ ରହିଛି।

ସେହିପରି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ବିଜେଡିର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାରେ ସହାୟକ ହେବ।

ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡିର ପ୍ରାର୍ଥୀ ହୋଇଥିବା ଅଂଶୁମାନ ମହାନ୍ତି ନିର୍ବାଚନ ବାଜି ହାତେଇବାକୁ ଜୋରସୋରରେ ଲାଗି ପଡ଼ିଛନ୍ତି। ତାଙ୍କ ସମର୍ଥନରେ ବିଜେଡି ସମର୍ଥକଙ୍କ ସହ କଂଗ୍ରେସରୁ ମଧ୍ୟ ଭୋଟ ପଡ଼ିବ। କାରଣ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ହଜାର ହଜାର ସମର୍ଥକଙ୍କୁ ଧରି ସେ ବିଜେଡିରେ ଯୋଗ ଦେଇଥିଲେ।

ଅନ୍ୟପଟେ ମାହାଙ୍ଗା ଏବଂ ସାଲେପୁରରେ ରାଜନୈତିକ ସମୀକରଣ ମଧ୍ୟ ବଦଳିଛି। ସାଲେପୁର ବିଜେପିର ମଙ୍ଗ ସମ୍ଭାଳୁଥିବା ପ୍ରକାଶ ବେହେରା ଦଳ ଛାଡ଼ି ଏବେ ବିଜେଡିରେ ମିଶିଛନ୍ତି। ପ୍ରକାଶ ଦଳ ଛାଡ଼ିବା ପରେ ଏବେ ସାଲେପୁରରେ ବିଜେପିର ସ୍ଥିତି କ’ଣ ରହିବ ତାକୁ ନେଇ ଚାଲିଛି ଅଙ୍କକଷା।

ମାହାଙ୍ଗାରେ ନୂଆ ମୁହଁଙ୍କୁ ନେଇ ବିଜେପି ଶିବିରରେ ଦେଖିବାକୁ ମିଳିଛି ବିଦ୍ରୋହ। ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହେବା ସହ ଦଳର ନେତୃତ୍ୱ ନେଉଥିବା ମୁଖ୍ୟ ଚେହେରା ସାରଦା ପ୍ରଧାନ ଦଳୀୟ ସଂଗଠନଠାରୁ ଦୂରେଇ ଯାଇଛନ୍ତି। ଏମିତିକି ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଆଗଭର ହେଲେଣି। ଏପରି ହେଲେ ମାହାଙ୍ଗାରେ ବିଜେପି ଭୋଟ ଭାଗବାଣ୍ଟ ହେବ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ସାଲେପୁର ଓ ମାହାଙ୍ଗାରୁ ବୈଜୟନ୍ତ ପଣ୍ଡାଙ୍କୁ କିଏ ସାହା ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ନାହିଁ କଂଗ୍ରେସ। ଏହି ଆସନ ଲାଗି ଟିକେଟ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ଯୁବ ନେତା ସିଦ୍ଧାର୍ଥ ଦାଶ। ତୃଣମୂଳ ସ୍ତରର କଂଗ୍ରେସ ସଂଗଠନ ଏବଂ ଗଣେଶ୍ୱର ଓ ଅଂଶୁମାନଙ୍କଠାରୁ ଦୂରେଇ ଯାଇଥିବା କର୍ମୀମାନଙ୍କୁ ନେଇ କଂଗ୍ରେସ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #Election #GeneralElection2024 #Kendrapara #LokSabhaElection #AssemblyElection #Odisha

Comment