ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ହୋଲି ରଙ୍ଗରେ ମତୁଆଲା ହୋଇଛନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ। ବିଗ୍‌-ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ପରଦାରେ ଖିବ୍ ନିଆରା ଢଙ୍ଗରେ ହୋଲି ପାଳିଛନ୍ତି।

ତରଙ୍ଗର ଉତ୍ସବ ହେଉଛି ‘ହୋଲି’। ରୂପେଲି ପରଦାରେ ବି ନିର୍ଦ୍ଦେଶକମାନେ ହୋଲିର ମାହୋଲ୍ ତିଆରିକରି ଦର୍ଶକଙ୍କର ମନୋରଞ୍ଜନ କରିବାରେ ସଫଳ ହୋଇଛନ୍ତି। କେତେବେଳେ ନାୟକ-ନାୟିକାଙ୍କ ପ୍ରେମକୁ ଦେଖାଇବା ଲାଗି ଫିଲ୍ମରେ ହୋଲି ଦୃଶ୍ୟ ରଖାଯାଇଛି ତ ପୁଣି କେତେବେଳେ ହୋଲି ସମୟରେ ଖଳନାୟକର କାରନାମା ଦେଖାଇଛନ୍ତି।

ଆସନ୍ତୁ ସେଭଳି କିଛି ହିନ୍ଦୀ ସିନେମାର ହୋଲି ଦୃଶ୍ୟ କଥା ମନେପକାଇବା…

ଆଦିତ୍ୟ ଚୋପ୍ରାଙ୍କ ସୁପରହିଟ୍ ଫିଲ୍ମ ‘ମୋହବତେଁ’ରେ ଅମିତାଭ ବଚ୍ଚନ ମୁଣ୍ଡରେ ଶାହରୁଖ ଖାନ୍ ହୋଲିର ଫଗୁ ଦେଉଥିବା ଏକ ଅତ୍ୟନ୍ତ ଭାବପ୍ରବଣାତ୍ମକ ଦୃଶ୍ୟ ବୋଲି ବିବେଚନା କରାଯାଏ। କାହାଣୀ ଅନୁଯାୟୀ ଖୁବ୍ ଶୃଙ୍ଖଳିତ ଅମିତାଭ ବଚ୍ଚନ ତାଙ୍କର ଗୁରୁକୁଳରେ ପିଲାମାନଙ୍କୁ ହୋଲି ପାଇଁ କୌଣସି ବର୍ଷ ଅନୁମତି ଦିଅନ୍ତି ନାହିଁ। ହେଲେ ଯେତେବେଳେ ଶାହାରୁଖଙ୍କ ପିଲାମାନେ ହୋଲି ମନାଇବା ପାଇଁ ବୋଲି ଅମିତାଭଙ୍କୁ କୁହନ୍ତି, ସେତେବେଳେ ବିଗ୍ ବି ଉତ୍‌କ୍ଷିପ୍ତ ହୋଇ, ଯେଉଁମାନଙ୍କର ଇଛା, ସେମାନେ ଗୁରୁକୁଳ ବାହାରେ ଯାଇ ହୋଲି ଖେଳିପାରିବେ ବୋଲି କୁହନ୍ତି। କିନ୍ତୁ ଶାହାରୁଖଙ୍କ ହାତରୁ ଫଗୁ ନେଇ ‘ହୋଲି’ର ମର୍ଯ୍ୟାଦାକୁ ସମ୍ମାନ ଦେଇଥିଲେ।

ବିଗ୍‌ ବି ଅମିତାଭ ବଚ୍ଚନ ଓ ଡ୍ରିମ୍‌ ଗାର୍ଲ୍‌ ହେମାମାଳିନୀଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର ‘ବାଗବାନ’ରେ ମଧ୍ୟ ହୋ‌ଲିର ଏକ ଗୀତ ଶ୍ରୋତାଙ୍କର ବେଶ୍‌ ପସନ୍ଦ। ଗୀତଟି ହେଉଛି ‘ହୋଲି ଖେଲେ ରଘୁବୀରା’, ଯେଉଁଥିରେ ଅମିତାଭ ବଚ୍ଚନ ହେମାମାଳିନୀ ଓ ନିଜ ପରିବାର ସହ ହୋଲି ପାଳନ କରୁଛନ୍ତି। ଏହି ଗୀତର ତାଳେ ତାଳେ ବିଗ୍‌ ବି ଝୁମିଛନ୍ତି ତାଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସାଙ୍ଗରେ।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ସିନେମା ‘ଗୋଲିଓଁ କି ରାସଲୀଳା-ରାମ୍ ଲୀଳା’ରେ ହୋଲି ଦୃଶ୍ୟକୁ ବି ସହଜରେ ଭୁଲି ପାରିନାହାନ୍ତି ଆଜିକାର ସିନେପ୍ରେମୀ। ଏହି ହୋଲି ଉତ୍ସବରେ ନାୟକ ନାୟିକାଙ୍କର ପ୍ରଥମ ସାକ୍ଷାତ ହେଉଥିବା ଫିଲ୍ମରେ ଦର୍ଶାଯାଇଛି। ଏହାକୁ ଅଧିକ ରଙ୍ଗୀନ କରାଇବା ଲାଗି ‘ଲହୁ ମୁହଁଲଗ୍ ଗୟା…’ ଗୀତ ରଖାଯାଇଥିଲା। ଏହି ହୋଲି ଦୃଶ୍ୟରେ ନାୟକ ରଣବୀର ସିଂହ ଓ ନାୟିକା ଦୀପିକା ପାଦୁକୋନ୍‌ଙ୍କ ଉପରେ ଏକ ଲିପ୍-ଟୁ-ଲିପ୍ କିସ୍ ସିନ୍ ବି ଥିଲା।

