ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସର ରାଜ୍ୟସ୍ତରୀୟ ୮୪ତମ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ କଟକ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଏସଏପି) ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଫଳ ଅଫିସର ଓ ପୋଲିସ କର୍ମଚାରୀମାନଙ୍କୁ ସେ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଗରିବ, ସଂଖ୍ୟାଲଘୁ, ଅନୁସୂଚୀତ ଜାତି ଓ ଜନଜାତି, ଭିନ୍ନକ୍ଷମ, ମହିଳା ଓ ଶିଶୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାରେ ପୋଲିସକୁ ଅଧିକ ଦାୟିତ୍ୱ ଓ ସମ୍ବେଦନତାର ସହ କାମ କରିବାକୁ ମନୋଜ ଛାବ୍ରା କହିଥିଲେ। ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ କ୍ଷେତ୍ରରେ ସତର୍କତାର ସହ କାମ କରିବାକୁ ମୁଖ୍ୟ ଅତିଥି ପୋଲିସକୁ ପରାମର୍ଶ ଦେଇଥିଲେ।

ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଆଇଜି ଅସୀତ କୁମାର ପାଣିଗ୍ରାହୀ ପାଠ କରିଥିଲେ।

ସହାୟକ ଡ୍ରାଇଭର ପ୍ରଶାନ୍ତ କୁମାର ବିଶ୍ୱାଳ, କନେଷ୍ଟବଳ ସୁଶାନ୍ତ କୁମାର ପରିଡା, ଟ୍ରାଫିକ କନେଷ୍ଟବଳ ଏ ଶଙ୍କର ରାଓ, ହାବିଲଦାର ପ୍ରମୋଦ କୁମାର ସେଠୀ, ଏଏସ୍‌ଆଇ ମହମ୍ମଦ ଜାହାଙ୍ଗୀର, ଏସ୍‌ଆଇ ନିରୋଦ କୁମାର ଦାସ, ଇନ୍ସପେକ୍ଟର ସାବିତ୍ରୀ ବଳ, ସୁଜାତା ଖଣ୍ଡୁଆଳ, ପ୍ରଦୀପ କୁମାର ବାର୍ଲା ଓ ଶ୍ରେଷ୍ଠ ଟିମ୍ ଲିଡର୍ ଏସ୍‌ଓଜି ସୁବେଦାର କାଳନ୍ଦି ସେଠୀ ପୁରସ୍କୃତ ହୋଇଥିଲେ।

୬ଷ୍ଠ ଓଏସଏପି ବାଟାଲିୟନକୁ ଶ୍ରେଷ୍ଠ ବାଟାଲିୟନ ପୁରସ୍କାର ଦିଆଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଓଏସ୍‌ଏପି ୨ୟ ବାଟାଲିୟନ ଝାରସୁଗୁଡା, ଓଏସଏପି ୬ଷ୍ଠ ବାଟାଲିୟନ ଓ ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ରକୁ ପୁରସ୍କୃତ କରାଯାଇଥିଲା। ଆୟୋଜିତ ପରେଡରେ ଓଏସଏପି ଟିମ୍ ପ୍ରଥମ ହୋଇଥିବା ବେଳେ ଏପିଆର ମହିଳା ଟିମ୍ ୨ୟ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ଅବସରପ୍ରାପ୍ତ ପୋଲିସ ଡିଜି ଗୋପାଳ ଚନ୍ଦ୍ର୍ର ନନ୍ଦ, ଅବସରପ୍ରାପ୍ତ ଦୁର୍ଗପତି ବିଭୁତି ଭୁଷଣ ଦାସ, ଅବସରପ୍ରାପ୍ତ ଜମାଦାର ଧନବୀର ଥାପ୍ପା ଏବଂ ଅବସରପ୍ରାପ୍ତ ମୁଖ୍ୟ କିରାଣି ଗଙ୍ଗାଧର ସାହୁ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ।

ଚଳିତବର୍ଷ ପ୍ରଥମ ଥର ପାଇଁ  ପୋଲିସକୁ ସହାୟତା ପ୍ରଦାନ କରିଥିବା ଅନୁଗୁଳର ଆଦିତ୍ୟ କୁମାର ସାହୁ, ଭଦ୍ରକର ମହମ୍ମଦ ଅବଦ୍ଦୁଲ ବରି, ସୁନ୍ଦରଗଡର ରାଜେନ୍ଦ୍ର କୁମାର ମହାନ୍ତି, ରାୟଗଡାର ରଜନୀକାନ୍ତ ନାୟକ, ଜଗତସିଂହପୁରର ପ୍ରକାଶ କୁମାର ଜେନା, ରଂଜନ କୁମାର ସ୍ୱାଇଁ ଓ ନରେଶ କୁମାର ନାୟକ ଏବଂ ଦେବଗଡର ସନ୍ତୋଷ ମହାପାତ୍ର ପ୍ରମୁଖ ୮ ଜଣ ବେସାମରିକ ସାଧାରଣ ବ୍ୟକ୍ତିଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ।

ଆଜିର ପରେଡରେ ମୋଟ ୧୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ମୁଖ୍ୟ କମାଣ୍ଡର ଥିଲେ ନବନିଯୁକ୍ତ ଆଇପିଏସ ଅଫିସର ସିଦ୍ଧାର୍ଥ କଟାରିଆ। ପରେ ପରେ ଓଏସଏପି ୬ଷ୍ଠ ବାଟାଲିୟନଠାରେ ୧୦୦ ଜଣ ପୋଲିସ ଅଫିସର ଓ କର୍ମଚାରୀଙ୍କୁ ଡିଜିପି ପଦକ ପ୍ରଦାନ କରାଯିବା ସହ ସ୍ୱର୍ଗତ ଭ୍ରମରବର ସାହୁ ଓ ସ୍ୱର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।

ଏସଓଜି ସୁବେଦାର କାଳନ୍ଦି ସେଠୀ, ସର୍ଜେଣ୍ଟ ପ୍ରଭଂଜନ ଲାହାର, ଓଏପିଏଫ ଯବାନ ରମାକାନ୍ତ କହଁର, ବେଲାଳସେନ ପ୍ରଧାନ ପ୍ରମୁଖଙ୍କୁ ସ୍ୱର୍ଗତ ଭ୍ରମରବର ସାହୁ ସ୍ମୃତି ସାହସିକତା ପୁରସ୍କାର ଏବଂ ସ୍ୱର୍ଗତ ହାବିଲଦାର ମେଜର ସୁଜିତ କୁମାର ମିଂଜ ଓ ସ୍ୱର୍ଗତ କନେଷ୍ଟବଳ ମୁରଲୀ ନାୟକଙ୍କୁ ମରଣୋତ୍ତର ଭାବେ ସ୍ୱର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଫିସର, ଅବସରପ୍ରାପ୍ତ ପୋଲିସ ଅଫିସର ଓ କର୍ମଚାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

Comment