ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭା ଓ ବିଧାନସଭା ନିର୍ବାଚନରେ ଜଣେ ବ୍ୟକ୍ତି ଦୁଇଟି ଆସନରୁ ପ୍ରାର୍ଥୀ ହେବା ରାଜନୀତିକ ପତିଆରା ନା ଆବଶ୍ୟକତା? ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ରାହୁଲ ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱେନାଡ ଏବଂ ନବୀନ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି।
୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଇଟି ଆସନରୁ ଲଢ଼ିଥିଲେ। ଗୋଟିଏ ବାରାଣସୀ ଓ ଅନ୍ୟଟି ବରୋଦା। ଯଦି ଆମେ ଅତୀତକୁ ଯିବା ଇନ୍ଦିରା ଗାନ୍ଧି ଓ ସୋନିଆ ଗାନ୍ଧି ବି ଦୁଇ ଦୁଇଟି ଆସନରୁ ଲଢ଼ିଥିଲେ। ତେବେ ଲୋକପ୍ରତିନିଧି ଆଇନ ଏ ପ୍ରସଙ୍ଗରେ କ’ଣ କହୁଛି ଆସନ୍ତୁ ଦେଖିବା?
ସମସ୍ୟା କୋଉଠି?
୧୯୫୧ ଲୋକ ପ୍ରତିନିଧି ଆଇନର ଧାରା ୩୩ କହୁଛି ଯେ ଜଣେ ବ୍ୟକ୍ତି ଅତି ବେଶୀରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ପାରିବେ। ଏହି ଆଇନ ପ୍ରଣୟନ ହେବା ପୂର୍ବରୁ ଜଣେ ଚାହିଁଲେ ଅନେକଗୁଡ଼ିଏ ଆସନରୁ ପ୍ରାର୍ଥୀ ହୋଇ ପାରୁଥିଲେ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯଦି ଜଣେ ପ୍ରାର୍ଥୀ ଦୁଇଟି ଆସନରୁ ନିର୍ବାଚନ ଜିତୁଛନ୍ତି ତାଙ୍କୁ ୧୦ ଦିନ ଭିତରେ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ଏହାର ସିଧା ଅର୍ଥ ହେଉଛି ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ ପୁଣି ଥରେ ନିର୍ବାଚନ କରାଇବାର ବୋଝ ପଡ଼ିଥାଏ।
ମୋଦି କ’ଣ କଲେ?
୨୦୧୪ରେ ଦୁଇଟି ଯାକ ଆସନରେ ବିଜୟ ଲାଭ କରିବା ପରେ ନରେନ୍ଦ୍ର ମୋଦି ବାରାଣସୀ ଆସନ ହାତରେ ରଖି ବରୋଦା ଆସନକୁ ଛାଡ଼ିଥିଲେ। ସେହିଭଳି ମୁଲାୟମ ସିଂହ ଯାଦବ ମଇନପୁରୀ ଓ ଆଜମଗଡ଼ ଭିତରୁ ମଇନପୁରୀକୁ ଛାଡ଼ି ଆଜମଗଡ଼ ରଖିଥିଲେ। ସୁତରାଂ ରାହୁଲ ଗାନ୍ଧି ଓ ନବୀନ ପଟ୍ଟନାୟକ ଯଦି ଦୁଇଟି ଆସନରୁ ଜିତନ୍ତି ତାଙ୍କୁ ମଧ୍ୟ ଗୋଟିଏ ଆସନ ସମର୍ପଣ କରିବା ପାଇଁ ହେବ, ଯାହାର ଅର୍ଥ ପୁଣି ନିର୍ବାଚନ।
କାହା ପକେଟରୁ ଯିବ?
ଭାରତର ନିର୍ବାଚନ କମିଶନଙ୍କ କହିବା କଥା ଯେ ଦୁଇଟି ଆସନରୁ ଲଢ଼ିବା ଉପରେ କଟକଣା ଜାରି କରିବା ଦରକାର। ଯଦି ତାହା ସମ୍ଭବ ନୁହେଁ ଯେଉଁ ଆସନକୁ ଛାଡ଼ୁଛନ୍ତି ତାହାର ନିର୍ବାଚନ ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବହନ କରିବାକୁ ପଡ଼ିବ। ୨୦୦୪ରେ ନିର୍ବାଚନ କମିଶନ ଏକ ସୁପାରିଶ କରିଥିଲା ଯେ ପ୍ରାର୍ଥୀ ଦ୍ୱିତୀୟ ଆସନ ଛାଡ଼ିବା ସହିତ ତାଙ୍କୁ ଖର୍ଚ୍ଚ ବି ଭରଣା କରିବା ପାଇଁ ହେବ। ଲୋକସଭା ଆସନ ପାଇଁ ୧୦ ଲକ୍ଷ ଟଙ୍କା ଓ ବିଧାନସଭା/ବିଧାନ ପରିଷଦ ଆସନ ପାଇଁ ୫ ଲକ୍ଷ ଟଙ୍କା ଭରଣା ଖର୍ଚ୍ଚ ସୁପାରିଶ କରାଯାଇଥିଲା।

୧୦ରେ ସ୍ପଷ୍ଟ ହୋଇଯିବ
ନିର୍ବାଚନ କମିଶନ ପ୍ରାଞ୍ଜଳ ଭାବରେ କହିଥିଲେ ଯେ ନିର୍ବାଚନ ଜିତିବା ପରେ ସେହି ଆସନକୁ ଛାଡ଼ିବାର ଅର୍ଥ ଭୋଟରମାନଙ୍କ ସହ ଧୋକାବାଜି। ଭଲ କଥା ଯେ ଏହି ପ୍ରସଙ୍ଗରେ ରୁଜୁ ହୋଇଥିବା ଏକ ଜନ ସ୍ୱାର୍ଥ ମାମଲାକୁ ନେଇ ଚଳିତ ୧୦ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବା ପାଇଁ ଯାଉଛନ୍ତି ଓ ସେ ଦିନ ସ୍ପଷ୍ଟ ହୋଇଯିବ ଜଣେ ଦୁଇଟି ଆସନରୁ ଲଢ଼ିବା ଠିକ୍ କି ନା।
ଅସଲ ଉଦ୍ଦେଶ୍ୟ
ପ୍ରାର୍ଥୀମାନେ ବିଶେଷକରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଏକାଧିକ ଆସନରୁ ଲଢ଼ିବା ପଛରେ ଦୁଇଟି କାରଣ ଥାଏ। ପ୍ରଥମ ନିର୍ବାଚନ ହାରିବାର ଭୟ ଓ ଦ୍ୱିତୀୟ କାରଣ ହେଉଛି ଅନ୍ୟ ଏକ ଆସନରୁ ଲଢ଼ିବା ଦ୍ୱାରା ସେହି ଆସନରେ ବା ସେହି ରାଜ୍ୟରେ ଏକ ଅନୁକୂଳ ମାହୋଲ ସୃଷ୍ଟି ହୋଇଥାଏ। ତେବେ ଏହା ପଛରେ ଆଉ ଗୋଟିଏ କାରଣ ବି ରହିଛି। ଜଣେ ଜଣେ ନେତା ଚାହାଁନ୍ତି ଦୁଇଟି ଆସନରୁ ଲଢ଼ି ନିଜକୁ ଜାତୀୟ ସ୍ତରରେ ଉପସ୍ଥାପିତ କରିବେ ଓ ନିଜର ବଡ଼ିମା ଦେଖାଇବେ।

















