ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କାଳିଆ ଟଙ୍କା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ନବୀନ।

୧୯ ବର୍ଷ ଭିତରେ ଯାହା ଦେଖିବାକୁ ମିଳି ନଥିଲା ତାହା ୨୦୧୯ ନିର୍ବାଚନରେ ଦେଖିବାକୁ ମିଳୁଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଅଟକାଯିବାକୁ ନେଇ ନିଜେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି।

କାଳିଆ ଯୋଜନାର ଟଙ୍କା କେନ୍ଦ୍ର ସରକାର ଅଟକାଇ ଦେଇଥିବା ଅଭିଯୋଗରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଏପରିକି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଫେରାଦ ହୋଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। କାଳିଆ ଯୋଜନାରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସି ନଥିଲା।

ଶେଷରେ ନିଜେ ନବୀନ ମଧ୍ୟ ଘୋଷଣା କରିଥିଲେ କି ସରକାର ଗଠନର ପ୍ରଥମ ଦିନରେ ହିଁ ଚାଷୀଙ୍କୁ ଦୁଇଟି କିସ୍ତିର କାଳିଆ ଟଙ୍କା ମିଳିବ।

ଏହାପରେ ବି ବିଜେଡି ଶିବିରରୁ ଚିନ୍ତା ଦୂର ହୋଇନି। କାଳିଆ ଏଥର ନିର୍ବାଚନରେ ବିଜେଡିକୁ ସହାୟ ହୋଇ ନପାରେ ବୋଲି ବିଜେଡିର ମ୍ୟାନେଜରମାନେ ବିଚାର କରୁଛନ୍ତି। ଯେଉଁଥିପାଇଁ ନିଜେ ନବୀନ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିବା କୁହାଯାଉଛି।

“କାଳିଆ ଯୋଜନା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଛି, ହେଲେ ରାଜ୍ୟ ସରକାରଙ୍କ ଯୋଜନାକୁ ଅଟକା ଯାଉଛି। କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ କେମିତି ଆସିବ ସେ ବିଷୟରେ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିଲି’’, କହିଛନ୍ତି ନବୀନ ପଟ୍ଟନାୟକ।

ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗତ ଜାନୁଆରି ମାସରେ କାଳିଆ ଯୋଜନା ଲାଗୁ କରିଥିଲେ। ଚାଷୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ।

ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ରାଜ୍ୟ ସରକାର କହୁଛନ୍ତି। ଏପ୍ରିଲ ୧ରେ ବଳକା ଚାଷୀଙ୍କୁ ଟଙ୍କା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ ଟଙ୍କା ଚାଷୀଙ୍କ ଖାତାକୁ ଆସିପାରୁ ନାହିଁ। କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ଏଭଳି କରୁଥିବା ବିଜେଡି ଅଭିଯୋଗ କରି ଆସୁଛି।

Comment