ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଆଧୁନିକ ଭାରତୀୟ ସଭ୍ୟତା ପର୍ଯ୍ୟନ୍ତ ନାରୀର ଆଭୂଷଣ ଭାବେ ଶଙ୍ଖା ଓ ଚୁଡ଼ିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଭାରତୀୟ ନାରୀ ଶଙ୍ଖାକୁ ଅତି ଆଦର ସହିତ ପରିଧାନ କରିଥାନ୍ତି। ପାରମ୍ପରିକ ତଥା ଆଧୁନିକ ଚୁଡ଼ି ଓ ଶଙ୍ଖାର ଆଦର ଆମ ରାଜ୍ୟର ନାରୀମାନଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥାଏ। ଏହାଛଡ଼ା ମଧ୍ୟ ରାଜସ୍ଥାନୀ ଚୁଡ଼ି ଓ ଶଙ୍ଖାର ଆଦର ରାଜ୍ୟରେ ବହୁଳ ଭାବରେ ଦେଖାଯାଇଥାଏ। ସୁଦୂର ରାଜସ୍ଥାନରୁ ଆସିଥିବା ଶଙ୍ଖାରୀମାନେ ବହୁ ଦିନ ଧରି କଟକରେ ଲାଖ ପ୍ରଲେପଯୁକ୍ତ ଶଙ୍ଖା ପ୍ରସ୍ତୁତ କରୁଛନ୍ତି। ଏହାଛଡ଼ା ସହରର ଚୂନ ଭାଟି ଅଞ୍ଚଳରେ ମଧ୍ୟ କିଛି କାରିଗର ରାଜସ୍ଥାନୀ ଶଙ୍ଖା ତିଆରି କରି ଜୀବିକା ନିର୍ବାହ କରୁଛନ୍ତି। ପୂର୍ବେ ଓଡ଼ିଶାରେ ରାଜସ୍ଥାନୀ ଶଙ୍ଖାକୁ ମାଟି ଶଙ୍ଖା କୁହାଯାଉଥିଲା ବୋଲି ଶଙ୍ଖା କାରିଗର ଦୌଲତ ବିବି କହିଛନ୍ତି।

କଟକର ବାଙ୍କାବଜାର ଅଞ୍ଚଳରେ ରହିଛି ସୁହାଗନ ବାଙ୍ଗେଲସ୍। ଏହାର ମାଲିକ ସାଦିକ୍ ମନିହାର୍। ପୂର୍ବ ପୁରୁଷ ରାଜସ୍ଥାନରୁ ଆସି ଏଠାରେ ଶଙ୍ଖା ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ବିଭିନ୍ନ କିସମର ରଙ୍ଗ ବେରଙ୍ଗର ଶଙ୍ଖାରେ ଲାଖର ପ୍ରଲେପ ଦେଇ ଆକର୍ଷଣ କରିବା ସହିତ ଏହାର ବିକ୍ରୟ କରିବା ତାଙ୍କର ପୈତୃକ ପେସା। ୫ ପିଢ଼ି ହେଲା ଏହା ସେମାନଙ୍କର କୈାଳିକ ବୃତ୍ତି। ଲାଖଯୁକ୍ତ ଶଙ୍ଖା, ସୁନା ଅଳଙ୍କାରରେ ଲାଖ ଫିଲିଙ୍ଗ, ବିବାହ ଶଙ୍ଖା ଗଢ଼ିବା ସେମାନଙ୍କ ଦୈନନ୍ଦିନ ଜୀବିକା। ଏଥିପାଇଁ ଏମାନଙ୍କୁ ଦୈନିକ ୧୨ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥାଏ।

ବୃକ୍ଷରୁ ସଂଗୃହୀତ ହେଉଥିବା ଲାଖକୁ ଶୋଧନ କରି ଏଥିରେ ରଙ୍ଗ ମିଶ୍ରଣ କରାଯାଇ ପାଗ ପ୍ରସ୍ତୁତ କରାଯାଏ। ଉକ୍ତ ପାଗକୁ କାଠିରେ ଲଗାଇ ନିଆଁ ଭାଟିରେ ଗରମ କରାଯାଏ। ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଶଙ୍ଖାରେ ଏହି ପ୍ରଲେପକୁ ମିଶ୍ରଣ କରାଯାଇ ଆକର୍ଷଣୀୟ କରାଯାଏ। ଶଙ୍ଖାକୁ ଅଧିକ ମନଲୋଭା କରିବା ପାଇଁ ଏଥିରେ ଷ୍ଟୋନ୍ ବସାଯାଇଥାଏ।

