ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନରେ ସେନାର ନାଁ ନେଇ ଭୋଟ ଅପିଲ କରିବାକୁ ନେଇ ଚାଲୁଥିବା ରାଜନୀତିକରଣ ମଝିରେ ଆଜି ଆଉ ଏକ ଖବର ସାମ୍ନାକୁ ଆସୁଛି। ପାଖାପାଖି ୧୫୦ରୁ ଅଧିକ ପୂର୍ବ ସୈନିକ ଏହାକୁ ନେଇ ଅଭିଯୋଗ କରିଛନ୍ତି।
ସେମାନେ ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଲେଖିଛନ୍ତି କି, “ନେତା ସେନାଙ୍କୁ ‘ମୋଦିଙ୍କ ସେନା’ ବୋଲି କହୁଛନ୍ତି।”
ଏହାସହିତ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି କିସର୍ଜିକାଲ ଷ୍ଟ୍ରାଇକ୍ ଭଳି ଅପରେସନର ଶ୍ରେୟ କେନ୍ଦ୍ର ସରକାର ନେଉଛନ୍ତି।
ଏପ୍ରିଲ ୧୧ରେ ସେନା ରାଷ୍ଟ୍ରପତିଙ୍କୁ ପଠାଇଥିବା ଚିଠିକୁ ସାର୍ବଜନିନ କରାଯାଇଥିଲା। ସେନାକୁ ରାଜନୈତିକ ଦଳଗୁଡ଼ିକ ଯେମିତି ବ୍ୟବହାର କରୁଛନ୍ତି ବିଶେଷ କରି ପ୍ରଚାର ସମୟରେ ତାହା ଉପରେ ରୋକ ଲଗାଇବାକୁ ସେନା ଅପିଲ କରିଛି।
ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି କି, “ସର୍ଜିକାଲ ଷ୍ଟ୍ରାଇକ ପରି ଘଟଣାର ଶ୍ରେୟ ନେତା ନେଉଛନ୍ତି। ଏହାସହିତ ସେନାର ଯବାନଙ୍କୁ ମୋଦିଙ୍କ ସେନା ବୋଲି ବି କୁହାଯାଉଛି। ନିର୍ବାଚନରେ ଫାଇଦା ନେବାଲାଗି ରାଜନୈତିକ ଦଳ ୱିଙ୍ଗ କମାଣ୍ଡରଙ୍କ ଫଟୋର ସାହାରା ନେଉଛନ୍ତି। ଏମିତି କରିବା ଠିକ୍ ନୁହଁ।”
ନିକଟରେ ମୋଦି ମହାରାଷ୍ଟ୍ରର ଲାତୁରରେ ଏକ ନିର୍ବାଚନୀ ରାଲିରେ ପ୍ରଥମଥର ଭୋଟଦେଉଥିବା ଭୋଟରଙ୍କୁ କହିଥିଲେ କି, “ସେ ନିଜର ଭୋଟ ସେହି ସାହାସୀ ଲୋକଙ୍କୁ ସମର୍ପିତ କରନ୍ତୁ ଯେଉଁମାନେ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟାଇକ୍ କରିଥିଲେ।” ଯାହାପରେ ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି।


















