ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମହିଳାମାନେ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାନ୍ତି। ଫଳରେ ଅସୁସ୍ଥ ହୋଇପଡ଼ିନ୍ତି। ହେଲେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଦହି: ଦହିରେ ପ୍ରଚୁର ପରିମାଣର କ୍ୟାଲ୍ସିୟମ୍ ଏବଂ ଭିଟାମିନ୍ ଡି’ ଥାଏ। ଏହା ହାଡ଼ ଏବଂ ଦାନ୍ତକୁ ଶକ୍ତ କରିଥାଏ। ଅଧିକାଂଶ ମହିଳା ରକ୍ତଚାପଜନିତ ସମସ୍ୟାର ସାମ୍ନା କରୁଥିବାବେଳେ ଦହି ଖାଇବା ଦ୍ୱାରା ତାହା ନିୟନ୍ତ୍ରିତ ହୋଇଥାଏ। ହଜମ ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିଥାଏ। ସେହିପରି ରକ୍ତରେ କୋଲେଷ୍ଟେରୋଲ ପରିମାଣକୁ କମ୍ କରେ।

କମଳା: କମଳାରେ ପ୍ରଚୁର ପରିମାଣର ଭିଟାମିନ୍ ସି’ ରହିଛି। ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ମହିଳାଙ୍କର ବୟସବୃଦ୍ଧି ଜନିତ ଦାଗ, ଭଙ୍ଗ ସୃଷ୍ଟି ହେବାରୁ ଏହା ରକ୍ଷା କରିଥାଏ। ଆଖି ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ। ସେହିପରି ନିୟମିତ ଭାବେ କମଳା ଖାଇଲେ କର୍କଟ ରୋଗରୁ ରକ୍ଷା ମିଳେ। ଏଥିରେ ଫାଇବର ପରିମାଣ ଅଧିକ ଥିବାରୁ ମଧୁମେହ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଅଁଳା: ଅଳାଁରେ କ୍ୟାଲୋରୀର ପରିମାଣ ଖୁବ୍ କମ୍ ଥାଏ। ତେବେ କାର୍ବୋହାଇଡ୍ରେଟ, ଫାଇବର୍, ଭିଟାମିନ୍ ସିର ଏହା ଏକ ପ୍ରମୁଖ ଉତ୍ସ। ଏଥିରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି। ନିୟମିତ ଭାବେ ଅଁଳା ଖାଇଲେ ମହିଳାଙ୍କର କେଶ ବୃଦ୍ଧି ହୋଇଥାଏ। କୋଲେଷ୍ଟେରୋଲ୍ କମିବା ସହ କର୍କଟ ସୃଷ୍ଟି ହେବାର ଆଶଙ୍କା ବି କମିଥାଏ।

ବିଟ୍: ବିଟ୍ ହେଉଛି ଆଣ୍ଟି ଅକ୍ସିଡାଣ୍ଟର ଆଉ ଏକ ପ୍ରମୁଖ ଉତ୍ସ। ଏଥିରେ ଫୋଲିକ୍ ଏସିଡ୍, ଲୌହ, ଜିଙ୍କ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଫାଇବର୍ ପ୍ରଚୁର ମାତ୍ରାରେ ରହିଛି ଯାହାକି ରକ୍ତଚାପକୁ କମ୍ କରିଥାଏ। କୋଲେଷ୍ଟେରୋଲ୍ ଏବଂ ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ବିଟ୍ ରୁଟ୍ ନିୟନ୍ତ୍ରିତ କରିଥାଏ। ମହିଳାମାନେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଅଧ ଗ୍ଲାସ ବିଟ୍ ଜୁସ୍ ପିଇପାରିବେ।

ଶାଗ: ଭିଟାମିନ୍‌ରେ ଭରପୂର ଶାଗରେ ପ୍ରଚୁର ପରିମାଣରରୋଗ ପ୍ରତିରୋଧକ ଶକ୍ତି ରହିଛି। ଏଥିରେ ଥିବା ଭିଟାମିନ୍ ଏ ଆଖି ସମସ୍ୟା ଦୂର କରିବା ପାଇଁ ଖୁବ୍ ଉପଯୋଗୀ। ନିୟମିତ ଭାବେ ଶାଗ ଖାଇଲେ ଓଜନ ମଧ୍ୟ ହ୍ରାସ ହୋଇଥାଏ। ଏହା ସହ ହଜମ ସମସ୍ୟା ରୁହେନାହିଁ।

ରସୁଣ: ମହିଳାମାନଙ୍କୁ ଘରର ଯାବତୀୟ କାମ କରିବାକୁ ପଡ଼ୁଥିବାରୁ ଅଧିକାଂଶ ସମୟରେ ସେମାନେ ଥଣ୍ଡାଦ୍ୱାରା ଆକ୍ରାନ୍ତ ହୋଇପଡ଼ିଥାନ୍ତି। ଏଭଳି କ୍ଷେତ୍ରରେ ରସୁଣ ଖାଇବା ସେମାନଙ୍କ ପାଇଁ ଖୁବ୍ ଆବଶ୍ୟକ। ଏଥିରେ ଭିଟାମିନ୍ ବି୬, ସି, ମାଙ୍ଗାନିଜ୍, ସେଲେନିୟମ୍ ଭରପୁର ମାତ୍ରାରେ ଥାଏ। ରକ୍ତଚାପ କମାଇବାରେ ଏହା ସହାୟକ ହୋଇଥାଏ। ସେହିପରି କୋଲେଷ୍ଟେରୋଲ୍‌ ସ୍ତରକୁ ବି କମାଇଥାଏ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହୁଥିବାରୁ କ୍ୟାନ୍ସର ଏବଂ ଅନ୍ୟ ବୟସ ବୃଦ୍ଧିଜନିତ ସମସ୍ୟାକୁ ରୋକିଥାଏ। ରସୁଣ ଖାଇବା ଦ୍ୱାରା ହାଡ଼ ଶକ୍ତ ହେଉଥିବାରୁ ଅଷ୍ଟିଓପୋରୋସିସ୍‌ ଆଶଙ୍କା କମିଥାଏ।

ଅଦା: ଅଦା ଖାଇବା ଦ୍ୱାରା ଶରୀରର ଯାବତୀୟ ସମସ୍ୟାର ସମାଧାନ ହୋଇଥାଏ। ପେଟ ଗ୍ୟାସ୍ ହୋଇଥିଲେ ଅଦା ଖାଇବା ଦ୍ୱାରା ଉପଶମ ମିଳେ। ଥଣ୍ଡା, କାଶ ହେଉଥିଲେ ଅଦାକୁ କଳରେ ଜାକି ରଖିଲେ ସୁଫଳ ମିଳିଥାଏ । ଅଦାପକାଇ ସିଝା ହୋଇଥିବା ପାଣି ପେଟକୁ ଥଣ୍ଡା କରିଥାଏ।

ବିନ୍ସ: ବିନ୍ସରେ ଚର୍ବିର ଅଂଶ କମ୍ ରହୁଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପ୍ରୋଟିନ୍ ମିଳେ। ଏହା ମଧ୍ୟ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରେ। ସେହିପରି କର୍କଟ ରୋଗର ଆଶଙ୍କାକୁ କମାଇଥାଏ।

କନ୍ଦମୂଳ: କନ୍ଦମୂଳରେ ପ୍ରଚୁର ପରିମାଣର ଫାଇବର୍ ରହୁଥିବାରୁ ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ। ଏଥିରେ ପ୍ରଚୁର ପରିମାଣର ବିଟା କାରୋଟିନ୍ ମଧ୍ୟ ରହିଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର।

Comment