ଠିକ୍ ସେହିପରି ରଣବୀର କପୁର, ଦୀପିକା ପାଦୁକୋନ୍ ଓ କଲ୍‌କି କୋଚିଲିନ୍ ଷ୍ଟାରର୍‌ ମୁଭି ‘ୟେ ଦିୱାନି ହେ ଦିୱାନି’ରେ ଥିବା ହୋଲି ସିକୁଏନ୍ସ ଟିନ୍‌ଏଜରମାନଙ୍କ ସବୁଠୁ ଅଧିକ ପସନ୍ଦ ବୋଲି କୁହାଯାଉଛି। ବିଶେଷକରି ଏଥିରେ ଥିବା ହୋଲି ଗୀତ ’ବଲମ୍ ପିଚକାରି…’ ଏବେ ଅଧିକାଂଶ ହୋଲି ସେଲିବ୍ରେସନ ଅନ୍ୟତମ ଆକର୍ଷଣ ହୋଇରହୁଛି। ଏହି ହୋଲି ଦୃଶ୍ୟ ପରେ ହିଁ ନାୟିକା ନୈନା (ଦୀପିକା) ନାୟକ ବନ୍ନି (ରଣବୀର)ଙ୍କ ପ୍ରତି ଥିବା ନିଜର ଭଲପାଇବାକୁ ଜାଣିପାରୁଛି।

ଅକ୍ଷୟ କୁମାର ଓ ଭୂମି ପେଡେନକର ଅଭିନୀତ ସାମାଜିକ ସମସ୍ୟା ଉପରେ ଆଧାରିତ ଥିଲା ‘ଟଏଲେଟ୍ ଏକ୍ ପ୍ରେମ୍ କଥା’। ଏଥିରେ ବି ଏକ ହୋଲି ଦୃଶ୍ୟ ଥିଲା। ନିଜ ଘରେ ଶୌଚାଳୟ ନଥିବା ହେତୁ ପତ୍ନୀ (ଭୂମି) ବାପଘରକୁ ଚାଲିଯାଇଥିଲେ। ଏହାପରେ ଅକ୍ଷୟ କୁମାର ପତ୍ନୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ହୋଲି ମନାଇଥିଲେ। ତାହାକୁ ଦେଖାଇବା ପାଇଁ ନିର୍ଦ୍ଦେଶକ ଫିଲ୍ମ ମଥୁରାର ହୋଲି ସେଲିବ୍ରେସନର ସହାୟତା ନେଇଥିଲେ। ଏଥିରେ ଏକ ହୋଲି ଗୀତ ‘ଲାଥ୍ ମାର୍.. ‘ ମଧ୍ୟ ଥିଲା।

‘ଜଲି ଏଲଏଲବି-୨’ ବି ଏଭଳି ଏକ ହିନ୍ଦୀ ସିନେମା, ଯେଉଁଥିରେ ହୋଲି ସିନ୍ ଦେଖିବାକୁ ମିଳିଥିଲା। ଏଥିରେ ଥିଲା ଏକ ହୋଲି ଗୀତ ‘ଗୋ ପାଗଲ୍…’। ଏହି ଫିଲ୍ମର କାହାଣୀ ଏହି ହୋଲି ଗୀତ ପରେ ନୂଆ ମୋଡ଼ ନିଏ। ଏହାପରେ ଭିନା (ସଲାନୀ ଗୁପ୍ତା) ହୃଦୟଙ୍ଗମ କରେ ଯେ ସେ ଜଗଦୀଶ୍ଵର ମିଶ୍ର (ଅକ୍ଷୟ କୁମାର)ଙ୍କ ଦ୍ଵାରା ପ୍ରତାରିତ ହୋଇଛି। ଭିନା ତା’ ପରେ ଜଗଦୀଶ୍ଵରଙ୍କୁ ଚାଲେଞ୍ଜ୍ କରିଛି ଓ ସତ୍ୟ ପାଇଁ ଲଢ଼ିବା ପାଇଁ କହିଛି। ଏହାପରେ ଜଗଦୀଶ୍ଵର (ଅକ୍ଷୟ କୁମାର) ସେହି ମାମଲା ଲଢ଼ିବାକୁ ରାଜି ହୋଇଛନ୍ତି। ଶେଷରେ ଜଗଦୀଶ୍ଵର ସେଥିରେ କିପରି ସଫଳ ହୋଇଛନ୍ତି, ତାହା ଦେଖିବାକୁ ମିଳିଛି ଫିଲ୍ମ ‘ଜଲି ଏଲଏଲବି-୨’ରେ।

Comment