ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦୁଇ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଲେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ।

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦୁଇ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରବିବାର ଦିନ ପ୍ରଫୁଲ୍ଲଙ୍କୁ ତିନୋଟି ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଜି ତାଙ୍କୁ ଦଳର ଉପ-ସଭାପତି ପଦରେ ନିଯୁକ୍ତି ଦିଆଯାଇଛି।

ଘଡ଼ାଇଙ୍କୁ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବା ପରେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ।

୨୦୧୪ ନିର୍ବାଚନ ପୂର୍ବରୁ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ଘଡ଼ାଇ। ଫଳରେ ଘଡ଼ାଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଥିଲା ବିଜେଡି।

ଦୁଇ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଘଡ଼ାଇଙ୍କୁ ନିଯୁକ୍ତି ଦିଆଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିବା ଘଡ଼ାଇଙ୍କୁ ଏବେ ବିଜେଡି କାହିଁକି ଉପସଭାପତି ସହ ତିନୋଟି ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଲା ତାକୁ ନେଇ କାରଣ ଖୋଜା ଚାଲିଛି।

Comment