ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସଂଗୀତ ଇତିହାସର ପୃଷ୍ଠା ଖୋଲିଲେ ଯେଉଁ ଗୀତଗୁଡ଼ିକର ମୂର୍ଚ୍ଛନା ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଥାଏ ସେହି ଗୀତଗୁଡ଼ିକ ମଧ୍ୟରେ ବାସୁଦେବ ରଥଙ୍କ ଗୀତ ଅନ୍ୟତମା ବାସୁଦେବ ରଥ ପ୍ରକୃତ ଅର୍ଥରେ ଥିଲେ ଜଣେ ସଙ୍ଗୀତ ସାଧକ। ଓଡ଼ିଶାରେ ଏଭଳି ଶ୍ରୋତା ନାହାନ୍ତି ଯିଏ ବାସୁଦେବ ରଥଙ୍କ ଗୀତକୁ ଭଲ ପାଇ ନାହାନ୍ତି। ତାହା ଭଜନ ହେଉ ବା ଆଧୁନିକ ଗୀତ ହେଉ ବା ଚଳଚିତ୍ର ଗୀତ।

୧୯୫୬ ମାର୍ଚ୍ଚ ୭ରେ ଜନ୍ମଗ୍ରହଣ କରିଥିଲେ ବାସୁଦେବ ରଥ। ରେଭେନ୍‌ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ପରେ ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ପାଠପଢ଼ା ସମାପ୍ତ କରିଥିଲେ। ହାଇସ୍କୁଲ ବେଳରୁ ହିଁ ତାଙ୍କର ସଙ୍ଗୀତ ପ୍ରତି ଆକର୍ଷିଣ ଥିଲା।

୧୯୭୦ରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସେ ଦୁଇଟି ଚଳଚ୍ଚିତ୍ର ‘ମନ ଆକାଶ’ ଓ ‘ଧରିତ୍ରୀ’ରେ ସ୍ପାନିସ ଗିଟାର ପରିବେଷଣ କରିବାର ସୁଯୋଗ ପାଇଥିଲେ। ୧୯୭୫ ସାକ୍ଷୀଗୋପୀନାଥ ଚଳଚ୍ଚିତ୍ରରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ସାକ୍ଷୀଗୋପୀନାଥ ଫିଲ୍ମରେ ସେ ପ୍ରଥମେ ସ୍ଵର ସଂଯୋଜନା କରିଥିଲେ। ଏଥିରେ ମୋଟ୍‌ ୭ଟି ଗୀତ ଥିଲା।

୧୯୭୬ରେ ସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ଅର୍କେଷ୍ଟ୍ରାର ବ୍ୟବହାର କରିଥିଲେ।

ହଜାରରୁ ଅଧିକ ଗୀତ ସଂଯୋଜନା କରିବା ସହ ୧୫୦ ଚଳଚ୍ଚିତ୍ର, ୩୦୦ ଆଲବମ ଓ ୮୩ଟି ଗୀତିନାଟ୍ୟର ସଂଗୀତ ପ୍ରସ୍ତୁତ କରିଥିଲେ ବାସୁଦେବ ରଥ। ଓଡ଼ିଆ ସହ ୮ଟି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ସେ। ହିନ୍ଦୀ ଚଳଚ୍ଚିତ୍ର ଖାରବେଳରେ ସେ ସଂଗୀତ ସଂଯୋଜନା କରିଥିଲେ।

ବଲିଉଡର ଭେଟେରାନ ସିଙ୍ଗର ମାନ୍ନା ଦେ’, ଆଶା ଭୋଁସଲେ, ମହେନ୍ଦ୍ର କପୁର, ଅନୁପ ଯଲୋଟା, ଅନୁରାଧା ପଡୁଆଲ ପ୍ରମୁଖଙ୍କ ସହ କାମ କରି ସେ ସଫଳତା ପାଇଥିଲେ।

ବାସୁଦେବଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ‘ମା ତୁମେ ଜଗତର ସାହା ଭରସା’, ‘ଗୋରୀ ଦେଖିଲି କାଳି ଦେଖିଲି’, ‘ମାଝିରେ’, ‘ଝୁମକା ଟିକେ ତୁ ତ ହଲେଇ ଦେ’, ‘ଏମିତି ରାତି’, ‘ଚାନ୍ଦ ନା ତୁମେ ତାରା’, ‘ଯାହାକୁ ମୁଁ ଏତେ ଭଲ ପାଉଛି’ ଅନ୍ୟତମ।

ତାଙ୍କ ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକ ହେଲା ସଉତୁଣୀ, କାବେରୀ, ଚିହ୍ନା ଅଚିହ୍ନା, ପକା କମ୍ବଳ ପୋତଛତା, ଅନ୍ୟାୟ ସହିବି ନାହିଁ, ଦେଖ ଖବର ରଖ ନଜର ଇତ୍ୟାଦି।

୨୦୧୫ରେ ମୁକ୍ତିଲାଭ କରିଥିବା ‘ତୁମେ ହିଁ ସାଥୀ ମୋର’ ଥିଲା ତାଙ୍କର ଶେଷ ଓଡ଼ିଆ ଫିଲ୍ମ।

ଓଡିଶା ସଂଗୀତର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି।

Comment