ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ଫେରିବେ ଦିଲ୍ଲୀପ ରାୟ। ନବୀନ ନିବାସରେ କଲେ ଆଲୋଚନା।

୧୭ ବର୍ଷ ପରେ ନବୀନ ନିବାସରେ ପାଦ ଦେଲେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ୨୦୦୨ ମସିହାରେ ବିଜେଡିରୁ ବହିଷ୍କୃତ ହେବା ପରେ ଦିଲ୍ଲୀପ ଆଉ ନବୀନ ନିବାସ ଗେଟ୍ ଡେଇଁ ନଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ଦିଲ୍ଲୀପକୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ନବୀନ ନିବାସରେ ଦିଲ୍ଲୀପଙ୍କୁ ଦେଖିବା ପରେ ଗୋଟିଏ ଚର୍ଚ୍ଚା ହେଉଛି ଯେ ସେ ବିଜେଡିରେ ମିଶିବେ।

ତେବେ ଦିଲ୍ଲୀପ କାହିଁକି ବିଜେଡିକୁ ଫେରିବେ ତାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି।

ଦିଲ୍ଲୀପ ରାୟ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଅମଳର ନେତା। ବିଜୁ ବାବୁଙ୍କର ସେ ଥିଲେ ଘନିଷ୍ଠ ଦହଯୋଗୀ। ବିଜେଡି ପ୍ରତିଷ୍ଠାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ହେଲେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦିଲ୍ଲୀପଙ୍କୁ ୨୦୦୨ ମସିହାରେ ବିଜେଡିରୁ ବହିଷ୍କାର କରିଥିଲେ ନବୀନ। ସେବେଠୁ ଦିଲ୍ଲୀପ ଏବଂ ବିଜେଡି ଭିତରେ ଦୂରତା ବଢ଼ିଥିଲା।

ଦିଲ୍ଲୀପ ଯୋଗଦେଲେ ବିଜେପିରେ। ୨୦୧୪ ନିର୍ବାଚନରେ ଦିଲ୍ଲୀପ ରାଉରକେଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୮ରୁ ଦିଲ୍ଲୀପ ଏବଂ ବିଜେପି ଭିତରେ ଦୂରତା ବଢ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନଥିବାରୁ ଦିଲ୍ଲୀପ ଗତ ଡିସେମ୍ବର ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ।

କେବଳ ଦିଲ୍ଲୀପ ନୁହନ୍ତି ଅନ୍ୟତମ ବିଜୁ ଅନୁଗତ ବିଜୟ ମହାପାତ୍ର ବି ବିଜେପି ଛାଡ଼ିଥିଲେ। ଦିଲ୍ଲୀପ ଇସ୍ତଫା ଦେଇ ବିଦେଶ ଚାଲି ଯାଇଥିଲେ। ବିଦେଶ ଗସ୍ତରୁ ଫେରିବା ପରେ ଆଲୋଚନା କରି ଆଗାମୀ ରଣନୀତି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ବିଜୟ କହିଥିଲେ।

ଦିଲ୍ଲୀପ ବିଦେଶରୁ ଆସିବାର ଅନେକ ଦିନ ବିତିଥିଲେ ବି କୌଣସି ବାଟ ବାହାରି ନାହିଁ। ବିଜୟ-ଦିଲ୍ଲୀପ କୌଣସି ଦଳରେ ଯୋଗ ଦେଇ ନାହାନ୍ତି। କେଉଁ ଦଳକୁ ଯିବେ ଏବଂ କେଉଁ ଦଳକୁ ଗଲେ ସେମାନଙ୍କ ରାଜନୀତିକ ଭବିଷ୍ୟତ ସୁରକ୍ଷିତ ରହିବ ତାକୁ ନେଇ ତର୍ଜମା ଚାଲିଥିଲା। ହେଲେ କୌଣସି ନିଷ୍କର୍ସ ବାହାରିପାରି ନଥିବାରୁ ଶେଷରେ ଦିଲ୍ଲୀପ ବିଜେଡି ଫେରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଗୋଟିଏପଟେ ବିଜେଡି ଛାଡ଼ିଥିବା ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ, ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ପଦ୍ମ ଧରି ରାଜ୍ୟ ରାଜନୀତିରେ ହଟଚମଟ କରୁଛନ୍ତି। ବିଜେଡି ନେତାଙ୍କୁ ପଦ୍ମ ଧରାଇ ବିଜେପି ଓଡ଼ିଶା ରାଜନୀତି ବାତାବରଣକୁ ଉଷ୍ମ କରିଛି। ଏଣୁ ଦିଲ୍ଲୀପଙ୍କୁ ବିଜେଡିରେ ମିଶାଇ ବିଜେପି ଶିବିରରେ ହଲଚଲ କରିବାକୁ ବିଜେଡି ଚାହୁଁଥିବା ଚର୍ଚ୍ଚା ହେଉଛି।

ବିଜେଡିରେ ବିଜୁ ଲିଗାସୀ ନେତା ଅଲୋଡ଼ା ବୋଲି ଗତ କିଛି ବର୍ଷ ହେଲା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବା ପାଇଁ ଏବଂ ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ଦିଲ୍ଲୀପଙ୍କୁ ଦଳକୁ ନେବାକୁ ବିଜେଡି ଗେମପ୍ଲାନ କରୁଥିବା କୁହାଯାଉଛି।

ଏପଟେ ଦିଲ୍ଲୀପଙ୍କ ହାତରେ ବି ବିକଳ୍ପ ନାହିଁ। ସେ ବିଜେପିରୁ ନିକଟରେ ଇସ୍ତଫା ଦେଇଥିବାରୁ ସେ ପୁଣି ବିଜେପି ଫେରିବାର କୌଣସି ସମ୍ଭବାନା ନଥିଲା। ତାଛଡ଼ା ଦିଲ୍ଲୀ ଅଣ କଂଗ୍ରେସ ରାଜନୀତିରେ ବିଶ୍ୱାସ କରୁଥିବାରୁ କଂଗ୍ରେସ ଯିବାର ପ୍ରଶ୍ନ ନାହିଁ। ଏଣୁ ୨୦୧୯ ନିର୍ବାଚନ ପୂର୍ବରୁ ଦିଲ୍ଲୀପ ପୁରୁଣା ଘରକୁ ବାହୁଡିବା ପାଇଁ ଚାହୁଁଥିବା କୁହାଯାଉଛି।

ଦିଲ୍ଲୀପ ବିଜେଡି ଫେରିଲେ ଦଳ ପାଇଁ କେତେ ଫାଇଦା ହେବ ତାହାତ ଭିନ୍ନ କଥା। କିନ୍ତୁ ଦଳରେ ଯେଉଁ ହଟଚମଟ ସୃଷ୍ଟି ହୋଇଛି ଏବଂ ବିଜୁ ଲିଗାସୀ ନେତା ଅଲୋଡ଼ା ବୋଲି ଯାହା ଆଲୋଚନା ହେଉଛି ସେଥିରେ ରୋକ ଲାଗିବ।

LEAVE A REPLY

Please enter your comment!
Please enter your name here