ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁର ଲୋକସଭା ଆସନରେ ଚିତ୍ର ସ୍ପଷ୍ଟ। ଏଥର ଜମିବ ଲଢ଼େଇ। କାରଣ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ତିନି ମାଝି। କଂଗ୍ରେସର ପ୍ରଦୀପ ମାଝି, ବିଜେଡିର ରମେଶ ମାଝି ଏବଂ ବିଜେପିର ବଳଭଦ୍ର ମାଝିଙ୍କ ଭିତରେ ଏଥର କଡ଼ା ଟକ୍କର ହେବ।

ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ତିନି ମାଝି କେହି କାହାକୁ କମ୍ ନୁହନ୍ତି। ସମସ୍ତେ ରାଜନୀତିରେ ଜଣେ ଜଣେ ପୋଖତ ଖେଳାଳି। ଭୋଟରଙ୍କୁ କାବୁ କରି କେମିତି ନିର୍ବାଚନ ବୈତରଣୀ ପାର୍ ହେବେ ସେ କଳା ବେଶ୍ ମାଲୁମ ଏହି ତିନି ମାଝିଙ୍କୁ।

ନବରଙ୍ଗପୁର ଲୋକସଭା କ୍ଷେତ୍ରରୁ ବାଜି ମାରିବା ପାଇଁ ଏହି ତିନି ମାଝି ଜୋରଦାର ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି। ଏବେ ଦେଖିବାର କଥା ଏହି ତିନି ଜଣଙ୍କ ଭିତରୁ କିଏ ବାଜି ମାରୁଛନ୍ତି।

ଗୋଟି ଚାଳନାରେ ମାହିର ପ୍ରଦୀପ ମାଝି

କଂଗ୍ରେସ ଯୁବ ନେତା ପ୍ରଦୀପ ମାଝି ନିର୍ବାଚନ ମଇଦାନରେ ଗୋଟି ଚାଳନାରେ ମାହିର୍। ୨୦୦୯ ନିର୍ବାଚନରେ ପ୍ରଦୀପ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଆଉ ଜତି ବି ଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଖାସ୍ ଅନୁଗତ କୁହାଯାଉଥିବା ପ୍ରଦୀପ ୨୦୧୪ରେ ପାଇଥିଲେ କଂଗ୍ରେସ ଟିକେଟ। ହେଲେ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ।

ପରାଜିତ ହେବା ପରେ ପ୍ରଦୀପ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲାଗିପଡ଼ିଲେ। ଆଦିବାସୀଙ୍କ ହକ୍ ପାଇଁ ବାରମ୍ବାର ରାଜରାସ୍ତାକୁ ଆସିଥିବା ପ୍ରଦୀପ ପୁଣି ଥରେ କଂଗ୍ରେସ ଟିକେଟ ନେଇଛନ୍ତି। ଇତିମଧ୍ୟରେ ପ୍ରଦୀପ ପ୍ରାର୍ଥିପତ୍ର ଦାଖଲ ମଧ୍ୟ କରିଛନ୍ତି। ପ୍ରଦୀପ ଏବେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି।

ଲୋକସଭା କ୍ଷେତ୍ରରେ ନୂଆ ରମେଶ

ନବରଙ୍ଗପୁର ଲୋକସଭା ଆସନ ପାଇଁ ରମେଶ ମାଝି ନୂଆ ମୁହଁ ହୋଇଥିଲେ ମଧ୍ୟ ରାଜନୀତିରେ ସେ ଜଣେ ଭଲ ଖେଳୁଆଡ। ଝରିଗାଁ ବିଧାନସଭା ଆସନରୁ ଲଗାତାର ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ରହିଥିଲେ ରମେଶ। ଏବେ ତାଙ୍କୁ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି।

କଂଗ୍ରେସର ଯୁବ ତଥା ଟାଣୁଆ ନେତା ପ୍ରଦୀପ ମାଝିଙ୍କୁ ଏଥର ମୁକାବିଲା କରିବେ ରମେଶ। ଝରିଗାଁ ବିଧାନସଭା ଆସନରୁ ସଫଳତା ପାଇ ଆସୁଥିବା ରମେଶ ଏଥର ଲୋକସଭାରେ ସଫଳ ହେଉଛନ୍ତି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

ଦଳ ବଦଳାଇ ବିଜେପି ଟିକେଟ ହାତେଇଲେ ବଳଭଦ୍ର

୨୦୧୪ ନିର୍ବାଚନରୁ ରାଜନୀତି ଇନିଂସ୍ ଆରମ୍ଭ କରିଥିଲେ ବଳଭଦ୍ର ମାଝି। ରେଲଓ୍ୱେ ଇଞ୍ଜିନିୟରିଂ ଚାକିରି ଛାଡ଼ି ସେ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ପ୍ରଦୀପ ମାଝିଙ୍କୁ ପରାସ୍ତ କରି ଲୋକସଭା ଯାଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ବଳଭଦ୍ର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେପି ମଧ୍ୟ ଟିକେଟ ଦେଇଛି।

ବଳଭଦ୍ର ଟିକେଟ ପାଇବା ପରେ ଏବେ ନବରଙ୍ଗପୁର ବିଜେପିରେ ଟେନସନ ବଢ଼ିଛି। ଗତ ଥର ପ୍ରାର୍ଥୀ ହୋଇଥିବା ପର୍ଶୁରାମ ମାଝିଙ୍କୁ ଟିକେଟ ଦେଇ ନଥିବାରୁ ବଳଭଦ୍ରଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Comment