ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜୀବନ ଶୈଳୀରେ ହଳଦୀର ଉପକାରିତା ଅନ୍ୟୁନ। ଶରୀର ଶୋଧନ ପାଇଁ ବର୍ଷ ବର୍ଷ ପୂର୍ବେ ହଳଦୀର ବ୍ୟବହାର କରାଯାଇ ଆସୁଅଛି। ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ହଳଦୀ ଗୁଣ୍ଡରେ ଥିବା ପୋଷକତତ୍ତ୍ୱ କର୍କଟ ରୋଗ ପରି ରୋଗ ହେବାର ସମ୍ଭାବନାକୁ ରୋକିଥାଏ। କାହିଁ କେଉଁ କାଳରୁ ହଳଦୀ ଆମ ଜୀବନଚର୍ଯ୍ୟାର ଅଙ୍ଗବିଶେଷ ହୋଇଆସିଛି। ରୋଷେଇରେ ବ୍ୟବହାର ହେବାଠୁ ଆରମ୍ଭ କରି ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଏହାର ଅନେକ ଗୁରୁତ୍ୱ ରହିଛି।

ତ୍ୱଚାର ରଙ୍ଗକୁ ଉଜ୍ଜ୍ୱଳ କରିବାରେ ହଳଦୀ ଆପଣଙ୍କୁ ସହାୟକ ହୋଇପାରିବ। ଏଥିଲାଗି କଞ୍ଚା ହଳଦୀକୁ ବାଟି ରଖିଦିଅନ୍ତୁ। ଗାଧୋଇବା ପୂର୍ବରୁ ନିୟମିତ ଭାବେ ତାକୁ ଲଗାନ୍ତୁ। କିଛି ଦିନ ଭିତରେ ଫରକ୍‌ ଜାଣି ପାରିବେ।

କଞ୍ଚା ହଳଦୀ ଖାଇବା ଦ୍ୱାରା ପେଟରେ ଥିବା କୃମି ନାଶ ହେବା ସହ ତ୍ୱଚାର ଔଜଲ୍ଲ୍ୟତା ବୃଦ୍ଧି ହୋଇଥାଏ।

ହଳଦୀରେ ପ୍ରଚୁର ପରିମାଣର ଆଣ୍ଟିବାଓଟିକ୍ସ ରହୁଥିବାରୁ ଏହା ବ୍ରଣ ପରି ତ୍ୱଚାର ବିଭିନ୍ନ ସମସ୍ୟାର ସମାଧାନ କରିଥାଏ। ଏଥିପାଇଁ ହଳଦୀ ସହିତ ଚନ୍ଦନ ପାଉଡ଼ରକୁ ମିଶାଇ ଲଗାଇପାରିବେ।

ତୈଳାକ୍ତ ତ୍ୱଚାରେ କଞ୍ଚା ହଳଦୀ ବାଟି ଲଗାନ୍ତୁ। ଏହା କରିବା ଦ୍ୱାରା ତ୍ୱଚା ଉପଯୁକ୍ତ ପୋଷଣ ପାଇବା ସହ ଅଧିକ ତୈଳୀୟ ଅଂଶ ଦୂର ହୋଇଥାଏ।

ତ୍ୱଚାରେ ଭଙ୍ଗ ବା କୁଞ୍ଚନ ପଡ଼ୁଥିଲେ ହଳଦୀଗୁଣ୍ଡ, ଚାଉଳଗୁଣ୍ଡ ଏବଂ କଞ୍ଚାକ୍ଷୀରକୁ ମିଶାଇ ଲଗାନ୍ତୁ। ୩୦ ମିନିଟ୍ ପରେ ହାଲ୍‌କା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ। ନିୟମିତ ଭାବେ ଏହିପରି ଦୁଇ ସପ୍ତାହ କଲେ ଉପଶମ ପାଇବେ।

ହଳଦୀ ମଧ୍ୟ ବୟସର ଦାଗ ବା ଚିହ୍ନକୁ ଦୂର କରିଥାଏ। ଏଥିପାଇଁ ବେସନ ସହିତ ହଳଦୀ ଏବହ ଦହିକୁ ମିଶାଇ ତ୍ୱଚାରେ ଲଗାନ୍ତୁ। କିଛି ସମୟ ସ୍କ୍ରବ୍ କରିବା ପରେ ହାତରେ ଘଷିଘଷି ଧୋଇ ଦିଅନ୍ତୁ।

ଗର୍ଭାବସ୍ଥା ସମୟରେ ହେଉଥିବା ଷ୍ଟ୍ରେଚ୍ ମାର୍କକୁ ମଧ୍ୟ ହଳଦୀ ଦୂର କରିଥାଏ। ଏଥିପାଇଁ ହଳଦୀ, ବେସନ ଏବଂ କଞ୍ଚା କ୍ଷୀର ମିଶ୍ରଣକୁ ସେହି ସ୍ଥାନରେ ଲଗାନ୍ତୁ।

Comment