ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ନେଲେ ଶଶୀ ଭୂଷଣ ବେହେରା।

ରହି ରହି କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ନବୀନ ସରକାରର ନମ୍ବର-୨ କୁହାଯାଉଥିବା ଶଶୀଭୂଷଣ ବେହେରାଙ୍କୁ ନବୀନ ପଟ୍ଟନାୟକ ସରପ୍ରାଇଜ ଦେଇଛନ୍ତି। ଶଶୀଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟ ଦେଇଛି।

୧୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି ବିଜେଡି। କେବଳ କେନ୍ଦ୍ରାପଡ଼ା ବିଧାନସଭା ଆସନ ବାକି ଥିଲା। ଏହି ଆସନରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଟିକେଟ ନେବା ପାଇଁ ବର୍ତ୍ତମାନର ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ପ୍ରମୁଖ ଦାବିଦାର ଥିଲେ। ଏହାସହ ଆଉ ଦୁଇ ଜଣ ନୂଆ ମୁହଁଙ୍କ ନାଁ ବି ଚର୍ଚ୍ଚା ହେଉଥିଲା।

ହେଲେ ଏମାନଙ୍କ ଭିତରୁ କାହାକୁ ଭରସା କରି ନାହାନ୍ତି ବିଜେଡି ସୁପ୍ରିମୋ। ଶେଷରେ ଶଶୀ ଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ଶଶୀ ୨୦୧୪ରେ ଜୟଦେବ ନିର୍ବାଚନମଣ୍ଡଳୀରୁ ଲଢ଼ି ବିଧାନସଭାକୁ ଆସିଥିଲେ। ତାଙ୍କୁ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା।

୨୦୧୯ ନିର୍ବାଚନ ପାଇଁ ଜୟଦେବ ଆସନରୁ ଶଶୀଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ଜାଗାରେ ଅରବିନ୍ଦ ଢାଲିଙ୍କୁ ଟିକେଟ ମିଳିଥିଲା। ଶଶୀଙ୍କୁ ବିଜେଡି ସୁପ୍ରିମୋ କାହିଁକି କାଟିଲେ ବୋଲି ତାକୁ ନେଇ କାରଣ ଖୋଜା ଚାଲିଥିଲା।

ଶେଷରେ ଶଶୀଙ୍କୁ ସରପ୍ରାଇଜ ଦେଇଛନ୍ତି ବିଜେଡି ସୁପ୍ରିମୋ। କେନ୍ଦ୍ରାପଡ଼ାରୁ ଶଶୀଙ୍କୁ ଟିକେଟ ଦେଇ ଲାଗି ରହିଥିବା ଅନିଶ୍ଚିତତାକୁ ଦୂର କରିଛି ବିଜେଡି।

Comment