ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି ଭୁବନେଶ୍ୱର-ଉତ୍ତର ଲାଗି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଯାହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

ଅପରାଜିତାଙ୍କ ଲାଗି ନିର୍ବାଚନ ଲଢ଼ି ଜିତିବା ଟିକେ କଷ୍ଟ ହୋଇପାରେ। କାରଣ ଅପରାଜିତା ୨୦୧୪ ନିର୍ବାଚନ ବେଳେ କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ିଥିଲେ। ମାତ୍ର ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ସେ ପରାଜିତ ହୋଇଥିଲେ। ଯାହାର କିଛି ମାସ ପରେ ସେ କଂଗ୍ରେସର ହାତ ଛାଡ଼ି ଦେଇଥିଲେ।

ଘଟଣାଚକ୍ରରେ ସେ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ସେଠାରେ ସେ ଷ୍ଟାର ପ୍ରଚାରକ ଭାବେ ପ୍ରଚାର ବି କରିଥିଲେ। ଏବେ ତାଙ୍କୁ ଦଳ ବିଧାନସଭା ଲାଗି ପ୍ରାର୍ଥୀ କରିଛି ଭୁବନେଶ୍ୱର-ଉତ୍ତରରୁ।

ବିଜେଡି ଓ କଂଗ୍ରେସ ଏ ଯାଏଁ ଭୁବନେଶ୍ୱର-ଉତ୍ତର ଲାଗି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏହି ଆସନରୁ ଅପରାଜିତାଙ୍କ ଲଢେଇ କାହା ସହ ହେବ ସେ ନେଇ ମଧ୍ୟ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି।

ଅପରାଜିତା ଯେଉଁ ଆସନରୁ ନିର୍ବାଚନ ଲଢିବେ ସେହି ଆସନ ପୂର୍ବରୁ ବିଜେଡିର ଗଡ଼ ରହିଆସିଛି। ଭୁବନେଶ୍ୱର-ଉତ୍ତରରୁ ୨୦୦୯ରେ ବିଜେଡିର ରଘୁନାଥ ବଡ଼ଜେନା, ୨୦୧୪ ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ସେଠାରୁ ନିର୍ବାଚନ ଲଢ଼ି ବିଧାୟକ ଅଛନ୍ତି।

ଫିଲ୍ମ କ୍ୟାରିୟରରେ ଅନେକ ସଫଳତା ହାତେଇଥିବା ଅପରାଜିତା ମହାନ୍ତି ରାଜନୀତିରେ ସେମିତି ଆଖିଦୃଶିଆ ସଫଳତା ପାଇନାହାନ୍ତି।  ତେବେ ୨୦୧୯ ନିର୍ବାଚନରେ ସେ ପ୍ରଥମଥର ଲାଗି ବିଜେପିରୁ ଲଢ଼ିବାକୁ ଯାଉଛନ୍ତି। ଦେଖିବାକୁ ବାକି ରହିଲା ଏଥର ତାଙ୍କ ସପକ୍ଷରେ ଜନମତ ଯାଉଛି କି ନାହିଁ।

Comment