ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେଡି ସାଧାରଣ ମହିଳାଙ୍କୁ ବି ପ୍ରାର୍ଥୀ କରିପାରେ। ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ବେଳେ ଆଜି ଏହି ସଙ୍କେତ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଆସ୍କା ଲୋକସଭା ଆସନରୁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ନବୀନ ନିର୍ବାଚନୀ ବାତାବରଣକୁ ଗରମ କରିଛନ୍ତି।
ପ୍ରମିଳା ହେଉଛନ୍ତି ଆସ୍କା ଲୋକସଭା ଆସନର ଅଧିବାସୀ। ନଳବନ୍ତ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା। ସେ ୧୮ ବର୍ଷ ହେଲା ଏସ୍ଏଚଜି ଗ୍ରୁପରେ କାମ କରି ଆସୁଛନ୍ତି। ତାଙ୍କୁ ନବୀନ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛନ୍ତି।
ପ୍ରମିଳାଙ୍କୁ ପ୍ରାର୍ଥୀ କରି ମହିଳା ଭୋଟରଙ୍କ ଉପରେ ନଜର ପକାଇଛନ୍ତି ନବୀନ। ଜଣେ ସାଧାରଣ ମହିଳାଙ୍କୁ ପ୍ରାର୍ଥୀ କରି ବିରୋଧୀଙ୍କୁ ଅକଳିଆରେ ପକାଇଛନ୍ତି ନବୀନ।
‘‘ମୁଁ ବେଶୀ ପାଠ ପଢ଼ିନି। ସେତେବେଳ କାଳରେ ମୁଁ ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଛି। ମତେ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ’’, କହିଛନ୍ତି ପ୍ରମିଳା ବିଷୋୟୀ।
୩୩ ପ୍ରତିଶତ ମହିଳାଙ୍କୁ ଏଥର ଟିକେଟ ଦିଆଯିବ ବୋଲି ନବୀନ ପୂର୍ବରୁ ଘୋଷଣା କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। କୋରାପୁଟରୁ କୌଶଲ୍ୟା ହିକକା, ସୁନ୍ଦରଗଡ଼ରୁ ସୁନିତା ବିଶ୍ୱାଳ ଏବଂ ଆସ୍କାରୁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ।

















