ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଏପ୍ରିଲ ୧ରେ ପାଳିତ ହୁଏ ଉତ୍କଳ ଦିବସ। ଏହି ଦିନ ଭାଷା ଭତ୍ତିରେ ଓଡ଼ିଶା ଏକ ସ୍ଵତନ୍ତ୍ର ରାଜ୍ୟ ଭାବରେ ମାନ୍ୟତା ପାଇଥିଲା। ଏହି ଦିବସକୁ ମନେ ରଖିବା ପାଇଁ ଓଡ଼ିଶା ବାହାରେ ‘ବାହାରିନ୍‌’ରେ ରହୁଥିବା ପ୍ରବାସୀ ଓଡ଼ିଆ ପାଳିଛନ୍ତି ଉତ୍କଳ ଦିବସ।

ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ବାହାରିନ୍‌ ଓଡ଼ିଆ ସମାଜ ଏପ୍ରିଲ୍‌ ୧୨ରେ ବାହାରିନ୍‌ସ୍ଥିତ ଇସା ବିନ୍‌ ସଲମାନ କଲ୍‌ଚରାଲ ହଲ୍‌ରେ ବହୁ ଆଡମ୍ବରରେ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ପ୍ରତିଷ୍ଠା ଦିବସ ସହିତ ଓଡ଼ିଆ ନବବର୍ଷ(ପଣା ସଂକ୍ରାନ୍ତି)କୁ ଧୁମଧାମ୍‌ରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ।

ଓଡ଼ିଶାର କଳା ସଂସ୍କୃତିକୁ ନେଇ ଗୀତନାଚ ଭରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାହାରିନ୍‌ ଓଡ଼ିଆ ସମାଜ ଏବଂ ଆରାଧନା ପାଉଣ୍ଡେସନ୍‌ର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଭାରତୀୟ ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ଏହି ସମାରୋହକୁ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଭୟ ଓଡ଼ିଶା ଓ ବାହାରିନ୍‌ର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅତିଥି ରୂପେ ଯୋଗଦେଇ ଉଭୟ ଦେଶର କଳା, ସଂସ୍କୃତି, ବାଣିଜ୍ୟ ତଥା ପର୍ଯ୍ୟଟନ ଭଳି ଅନ୍ତର୍ଜାତିୟ ବିଷୟରେ ଆଲୋକପାତ କରିଥିଲେ। ଶ୍ରମ ଓ ସାମଜିକ ବିକାଶ ମନ୍ତ୍ରାଳୟା ନିର୍ଦ୍ଦେଶକ ଅହମ୍ମଦ ଅଲ୍‌ ହିକି, ଦାଦାଭାଇ ଗ୍ରୁପ୍‌ ଅଫ୍‌ କମ୍ପାନିର ଚେୟାରମ୍ୟାନ୍‌ ମହମ୍ମଦ ଦାଦାଭାଇ ଏବଂ ଭାରତ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ନେପାଳ, ଶ୍ରୀଲଙ୍କାର ରାଜଦୂତମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

“ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ଓଡ଼ିଶା ବିଷୟରେ ବହୁତ କିଛି ଜାଣିବାକୁ ପାଇଛନ୍ତି। ଏହି କାର୍ଯ୍ୟକ୍ରମ ସଠିକ୍‌ଭାବେ କାର୍ଯ୍ୟକାରୀ ହୋଇଥିବାରୁ ଆମେ ଗର୍ବିତ” ବାହାରିନ୍‌ ଓଡ଼ିଶା ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ କହିଛନ୍ତି।

Comment