ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁରିନ୍ ଇନ୍‌ଫେକ୍ସନର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ।

ୟୁରିନାରି ଟ୍ରାକ୍ଟ ଇନ୍‌ଫେକ୍ସନ (ୟୁଟିଆଇ) ବା ମୂତ୍ରନଳୀ ସଂକ୍ରମଣ। ସାଧାରଣରେ ଏହାକୁ ଆମେ ୟୁରିନ୍ ଇନ୍‌ଫେକ୍ସନ ବୋଲି କହିଥାଉ। ବର୍ତ୍ତମାନ ସମୟରେ ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଏହି ସମସ୍ୟା। ୟୁରିନ୍ ଇନ୍‌ଫେକ୍ସନ ଏକ ସାଧାରଣ ସମସ୍ୟା। ଉଭୟ ପୁରୁଷ ଓ ମହିଳା ଏହାର ଶିକାର ହୁଅନ୍ତି। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ୟୁରିନ୍‌ ଇନ୍‌ଫେକ୍ସନ ବିଷୟରେ..

ୟୁରିନ୍ ଇନ୍‌ଫେକ୍ସନ ଏକ ଜୀବାଣୁଜନିତ ରୋଗ। ଜୀବାଣୁ ଆମ ଶରୀରରେ ମୁତ୍ରନଳୀରେ ପ୍ରବେଶ କଲେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ଅବଶ୍ୟ ଆମ ଶରୀରରେ ଥିବା ପ୍ରତିରୋଧକ ଶକ୍ତି ଏହାର ମୁକାବିଲା କରିଥାଏ। ହେଲେ ଅନେକ ସମୟରେ ଏହା ଏଥିରେ ବିଫଳ ହୋଇଥାଏ। ଫଳରେ ଆମେ ୟୁରିନ୍ ଇନ୍‌ଫେକ୍ସନର ଶିକାର ହୋଇଥାଉ। କେତେକ କ୍ଷେତ୍ରରେ କବକ (ଫଙ୍ଗସ୍) ସଂକ୍ରମଣ ଏବଂ କ୍ଵଚିତ ଭୂତାଣୁ ସଂକ୍ରମଣରେ ମଧ୍ୟ ୟୁରିନ୍ ଇନ୍‌ଫେକ୍ସନ ହୋଇଥାଏ।

କେଉଁଠି ହୋଇଥାଏ ସଂକ୍ରମଣ

ୟୁରିନ୍ ଇନ୍‌ଫେକ୍ସନ ମୂତ୍ରନଳୀର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଆମ ଶରୀରର ୟୁରିନାରି ଟ୍ରାକ୍ଟ୍ ମୁଖ୍ୟତଃ ୪ଟି ଅଙ୍ଗରେ ତିଆରି। କିଡ୍‌ନି, ୟୁରେଟର୍‌ସ, ବ୍ଲାଡର ଏବଂ ୟୁରେଥ୍ରା। ଅଧିକାଂଶ ୟୁରିନ୍ ଇନ୍‌ଫେକ୍ସନ ନିମ୍ନ ଭାଗରେ ଥିବା ୟୁରେଥ୍ରା ଏବଂ ବ୍ଲାଡରରେ ହୋଇଥାଏ। ତେବେ ଉପର ଭାଗରେ ଥିବା କିଡ୍‌ନି ଏବଂ ୟୁରେଟର୍‌ସରେ ସଂକ୍ରମଣ କ୍ୱଚିତ୍ ଦେଖାଦେଇଥାଏ। ଏହା କିଡ୍‌ନିକୁ ସଂକ୍ରମଣ କରିବାର ଆଶଙ୍କା ଥିବାରୁ ଏହି ସଂକ୍ରମଣ ଅଧିକ ଗୁରୁତର।

