ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୀବନ ବିନ୍ଦୁ ଅଭିଯାନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହକୁ ନେଇ ଛାତ୍ର ବିଜେଡିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।

ସୋମବାର ଜୀବନ ବିନ୍ଦୁ ଅଭିଯାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି। ବିଜୁ ଛାତ୍ର ଜନତା ଦଳର ମହାସଚିବ ହରିଶଙ୍କର ରାଉତଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା। ସୋମବାର ରକ୍ତଦାନ ଶିବିରରେ ଗୋଟିଏ ଦିନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରକ୍ତଦାତା, ଛାତ୍ର ଛାତ୍ରୀ ଓ ଛାତ୍ର ବିଜେଡିର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କଟକରେ ଏହି ରକ୍ତଦାନ ଶିବିର ମହାନଦୀ ବିହାରସ୍ଥିତ ସେଲିବ୍ରେସନ୍‍ ମଣ୍ଡପ ଏବଂ ହିନ୍ଦ୍‍ କଲ୍ୟାଣ ମଣ୍ଡପରେ ହୋଇଥିଲା। ସେହିପରି ଭୁବନେଶ୍ୱରରେ ବୁଦ୍ଧ ଭବନ ଓ ଚକେଇସିଆଣିର ଶ୍ରୀରାମ ନଗରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କଟକରେ ରକ୍ତଦାନ ଶିବିରକୁ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‍ଘାଟନ କରିଥିବା ବେଳେ ଭୁବନେଶ୍ୱରରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନା ଉଦ୍‍ଘାଟନ କରିଥିଲେ।

ଓଡ଼ିଶାର ୪କୋଟି ୨୦ଲକ୍ଷ ଲୋକଙ୍କ ପାଇଁ ୧ ପ୍ରତିଶତ ହାରରେ ବର୍ଷକୁ ୪ଲକ୍ଷ ୨୦ ହଜାର ୟୁନିଟ୍‍ ରକ୍ତର ଆବଶ୍ୟକତା ଅଛି। ବିଭିନ୍ନ ଶିବିରରୁ ବର୍ଷକୁ ୨ଲକ୍ଷରୁ ଅଧିକ ୟୁନିଟ୍‍ ରକ୍ତ ସଂଗ୍ରହ ହେଉଥିବା ବେଳେ ୨୦୧୫ ମାର୍ଚ୍ଚରୁ ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୯୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିଛି।

ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଆଞ୍ଚଳିକ ରାଜନୈତିକ ଦଳ ଏଭଳି ସାମାଜିକ କାର୍ଯ୍ୟ କରିବା ସାରା ବିଶ୍ୱରେ ପ୍ରଥମ। କେବଳ ରକ୍ତ ସଂଗ୍ରହରେ ରେକର୍ଡ ନୁହେଁ, ଏହା ମାଧ୍ୟମରେ ସାମାଜିକ ଓ ସାଂସ୍କୃତିକ ସ୍ତରରେ ରକ୍ତଦାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

Comment