ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଭର୍ତ୍ତୃହରିଙ୍କ ଜାଗାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେବାକୁ ଯୋଜନା କରୁଛି ବିଜେଡି।

ଏବେ ଚର୍ଚ୍ଚାରେ କଟକ ଲୋକସଭା ଆସନ। ଏହି ଆସନ ପାଇଁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ପଛରେ ପଡ଼ି ଯାଇଛି। ଏହି ଆସନରୁ ଦଳ କାହାକୁ ଟିକେଟ ଦେବ ତାକୁ ନେଇ ମାନସମାନ୍ଥନ ଚାଲିଛି।

ଚାରି ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଦଳ ପୁଣି ଭରସା କରିବ ନା ନୂଆ ମୁହଁକୁ ଏଠାରୁ ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

୧୯୯୮ରୁ ଭର୍ତ୍ତୃହରି ଏଯାବତ୍ କଟକର ସାଂସଦ ରହି ଆସିଛନ୍ତି। ପୁଣିଥରେ କଟକ ପାଇଁ ଟିକେଟ ନେବାକୁ ଭର୍ତ୍ତୃହରି ଗୋଟି ଚାଳନା କରୁଛନ୍ତି। ହେଲେ ତୃଣମୂଳସ୍ତର ଏବଂ ତୃତୀୟ ମହଲା ସହ ଭର୍ତ୍ତୃହରିଙ୍କର ଭଲ ସମ୍ପର୍କ ନଥିବାରୁ ସେ ଟିକେଟ ଦୌଡ଼ରୁ ବାଦ୍ ପଡ଼ି ପାରନ୍ତି ବୋଲି କୁହାଯାଉଛି।

ଭର୍ତ୍ତୃହରିଙ୍କ ଜାଗାରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଫିଟ୍ କରିବାକୁ ବିଜେଡି ମ୍ୟାନେଜରମାନେ ଅଙ୍କ କଷୁଛନ୍ତି।

କନ୍ଧମାଳ ଫର୍ମୁଲା କଟକରେ!

ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଲୋକସଭା ଆସନ କଟକରେ କନ୍ଧମାଳ ଫର୍ମୁଲା ପ୍ରୟୋଗ କରିବାକୁ ବିଜେଡି ମ୍ୟାନେଜରମାନେ ଚିନ୍ତା କରୁଛନ୍ତି। ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଟିକେଟ କାଟି ଯେମିତି କିସ୍ ଏବଂ କିଟ୍ ପ୍ରତିଷ୍ଠା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦିଆଗଲା ଠିକ୍ ସେମିତି ଭର୍ତ୍ତୃହରିଙ୍କ ଜାଗାରେ ସୌମ୍ୟରଞ୍ଜନଙ୍କୁ ଫିଟ୍ କରିବା ଲାଗି ବିଜେଡି ଚାହୁଁଥିବା ଚର୍ଚ୍ଚା ହେଉଛି।

ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଞ୍ଜନ ଗୋଟିଏ ଦିନରେ ହିଁ ବିଜେଡିରେ ସାମିଲ ହୋଇଥିଲେ। ଦଳରେ ମିଶୁ ମିଶୁ ଉଭୟଙ୍କୁ ରାଜ୍ୟସଭା ପଠାଇଥିଲେ ବିଜେଡି ସୁପ୍ରିମୋ। କନ୍ଧମାଳର ଆଦିବାସୀ ଭୋଟ ହାତେଇବା ପାଇଁ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ତୃଣମୂଳ ସ୍ତରର ଲୋକଙ୍କ ସହ ପ୍ରତ୍ୟୁଷାଙ୍କର ସମ୍ପର୍କ ନଥିବାରୁ ତାଙ୍କ ଜାଗାରେ ଅଚ୍ୟୁତଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଭର୍ତ୍ତୃହରିଙ୍କ ଟିକେଟ କାଟିବାକୁ ଯୋଜନା କରୁଛନ୍ତି ବିଜେଡି ମ୍ୟାନେଜର। ସୌମ୍ୟରଞ୍ଜନଙ୍କର ଅବଶ୍ୟ କଟକରେ କୌଣସି ରାଜନୀତି ସଙ୍ଗଠନ ନାହିଁ। ହେଲେ ଭର୍ତ୍ତୃହରିଙ୍କଠାରୁ ସେ ଭଲ ବୋଲି ବିଜେଡି ମ୍ୟାନେଜର ଧରି ନେଇଛନ୍ତି।

ବିଭିନ୍ନ ସାମାଜିକ ସଙ୍ଗଠନ ସହ ସୌମ୍ୟରଞ୍ଜନଙ୍କର ସମ୍ପର୍କ ରହିଥିବାରୁ ଏବଂ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ କଟକ ଲୋକସଭା ଅଧିନରେ ରହିଥିବାରୁ ସୌମ୍ୟ ଉପଯୁକ୍ତ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଛି।

ସୌମ୍ୟ ନା ଭର୍ତ୍ତୃହରି?

