ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମେରୁ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମା’ ବୁଢ଼ୀ ଠାକୁରାଣୀ ସାହି ପରିକ୍ରମା ନ ଯାଇ ଦେଶୀ ବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ମା’ କେବଳ ମହୁରୀ ରାଜବାଟୀ ଯାଇ ଅସ୍ଥାୟୀ ମଣ୍ଡପକୁ ଲେଉଟିଥିଲେ। ମା’ଙ୍କ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

ଠାକୁରାଣୀ ଯାତ୍ରା ଆଜିକୁ ୧୭ ଦିନରେ ପହଞ୍ଚିଛି। ଘଟ ପରିକ୍ରମାର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଘଟ ଓ ଅନ୍ୟ ପାର୍ଶ୍ୱ ଘଟଗୁଡ଼ିକ ଏହି ୧୬ ଦିନରେ ୧୦୬ଟି ସାହି ପରିକ୍ରମା କରିସାରିଲେଣି। ଆଜି ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଘଟ ସାହି ପରିକ୍ରମାରେ ବାହାରିବେ।

ରାମନବମୀ ପାଇଁ ଭୋର୍ ୫ଟାରୁ ମା’ଙ୍କ ସମସ୍ତ ଦେବନୀତି ସମାପନ କରାଯାଇଥିଲା। ଭୋର୍ ୫ରୁ ଭକ୍ତଙ୍କ ଦର୍ଶନ ଆରମ୍ଭ କରାଯାଇଥିଲା।

ଏହି ଘଟ ପରିକ୍ରମା ବେଳେ ବିଭିନ୍ନ ବେଶ ପୋଷାକରେ ସଜ୍ଜିତ ବ୍ୟକ୍ତିମାନଙ୍କୁ ମଧ୍ୟ ପରିକ୍ରମା କରୁଥିବା ଦେଖିବାକୁ ମିଳେ। ମୋଗଲ ସୈନିକଙ୍କ କବଳରୁ ମା’ଙ୍କୁ ସୁରକ୍ଷା ଦେବା ଲାଗି ମହୁରୀ ରାଜା ସେତେବେଳେ ସୈନ୍ୟ ସାମନ୍ତ ଓ କଟୁଆଳମାନଙ୍କୁ ନିୟୋଜିତ କରିଥିଲେ। ଏହି ପରମ୍ପରା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି। କେତେକ ବେଶଧାରୀ ଏହି ଭଳି ଭାବେ ସୈନ୍ୟ ସାମନ୍ତ ଓ କଟୁଆଳ ବେଶରେ ଘଟ ପରିକ୍ରମା ବେଳେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥାନ୍ତି।

ବିଷୁବ ସଂକ୍ରାନ୍ତିରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଗଜା ଅର୍ପଣ କରାଯାଏ।

ଏଣେ ଯାତ୍ରା ଲାଗି ମା’ଙ୍କ ବିଞ୍ଚଣା ରଥ, ମା’ ଶ୍ୟାମା କାଳୀ କଳାକୁଞ୍ଜ, ଜ୍ୱାଳାମୁଖୀ ରଥ, ଶିବାରୁଣା କାଳୀ, ବୋଇତ, କନକ ଦୁର୍ଗା ଆଦି ରଥ ପ୍ରସ୍ତୁତ ହୋଇଗଲେଣି।

Comment