ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଓଡ଼ିଶା ପରିପ୍ରେକ୍ଷୀରେ ଇସ୍ତାହାର ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସ। ଏହି ଇସ୍ତାହାର ପତ୍ରରେ ବିଜେପି ଏବଂ କଂଗ୍ରେସ ଓଡ଼ିଶାବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।
ବିଜେପି ୯ଟି ସଙ୍କଳ୍ପ ଆଣିଥିବା ବେଳେ କଂଗ୍ରେସ ୧୯ଟି ପ୍ରତିଶ୍ରୁତି ଦେଇଛି। ଏହି ପ୍ରତିଶ୍ରୁତିକୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କଟାକ୍ଷ କରିଛନ୍ତି।
ବିଜେପିର ଇସ୍ତାହାରକୁ ବିଜେଡି ଧୂଆଁବାଣ କହିଥିବା ବେଳେ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଛି ସେଥିରେ ଓଡ଼ିଶା ବିପଦକୁ ଠେଲି ହୋଇଯିବ ବୋଲି କହିଛି।
‘‘୨୦୧୪ ନିର୍ବାଚନୀ ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା। ହେଲେ ସେସବୁ ପୂରଣ ହୋଇ ପାରିଲା ନାହିଁ। ଏବେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା କେମିତି ପୂରଣ କରିବେ’’, କହିଛି ବିଜେଡି।
ବିଜେଡି କହିଛି, ‘‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ତାହା କୁଆଡ଼େ ଗଲା? ଉପକୂଳ ହାଇଓ୍ୱେ ପାଇଁ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ି ପାରିଲା ନାହିଁ କାହିଁକି? ଟେଲିକମ୍ ଓ ବ୍ୟାଙ୍କିଂ କ୍ଷେତ୍ରରେ ଓଡ଼ିଶା ପଛରେ କାହିଁକି? ମହାନଦୀ ଜଳ ସମ୍ପର୍କରେ କ’ଣ ନିଷ୍ପତ୍ତି ନେଲେ?’’
ସେହି ପରି କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛି ବିଜେଡି। ବିଜେଡି ପକ୍ଷରୁ କୁହାଯାଇଛି ଯେ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଛି ସେଥିପାଇଁ ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ଦରକାର। ହେଲେ ଓଡ଼ିଶାର ବଜେଟ ପରିମାଣ ହେଉଛି ୧ ଲକ୍ଷ ୨୦ ହଜାର କୋଟି। କଂଗ୍ରେସ ପ୍ରତିଶ୍ରୁତି ପୂରଣ ପାଇଁ ଏତେ ଟଙ୍କା କେଉଁଠୁ ଆଣିବ ବୋଲି ବିଜେଡି ପ୍ରଶ୍ନ କରିଛି।
ବିଜେପି ଅଭ୍ୟାସଗତ ମିଛୁଆ ଏବଂ କଂଗ୍ରେସ ଓଡ଼ିଶା ପାଇଁ ବିପଦ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

















