ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପଶ୍ଚିମ ଓଡିଶାରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। ରବିବାର ଦିନ ଏହିଭଳି ଏକ ବୋମା ପକାଇଛନ୍ତି ନିଜେ ନବୀନ। ଏହି ଖବର ଆସିବା ପରେ ଉଭୟ କଂଗ୍ରେସ ଓ ବିଜେପି ମହଲରେ ଛନକା ପଶିଯାଇଛି।
ନବୀନ ଯଦି ପ୍ରକୃତରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବେ ବିରୋଧି ଦଳକୁ ଏହା ଏକ ବଡ଼ ଚେକମେଟ ଦେବା ଭଳି ହେବ। ଏପରିକି ଏହି ନିଷ୍ପତ୍ତିରେ ବିରୋଧୀଙ୍କ ୨୦୧୯ ନିର୍ବାଚନର ପୂରା ଗଣିତ ବଦଳିଯାଇପାରେ।
ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପୂର୍ବରୁ ଗତ କିଛି ଦିନ ଧରି ପଶ୍ଚିମ ଓଡିଶାର ନେତାମାନେ ନବୀନ ନିବାସ ଯାଇ ଏ ସମ୍ପର୍କରେ ଆଲୋଚନା କରିଆସୁଥିଲେ। ସେମାନଙ୍କ ପ୍ରସ୍ତାବ ଅନୁସାରେ ନବୀନ ପଶ୍ଚିମ ଓଡ଼ିଶାର ଯେ କୌଣସି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ସମ୍ଭାବନା ବଳବତ୍ତର ହୋଇଛି।
ପଶ୍ଚିମ ଓଡ଼ିଶାର ନେତା,ଚାଷୀ,ମହିଳା ଓ ଛାତ୍ର ମୋତେ ସେଠାରୁ ପ୍ରାର୍ଥୀ ହେବ ପାଇଁ ଅନୁରୋଧ କରିଛନ୍ତି। ମୁଁ ଏହି ଅନୁରୋଧକୁ ଗମ୍ଭୀରତାର ସହ ବିଚାର କରୁଛି’ ‘ବୋଲି ନବୀନ ରବିବାର ପୂର୍ବାହ୍ନରେ ଗଣ ମାଧ୍ୟମକୁ କହିଥିଲେ।
ଉଲ୍ଲେଖ କରିବାର କଥା ଯେ ଏଥର ଉଭୟ କଂଗ୍ରେସ ଓ ବିଜେପି ପଶ୍ଚିମ ଓଡିଶା ଉପରେ ସେମାନଙ୍କର ଦୃଷ୍ଟି ନିବଦ୍ଧ କରିଛନ୍ତି।ଏହି ଦୁଇ ଦଳର ରଣନୀତି ହେଉଛି ଯେତେ ସଂଖ୍ୟକ ସମ୍ଭବ ଆସନକୁ ଅକ୍ତିଆର କରିବା। କ୍ଷମତାକୁ ଆସିବାକୁ ହେଲେ ପଶ୍ଚିମ ଓଡ଼ିଶାର ଭୋଟରଙ୍କ ସମର୍ଥନ ନିତ୍ୟାନ୍ତ ଆବଶ୍ୟକ ଏ କଥା ବିରୋଧୀ ମାନେ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି। ଏବେ ନବୀନ ଯଦି ପଶ୍ଚିମ ଓଡିଶା କାର୍ଡ଼ ଖେଳିବା ଆରମ୍ଭ କରିବେ ବିଜେପି ଓ କଂଗ୍ରେସର ଯୋଜନା ଫସର ଫାଟିବା ସୁନିଶ୍ଚିତ।
ବିଜେପିର ପଶ୍ଚିମ ଓଡ଼ିଶାରେ ବେଶ କିଛି ଭୋଟ ରହିଛି ଓ ବିଜେପିର ଏହା ଗଡ଼ ବୋଲି କୁହାଯାଏ। ସତ କହିଲେ ଗତ ବିଧାନସଭା ନିର୍ବାଚନରେ ଯେତେ ସବୁ ବିଧାୟକ ନିର୍ବାଚିତ ହୋଇଥିଲେ ସେ ସମସ୍ତେ ପ୍ରାୟ ପଶ୍ଚିମ ଓଡିଶାର। ଏବେ କଂଗ୍ରେସ ମଧ୍ୟ ଏହି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚାହୁଁଛି। ବିଶେଷ କରି ଛତିଶଗଡ଼ରେ ନିର୍ବାଚନ ଜିତିବା ପରେ କଂଗ୍ରେସର ଉତ୍ସାହ ଖୁବ୍ ବଢ଼ିଯାଇଛି। ନିକଟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବରଗଡ଼ ଠାରେ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇଥିଲେ।
ଓଡ଼ିଶାର ମୋଟ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ମଧ୍ୟରୁ ପଶ୍ଚିମ ଓଡ଼ିଶାର ଭାଗ ପ୍ରାୟ ଏକ ତୃତୀୟାଂଶ।

















