ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୫୨ ମସିହାରେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନ ହୋଇଥିଲା। କିନ୍ତୁ ଏହାର କିଛି ମାସ ପୂର୍ବରୁ ମୁମ୍ବାଇର ବିକ୍ରୋଲିରେ କିଛି ଶ୍ରମିକମାନେ ଇତିହାସ ରଚିଥିଲେ। ଏଠାରେ ଗୋଦରେଜ୍ ଏବଂ ବୟସି କମ୍ପାନିର ପ୍ଲାଣ୍ଟରେ ନିୟୋଜିତ ଶ୍ରମିକଙ୍କୁ ପ୍ରଥମ ନିର୍ବାଚନ ପାଇଁ ବାଲାଟ ବକ୍ସ ପ୍ରସ୍ତୁତ କରିବାକୁ ପଡ଼ିଥିଲା।

ବାଲାଟ ବକ୍ସ ପ୍ରସ୍ତୁତ ପାଇଁ ଶ୍ରମିକମାନେ କିଛି ସର୍ତ୍ତ ରଖିଥିଲେ। ଯେଉଁ ବାଲାଟ ବକ୍ସ ପ୍ରସ୍ତୁତ କରିବୁ ତାହାକୁ ନିର୍ବାଚନରେ ବ୍ୟବହାର କରାଯିବ ବୋଲି ଶ୍ରମିକଙ୍କ ଦାବି ଥିଲା। ସର୍ତ୍ତ  ଅନୁସାରେ ବାଲାଟ ବକ୍ସ ପ୍ରସ୍ତୁତ କରିବାକୁ ଶ୍ରମିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଟିଓଆଇ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନିରେ କାର୍ଯ୍ୟରତ ଶ୍ରମିକ ୪ ମାସ ଭିତରେ ୧୨.୮୩ ଲକ୍ଷ ବାଲାଟ ବକ୍ସ ପ୍ରସ୍ତୁତ କରିଥିଲେ। ୧୯୫୧ ଡିସେମ୍ବର ୧୫ରେ ‘ବମ୍ବେ କ୍ରୋନିକଲ’ ନାମକ ଏକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁସାରେ ଗୋଟିଏ ଦିନରେ ପାଖାପାଖି ୧୫ ହଜାର ବାଲାଟ୍ ବକ୍ସ ପ୍ରସ୍ତୁତ ହେଉଥିଲା।

ଗୋଦରେଜ୍ କମ୍ପାନିର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବାଲାଟ୍ ବକ୍ସ ପ୍ରସ୍ତୁତ ସତ୍ୱେ କମ୍ପାନି ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। କମ୍ପାନିକୁ ୧୨.୨୪ ଲକ୍ଷ ବାଲାଟ ବକ୍ସ ତିଆରି କରିବାକୁ ନିର୍ଦ୍ଦେଶ ଥିଲାବେଳେ ଶ୍ରମିକମାନେ ଫ୍ୟାକ୍ଟ୍ରିରେ ୧୨.୮୩ ଲକ୍ଷ ବାଲାଟ ବକ୍ସ ପ୍ରସ୍ତୁତ କରିଥିଲେ। ଅନ୍ୟ କମ୍ପାନୀକୁ ମଧ୍ୟ ଏହି କାମ ପାଇଁ ଅର୍ଡର ଦିଆଯାଇଥିଲା, କିନ୍ତୁ କାମ ସମ୍ପୂର୍ଣ୍ଣ ନହେବାରୁ ଗୋଦରେଜ ଏହାକୁ ପ୍ରସ୍ତୁତ କରିଥିଲା।

ଗୋଟିଏ ବାଲାଟ୍ ବକ୍ସ ପାଇଁ ୫ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୫୦ଟି ଡିଜାଇନର ନିର୍ମିତ ହୋଇଥିଲା। ୧୯୫୨ ମସିହା ଫେବୃଆରୀ ମାସରେ ସମସ୍ତ ବାଲାଟ ବକ୍ସକୁ ରେଲୱେ ବଗିରେ ୨୨ଟି ରାଜ୍ୟକୁ ପଠାଯାଇଥିଲା।

Comment