ଲାଖ ଶଙ୍ଖାର ଯୋଡ଼ି ୫୦ରୁ ଆରମ୍ଭ କରି ୫୦୦ ଟଙ୍କା ମଧ୍ୟରେ ରହିଛି। ଏଥିରେ ବସାଯାଉଥିବା ସାଧାରଣ ଷ୍ଟୋନର ଦାମ ୫୦ରୁ ୧୦୦ ଟଙ୍କା ହୋଇଥିବା ବେଳେ ଉନ୍ନତମାନର ଷ୍ଟୋନର ଦାମ୍ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ରହିଛି।

ରାଜ୍ୟରେ ବିଶେଷକରି ରଜ, ସାବିତ୍ରୀ, ବିବାହ, ବ୍ରତ ଓ ଅନ୍ୟାନ୍ୟ ପାର୍ବଣ ଋତୁରେ ଏହି ଶଙ୍ଖାର ଚାହିଦା ଅଧିକ। ବିବାହିତା ମହିଳାଙ୍କ ସମେତ ଯୁବପିଢ଼ିର ଝିଅମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରିଛନ୍ତି। ସେହିପରି ଟେଲିଭିଜନ ଧାରାବାହିକରେ ଅଭିନେତ୍ରୀମାନେ ରାଜସ୍ଥାନୀ ଶଙ୍ଖାକୁ ତାଙ୍କ ଚରିତ୍ରରେ ପରିଧାନ କରିଥାନ୍ତି। ଏହାଛଡ଼ା ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜୁରାଟରେ ମଧ୍ୟ ଏହି ଶଙ୍ଖାର ବିଶେଷ ଆଦର ରହିଛି।

ସଂପ୍ରତି ଏହି କୁଟୀର ଶିଳ୍ପରେ ବହୁ ସମସ୍ୟା ଦେଖାଦେଇଛି। ଆବଶ୍ୟକ ପରିମାଣର କଞ୍ଚାମାଲ ଓଡ଼ିଶାରେ ଉପଲବ୍ଧ ହେଉନାହିଁ। ପଶ୍ଚିମବଙ୍ଗରୁ ଲାଖ, ଫିରୋଜାବାଦରୁ କାଚ, କୋଲକତା ଓ ମୁମ୍ବାଇରୁ ପଥର ସଂଗ୍ରହ କରାଯାଇଥାଏ। ଏହି କଞ୍ଚାମାଲ ଅଭାବ ସାଙ୍ଗକୁ ରାଜ୍ୟରେ ଶଙ୍ଖା ବିକ୍ରୟ ପାଇଁ ମଧ୍ୟ ବଜାରରେ ଅଭାବ ରହିଛି ବୋଲି ଶଙ୍ଖା କାରିଗରମାନେ କହିଛନ୍ତି। ରାଜ୍ୟର ଏହି କୁଟୀର ଶିଳ୍ପ ସମ୍ବନ୍ଧରେ ଜ୍ଞାନ ଥିବା କାରିଗରଙ୍କ ସଂଖ୍ୟା ନଗଣ୍ୟ। ପରିବାରର ଯୁବପିଢ଼ି ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଏହି ବୃତ୍ତିକୁ ଶିକ୍ଷା କରିଥାନ୍ତି।  ନିଆଁ ଭାଟି ସମ୍ମୁଖରେ ୧୨ ଘଣ୍ଟା ବସିବା ସହିତ ଏଥିରୁ ସ୍ୱଳ୍ପ ଆୟ ଉପାର୍ଜିତ ହେଉଥିବା ଯୋଗୁଁ  ଯୁବପିଢ଼ି ଏହି କୌଳିକ ବୃତ୍ତିକୁ ଶିଖିବା ପାଇଁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି।

ରାଜ୍ୟ ସରକାର କଞ୍ଚାମାଲ ସୁବନ୍ଦୋବସ୍ତ କରିବା, ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବା, ବିକ୍ରୟ ପାଇଁ ବଜାର ସୃଷ୍ଟି କରିବା ଓ କଳା ପ୍ରତି ଜନ ସଚେତନତା ସୃଷ୍ଟି କରିପାରିଲେ କ୍ରମଶଃ ଲୁପ୍ତ ହୋଇଯାଉଥିବା ଏହି କୁଟୀର ଶିଳ୍ପର ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇାପାରିବ ବୋଲି ଶଙ୍ଖା କାରିଗରମାନେ ମତ ପ୍ରକାଶ କରିଛନ୍ତି।

Comment