ୟୁରିନ୍ ଇନ୍‌ଫେକ୍ସନର ଲକ୍ଷଣ

୧. ୟୁରିନ୍ ଇନ୍‌ଫେକ୍ସନର ଲକ୍ଷଣ ମୂତ୍ରାଶୟର କେଉଁ ଅଂଶରେ ସଂକ୍ରମିତ ତାହା ଉପରେ ନିର୍ଭର କରେ। ନିମ୍ନ ଭାଗରେ ଅର୍ଥାତ୍ ୟୁରେଥ୍ରା ଏବଂ ବ୍ଲାଡରରେ ସଂକ୍ରମଣ ହୋଇଥିଲେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇଥାଏ।

  •  ପରିସ୍ରା ସମୟରେ ଜଳା ପୋଡ଼ା ହେବା।
  • ପରିସ୍ରାର ରଙ୍ଗ ପରିବର୍ତ୍ତନ ହେବା
  • ବାରମ୍ବାର ପରିସ୍ରା ଲାଗିବା।
  • ପରିସ୍ରାରେ ରକ୍ତ ପଡ଼ିବା
  • ପରିସ୍ରା ସମୟରେ ପ୍ରବଳ ଦୁର୍ଗନ୍ଧ ହେବା
  • ଅଣ୍ଟା ପିଠି ଯନ୍ତ୍ରଣା ହେବା

୨. ସେହିପରି ୟୁରିନାରି ଟ୍ରାକ୍ଟ୍‌ର ଉପର ଭାଗରେ ଅର୍ଥାତ୍ କିଡ୍‌ନି, ୟୁରେଟର୍‌ସ, ସଂକ୍ରମଣ ହୋଇଥିଲେ ଅବସ୍ଥା ଗୁରୁତର ହେବାର ଆଶଙ୍କା ଥାଏ। ସଂକ୍ରମିତ କିଡ୍‌ନୀ ଦେଇ ଜୀବାଣୁ ଯଦି ରକ୍ତକୁ ପ୍ରବେଶ କରେ ତେବେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି। ଏହି ଅବସ୍ଥାକୁ ୟୁରୋସେପସିସ୍ ବୋଲି କୁହାଯାଏ। ଏହାର ନିମ୍ନଲିଖିତ ଲକ୍ଷଣ ରହିଥାଏ।

  • ପିଠିର ଉପର ଭାଗ ଏବଂ ପାର୍ଶ୍ୱରେ ଯନ୍ତ୍ରଣା ହେବା
  • ଥଣ୍ଡା ସର୍ଦ୍ଦି ହେବା
  • ଜ୍ୱର
  • ପେଟ ସମସ୍ୟା
  • ବାନ୍ତି

ୟୁରିନ୍ ଇନ୍‌ଫେକ୍ସନର ଚିକିତ୍ସା

ୟୁରିନ୍ ଇନ୍‌ଫେକ୍ସନର ଚିକିତ୍ସା ଏହାର ଲକ୍ଷଣ ଉପରେ ନିର୍ଭର କରେ। ଏଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଡାକ୍ତର ଏହାର ସଠିକ୍ ଯାଞ୍ଚ୍ କରିବା ପରେ କେଉଁ ସ୍ଥାନରେ ସଂକ୍ରମଣ ହୋଇଛି, ତାହା ନିରୂପଣ କରି ଚିକିତ୍ସା କରିଥାନ୍ତି। ସାଧାରଣତଃ ଜୀବାଣୁଜନିତ ସଂକ୍ରମଣରେ ଆଣ୍ଟିବାୟୋଟିକ୍ସ ଦ୍ୱାରା ଚିକିତ୍ସା କରାଯାଇଥାଏ। ସେହିପରି ଭୂତାଣୁ ଏକଂ କବକ ସଂକ୍ରମଣ କ୍ଷେତ୍ରରେ ଡାକ୍ତର ଆଣ୍ଟିଭାଇରାଲ ଏବଂ ଆଣ୍ଟିଫଙ୍ଗାଲ ଔଷଧ ବ୍ୟବହାର କରିଥାନ୍ତି।

Comment