ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ

ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ରାଜନୈତିକ ବାତାବରଣ ସରଗରମ ହୋଇପଡିଛି।

ଶାସକ ବିଜେଡ଼ି, ବଜେପି ଓ କଂଗ୍ରେସ ପକ୍ଷରୁ ଟିକେଟ ପାଇଁ ଲବି ଜୋରଦାର ହେବାରେ ଲାଗିଛି। ଯାହାର ଜିତିବାର ସମ୍ଭାବନା ଥିବ ତାଙ୍କୁ ହିଁ ଟିକେଟ ମିଳିବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣା କରିବା ପରେ ବିଜେଡ଼ିର ବର୍ତ୍ତମାନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅନ୍ୟ ମାନଙ୍କ ତୁଳନାରେ  ଆଗରେ ଅଛନ୍ତି।

ଏହାର କାରଣ ହେଲା ସେ ଗତ ପାଞ୍ଚ ବର୍ଷରେ ବେଶ୍ ଭଲ କାମ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ବ୍ୟତୀତ ପ୍ରିୟଦର୍ଶୀ ଜଣେ ଲୋକପ୍ରିୟ ବିଧାୟକ ଭାବେ ନିଜକୁ ପ୍ରତିଷ୍ଠା କରି ପାରିଛନ୍ତି। ଯିଏ ଯେତେବେଳେ ଚାହିଁଲା ସେ ତାଙ୍କୁ ଦେଖା କରିପାରିବା ଭଳି ଲୋକ ସମ୍ପର୍କ ସେ ରଖି ଆସିଛନ୍ତି।

2014 ନିର୍ବାଚନରେ ସେ ବିଜେପିର ଦିଲୀପ ମହାନ୍ତିଙ୍କୁ ପ୍ରାୟ 50 ହଜାର ଭୋଟରେ ହରାଇଥିଲେ। କଂଗ୍ରେସ ଏଠି ତିନି ନମ୍ବର ସ୍ଥାନରେ ରହିଥିଲା। କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ମାତ୍ର 8ହଜାର ଭୋଟ ପାଇଥିଲେ।

ଭୁବନେଶ୍ୱର-ଉତ୍ତରରୁ ପ୍ରାର୍ଥୀ ହେବା ପାଇଁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଇଛୁକ ଥିଲେ। ହେଲେ ତାଙ୍କୁ ବିଡ଼ିଏ ଅଧ୍ୟକ୍ଷ କରାଯିବା ପରେ ସେ ମୈଦାନରୁ ହଟି ଯାଇଛନ୍ତି। ଏଣୁ ପ୍ରିୟଦର୍ଶୀଙ୍କ ବିକଳ୍ପ କେହି ଆଖିରେ ପଡୁନାହାନ୍ତି। ଏହାର ଅର୍ଥ ସେ ଏଥର ବି ଟିକେଟ ପାଇବା ନିଶ୍ଚିତ।

ବିଜେଡ଼ି ପ୍ରାର୍ଥୀ ପ୍ରସଙ୍ଗ ମୋଟାମୋଟି ସ୍ଥିର ହୋଇ ସାରିଥିବା ବେଳେ ଅନ୍ୟ ଦୁଇ ଦଳରେ ପ୍ରାର୍ଥୀ ନେଇ ସମସ୍ୟା ସୃଷ୍ଟି ହୋଇଛି। ଖବର ଆସୁଛି ଯେ ପୁରୁଣା ବିଜେପି ପ୍ରାର୍ଥୀ ଦିଲୀପ ମହାନ୍ତିଙ୍କ ବ୍ୟତୀତ ଦଳର ମୁଖପାତ୍ର ଗୋଲକ ମହାପାତ୍ର ମଧ୍ୟ ଏଠାରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ସେହିଭଳି କଂଗ୍ରେସ ପକ୍ଷରୁ ଛାତ୍ର ନେତା ଇତିଶ ପ୍ରଧାନ ଏହି ଆସନରୁ ପ୍ରାର୍ଥୀ ଭାବେ ଠିଆ ହେବା ପାଇଁ ଭୀଷଣ ଲବି ଚଳାଇଛନ୍ତି। କିନ୍ତୁ ତାଙ୍କର ଆଉ ଜଣେ ବିରୋଧୀ ସାମ୍ନାକୁ ଆସିଛନ୍ତି। ସେ ହେଲେ ଅଭିଳାଷ ମଣିଆ।
ଏହି ଭଳି ଛକାପଞ୍ଝା ଭିତରେ ପ୍ରାର୍ଥୀ ମାନେ ଚାଲିଛନ୍ତି। କହି ରଖୁ ଯେ ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ୨୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ ୨୩ ତାରିଖରେ ଏଠି ଭୋଟ ଗ୍ରହଣ କରାଯିବ।

Comment