ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

 

ଓଡ଼ିଶାର ବିକାଶ ହୋଇଛି କି?

ଭୁବନେଶ୍ୱରର ବିକାଶ ହୋଇଛି କି?

ଏଠାକାର ଲୋକେ ଶାନ୍ତିରେ ରହୁଛନ୍ତି କି?

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରୁ ଓଡ଼ିଶାର ଜନସାଧାରଣଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ପୂର୍ବାହ୍ଣରେ ସମ୍ବଲପୁରରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ମୋଦି ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବା ସହ ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ।

କଂଗ୍ରେସ ଉପରେ ଆରମ୍ଭରୁ ବର୍ଷିଲେ

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ମୋଦି। ରୋଡ ସୋ’ ବେଳେ ଲୋକଙ୍କ ଭିତରେ ଦେଖାଦେଇଥିବା ଉତ୍ସାହକୁ ମୋଦି ପ୍ରଶଂସା କରିବା ସହ କଂଗ୍ରେସ ଉପରେ ବର୍ଷିଥିଲେ।

“ମୋଦି ହଟାଇବା ପାଇଁ କଂଗ୍ରେସ ଷଡ଼ଯନ୍ତ୍ର ରଚୁଛି। ବିରୋଧୀ ଦଳମାନେ ଦିନ ରାତି ମାଳା ଜପୁଛନ୍ତି। ଆମେ ଶାସନକୁ ଆସିବା ପରେ ଦେଶରେ ଦୁର୍ନୀତି ବନ୍ଦ ହୋଇଯିବାରୁ ବିରୋଧୀ ଦଳମାନେ ସହି ପାରୁ ନାହାନ୍ତି। ଆମେ ଲୋକଙ୍କ ପାଇଁ ଜାଗ୍ରତ ହୋଇ କାମ କରୁଛୁ। କଂଗ୍ରେସ ସରକାର ଅମଳରେ ଯାହା ହୋଇପାରି ନଥିଲା ତାହା ଆମେ ଗତ ପାଞ୍ଚ ବର୍ଷ ଭିତରେ କରିଛୁ’’, କହିଥିଲେ ମୋଦି।

ମୋଦି ଆହୁରି କହିଥିଲେ, ‘‘ଉପା ସରକାର ଅମଳରେ ଦେଶର ସୁରକ୍ଷା ବିପଦରେ ପଡ଼ିଥିଲା। ପାକିସ୍ତାନରୁ ଆତଙ୍କବାଦୀମାନେ ଭାରତକୁ ଆସୁଥିଲେ ଏବଂ ଧମାକା କରି ପଳାଇ ଯାଉଥିଲେ। କିନ୍ତୁ ଏବେ ସେ ସମୟ ନାହିଁ। ଆତଙ୍କବାଦୀମାନେ ବିସ୍ଫୋରଣ କଲେ ତାଙ୍କୁ ଆମେ କଡ଼ା ଜବାବ ଦେଉଛୁ। ଦେଶର ସୁରକ୍ଷା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ସମର୍ପିତ।’’

ଏଥର ଡବଲ ଇଞ୍ଜିନର ସରକାର

‘‘ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ସ୍ଥିର କରିସାରିଲେଣି ସରକାର ବଦଳାଇବେ। ଗୋଟିଏ ଲୋକ ଉପରେ ୧୯ ବର୍ଷ ଭରସା କରି ଓଡ଼ିଶା ଆଜି ଅବହେଳିତ। ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ। ଓଡ଼ିଶାର ବିକାଶ ନିଶ୍ଚିତ’’, କହିଥିଲେ ମୋଦି।

ଏଥର ଡବଲ ଇଞ୍ଜିନର ସରକାର ଆସିବ ବୋଲି ମୋଦି କହିଥିଲେ। କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ବିକାଶ ଦ୍ରୁତ ଗତିରେ ହେବ। କିଛି ଲୋକ ଆମକୁ ବିରୋଧ କରୁଛନ୍ତି। କିନ୍ତୁ ଓଡ଼ିଶାବାସୀ ବିଜେପିର ସ୍ୱପ୍ନକୁ ସାକାର କରିବା ଲାଗି ସଙ୍କଳ୍ପ ନେଇଥିବା ମୋଦି କହିଥିଲେ।

୫ ବର୍ଷରେ ୩ ଲକ୍ଷ କୋଟି

ଓଡ଼ିଶାବାସୀଙ୍କ ସହ କେନ୍ଦ୍ରର ବିଜେପି ସରକାର ସବୁବେଳେ ରହିଛି। ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଗତ ୫ ବର୍ଷ ଭିତରେ ୩ ଲକ୍ଷ କୋଟି ଟଙ୍କା ଆସିଛି। ପୂର୍ବ ସରକାର ତୁଳନାରେ ଏହା ୫ ଗୁଣା ଅଧିକ ବୋଲି ମୋଦି କହିଥିଲେ। ହେଲେ ଏହି ଟଙ୍କା ଠିକ୍ ବାଟରେ ଖର୍ଚ୍ଚ ହୋଇଛି କି? ଓଡ଼ିଶାର ବିକାଶ ହୋଇଛି କି? ଭୁବନେଶ୍ୱରର ବିକାଶ ହୋଇଛି କି ବୋଲି ମୋଦି ପ୍ରଶ୍ନ କରିଥିଲେ।

ଓଡ଼ିଶାର ବିଦ୍ୟୁତ, ରେଳ ଆଦି ପ୍ରକଳ୍ପର ଦ୍ରୁତ ବିକାଶ ହୋଇଛି।

‘‘ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ହୋଇପାରୁ ନଥିଲା। ବର୍ଷ ବର୍ଷ ଧରି ଏହା ପଡ଼ି ରହିଥିଲା। କେବେ ଲୋକାର୍ପଣ ହେବ ତାହା ସ୍ଥିର ହୋଇପାରୁ ନଥିଲା। ଏହି ସ୍ୱପ୍ନକୁ ଆମେ ସାକାର କରିଛୁ। ତୈଳ ବିଶୋଧନାଗାର ବିଜେପି ସରକାର ଅମଳରେ କାର୍ଯ୍ୟକ୍ଷମ ହୋଇଛି’’, କହିଥିଲେ ମୋଦି।

Comment