ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି କମ୍ ବୟସର ବ୍ୟକ୍ତି କିଡନୀ ସମସ୍ୟାର ଶିକାର ହେଉଛନ୍ତି। ଏହାସହ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବିଶ୍ୱରେ ଯେତେ ସଂଖ୍ୟକ କିଡନୀ ରୋଗୀ ଦେଖାଯାଉଛନ୍ତି ଭାରତରେ ତା’ର ଏକ ତୃତୀୟାଂଶ କିଡନୀ ରୋଗୀ ଅଛନ୍ତି।

ଜାଣନ୍ତୁ କେମିତି କିଡନୀକୁ ରଖିବେ ସୁସ୍ଥ….

– କିଡନୀକୁ ସୁସ୍ଥ ରଖିବାକୁ ହେଲେ କମ୍ ଲୁଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ। ବଜାରରେ ମିଳୁଥିବା ଫ୍ରୋଜନ୍ ଫୁଡ୍‌କୁ  ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। କାରଣ ସେଥିରେ ସୋଡିୟମ ପରିମାଣ ଖୁବ୍ ଅଧିକ ଥାଏ।

-ଖାଇବା ପୂର୍ବରୁ ସମସ୍ତ ପରିବାକୁ ଭଲ ଭାବେ ଧୁଅନ୍ତୁ। ଆବଶ୍ୟକ ପଡ଼ିଲେ ଗରମ ପାଣିରେ ସେଗୁଡ଼ିକୁ ଧୋଇ ଜୀବାଣୁ ନଷ୍ଟ କରିବାକୁ ପ୍ରୟାସ କରନ୍ତୁ।

– ପ୍ରୋଟିନ୍ ଜାତୀୟ ଖାଦ୍ୟକୁ ନିର୍ଦ୍ଦିଷ୍ଟ ପରିମାଣରେ ଖାଆନ୍ତୁ। ମାଛ, ମାଂସ, ଅଣ୍ଡା ପରି ଆମିଷ ଖାଦ୍ୟକୁ ଏଡ଼ାଇ ଚାଲନ୍ତୁ। ନିହାତି ଇଚ୍ଛା ହେଲେ ଖୁବ୍ କମ୍ ପରିମାଣରେ ଖାଇପାରିବେ।

-କିଡନୀ ରୋଗ ସହିତ ହୃଦ୍‌ରୋଗରେ ଗଭୀର ସମ୍ବନ୍ଧ ରହିଛି। ତେଣୁ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ଭଳି ଖାଦ୍ୟ ଯେପରିକି ସବୁଜ ପନିପାରିବା, ଶାଗ, ଫଳ ଇତ୍ୟାଦିକୁ ପ୍ରଚୁର ପରିମାଣରେ ଖାଆନ୍ତୁ।

-ତେଲରେ ଭଲ ଭାବେ ଭଜା ହୋଇଥିବା ଖାଦ୍ୟ ବଦଳରେ ଆପଣ ସ୍ୱାଦ ପାଇଁ ତାକୁ ପୋଡ଼ି କରି ଖାଇପାରିବେ। ଆଜିକାଲି ତ ମାଛଠାରୁ ଆରମ୍ଭ କରି ବିଭିନ୍ନ ଆମିଷ ଖାଦ୍ୟର ପତ୍ରପୋଡ଼ା ଟ୍ରେଣ୍ଡରେ ରହିଛି । ଇଚ୍ଛା ହେଲେ ଆପଣ ସେଥିରୁ କିଛି ଖାଇପାରିବେ। ସେଥିରେ ତେଲମସଲାର ପରିମାଣ କମ୍ ହୋଇଥିବାରୁ ଆପଣଙ୍କୁ ଖୁବ୍ ଭଲ ଲାଗିବ।

-କ୍ଷୀରରୁ ସର କାଢ଼ି ପିଅନ୍ତୁ। ସେହିପରି କମ୍ କ୍ୟାଲୋରୀଯୁକ୍ତ ଦହି, ଛେନା ଇତ୍ୟାଦି ଆପଣଙ୍କୁ ଫିଟ୍ ରଖିବ।

-ଉପଯୁକ୍ତ ପରିମାଣରେ ପୋଟାସିୟମ୍ ଯୁକ୍ତ ଖାଦ୍ୟ ଖାଇବାକୁ ପ୍ରୟାସ କରନ୍ତୁ। ସେଓ, ଗାଜର, କମଳା, କଦଳୀ, ଆଳୁ, ଟମାଟୋରେ ପ୍ରଚୁର କ୍ୟାଲସିୟମ୍ ଥାଏ। ସେସବୁ ଖାଦ୍ୟକୁ ଖାଇବାକୁ ଚେଷ୍ଟା କରନ୍ତୁ।

Comment