ଅଚ୍ୟୁତ ସାମନ୍ତ ଲୋକସଭା ଟିକେଟ ପାଇ ସାରିଛନ୍ତି। ଏବେ ସୌମ୍ୟରଞ୍ଜନଙ୍କୁ ଅପେକ୍ଷା ରହିଛି। ଯଦି ସୌମ୍ୟ କଟକ ପାଇଁ ଟିକେଟ ନିଅନ୍ତି ତାହାଲେ ଦୁଇଟି ରାଜ୍ୟସଭା ଆସନ ଖାଲି ପଡୁଛି। ଖାଲି ପଡୁଥିବା ରାଜ୍ୟସଭା ଆସନରୁ ଭର୍ତ୍ତୃହରିଙ୍କୁ ପଠାଯାଇପାରେ ବୋଲି ଆଲୋଚନା ହେଉଛି।

ତଥାଗତ ଓହରିଗଲେ, ଭର୍ତ୍ତୃହରିଙ୍କ ଉପରେ ନଜର!

ବିଜେଡିରେ ତିନି ମିଡିଆ ମାଲିକଙ୍କ ଦବଦବା ରହିଥିଲା। ଓଟିଭି ମାଲିକ ବୈଜୟନ୍ତ ପଣ୍ଡା, ଧରିତ୍ରୀର ତଥାଗତ ସତପଥୀ ଏବଂ ପ୍ରଜାତନ୍ତ୍ରର ଭର୍ତ୍ତୃହରି ମହତାବଙ୍କ ପ୍ରଭାବ ବିଜେଡିରେ ରହିଥିଲା। ନିଜ ପାଖରେ ପ୍ରଭାବଶାଳୀ ମିଡିଆ ମାଲିକାନା ରହିଥିବାରୁ ଏହି ତିନି ଜଣ ବିଜେଡିରେ ରାଜୁତି କରୁଥିଲେ। କିନ୍ତୁ ଏବେ ସମୟ ବଦଳି ଯାଇଛି।

ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ବେଳେ ତଥାଗତ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହି ସାରିଛନ୍ତି। ଏବେ ଭର୍ତ୍ତୃହରି କ’ଣ କରିବେ ସମସ୍ତଙ୍କ ନଜର ରହିଛି। ଭର୍ତ୍ତୃହରିଙ୍କୁ ଦଳ ଟିକେଟ ଦେଉଛି ନା ତାଙ୍କ ଜାଗାରେ ଅନ୍ୟତମ ମିଡିଆ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଫିଟ୍ କରୁଛି ତାକୁ ହିଁ ସମସ୍ତଙ୍କର ଅପେକ୍ଷା।

କଂଗ୍ରେସରୁ ଆମଓଡ଼ିଶା, ଏବେ ବିଜେଡି

ମିଡିଆ ଟାଇକୁନ ସୌମ୍ୟରଞ୍ଜନ ପଟ୍ଟନାୟକ କଂଗ୍ରେସରୁ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ। ୧୧ତମ ଲୋକସଭାକୁ ସେ ଭୁବନେଶ୍ୱର ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ପରେ ବିଜେପିରେ ସାମିଲ ହୋଇଥିଲେ ସୌମ୍ୟ।

ହେଲେ ବିଜେପିର ନୀତି ଆଦର୍ଶ ସହ ଖାପ ଖୁଆଇ ପାରି ନଥିଲେ ସୌମ୍ୟ। ଶେଷରେ ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଆସିଥିଲେ। କଂଗ୍ରେସ ଟିକେଟରେ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

୨୦୧୪ ନିର୍ବାଚନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସୌମ୍ୟ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ। ପରେ ଆମ ଓଡ଼ିଶା ପାର୍ଟି ଗଠନ କରି ୨୦୧୪ରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ଦେଇଥିଲେ ସେ। ସୌମ୍ୟ ନିଜେ ଖଣ୍ଡପଡ଼ା ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ। ୨୦୦୯ରେ ସୌମ୍ୟ ଖଣ୍ଡପଡ଼ାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ।

ଗତ କିଛିମାସ ତଳେ ସୌମ୍ୟ ବିଜେଡିରେ ଯୋଗ ଦେଇ ରାଜ୍ୟସଭାକୁ ଯାଇଛନ୍ତି।

Comment