ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବା ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଲାଣି। ନିର୍ବାଚନ ପାଇଁ ଆଉ ମାତ୍ର ୪ ଦିନ ବାକି ଅଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ଭୋଟରଙ୍କୁ ଭେଟିବା ପାଇଁ ସମସ୍ତ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଅସହ୍ୟ ଖରାକୁ ଖାତିର ନକରି ସହରର ସାହିବସ୍ତି ଓ ରାସ୍ତାଘାଟରେ ବିଧାୟକ ପ୍ରାର୍ଥୀ ଓ ସମର୍ଥକମାନେ ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି। ଚୌଦ୍ୱାର–କଟକ ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏଥର ନିର୍ବାଚନରେ ଜୋରଦାର ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

କଟକ ମହାନଗର ନିଗମର ୨୨ ୱାର୍ଡ ସମେତ ଚୌଦ୍ୱାର ପୌରପାଳିକା ଓ ଟାଙ୍ଗୀ ଅଞ୍ଚଳର ତିନୋଟି ପଞ୍ଚାୟତକୁ ନେଇ ଚୌଦ୍ୱାର – କଟକ ନିର୍ବାଚନମଣ୍ଡଳୀ ଗଠିତ। ଏହି ନିର୍ବାଚନରେ ସବୁ ଦଳୀୟ ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ନିଜ ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି।

ଚୌଦ୍ୱାର – କଟକ ବିଧାନସଭା ଆସନ ପାଇଁ ବିଜେଡିରୁ ସୌଭିକ୍ ବିଶ୍ୱାଳ, ବିଜେପିରୁ ନୟନ କିଶୋର ମହାନ୍ତି, କଂଗ୍ରେସରୁ ଜଗଦୀଶ ମହାନ୍ତି, ହିନ୍ଦୁସ୍ଥାନ ନବ ନିର୍ମାଣ ଦଳରୁ ବିଶ୍ୱରଞ୍ଜନ ଜେଠୀ, ବିଏସ୍ପିରୁ ନବକିଶୋର ଦାସ, ଏସ୍ୟୁସିଆଇରୁ (ସି) ସସ୍ମିତା ମହାନ୍ତି, ସ୍ୱଧୀନ ପ୍ରାର୍ଥୀ ଭାବେ ଦୀପକ ବାରିକ, ପ୍ରଶ୍ନା କୁମାରୀ ନାୟକ, ଶୁଭେନ୍ଦୁ ମହାନ୍ତି, ରଞ୍ଜିତ କୁମାର ମଲ୍ଲିକ, ସମୀର କୁମାର ସାହୁ ପ୍ରମୁଖ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।

ସଂପ୍ରତି ପ୍ରାର୍ଥୀମାନେ ନିଜ ପ୍ରଚାର ମଙ୍ଗ ନିଜେ ଧରିବା ସହିତ ରଣକୌଶଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଦିନରେ ପଦଯାତ୍ରା ଓ ରାତିରେ କର୍ମୀ ସମ୍ମିଳନୀ ଦ୍ୱାରା ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ସବୁ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ସେହିପରି ପ୍ରଚାର ଗାଡ଼ି ଦ୍ୱାରା ବିଭିନ୍ନ ସଙ୍ଗୀତ, ସ୍ଳୋଗାନ ଓ ଭାଷଣ ଆଦି ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏହାଛଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ କାନ୍ଥବାଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପୋଷ୍ଟର ମରାଯାଇଛି।

ବିଜେଡିର ବିଧାୟକ ପ୍ରାର୍ଥୀ ସୌଭିକ୍ ବିଶ୍ୱାଳଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଦଳପକ୍ଷରୁ କର୍ମୀ ସମ୍ମିଳନୀ, ୱାର୍ଡ କମିଟି ବୈଠକ, ମିଶ୍ରଣ ପର୍ବ ଓ ମହିଳା ସମାବେଶ କରାଯାଉଛି । ସୌଭିକ୍ ଘରକୁ ଘର ବୁଲି ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ସୌଭିକଙ୍କ ବାପା ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମେତ ପୂର୍ବତନ କର୍ପୋରେଟରମାନେ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ସେହିପରି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଟକର ରୋଡ୍ ସୋ’ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏକାଧିକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ନିଜ ଏବଂ ଦଳ ସପକ୍ଷରେ ପ୍ରଚାର ଚଳାଇଛନ୍ତି।

ଅପରପକ୍ଷରେ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ମହାନ୍ତି ଜଗତପୁର, ଚୌଦ୍ୱାର ସମେତ କଟକ ସହରର ଏକାଧିକ ୱାର୍ଡରେ ପଦଯାତ୍ରା ଓ କର୍ମୀ ସମ୍ମିଳନୀ କରି ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି। ବିଜେପି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ମଧ୍ୟ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହିତ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏହାଛଡ଼ା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କଟକର ରୋଡ୍ ସୋ ଦଳୀୟ ଶିବିରରେ ଉତ୍ସାହ ଭରିଦେଇଛି।

ସେହିପରି କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ରାଜସ୍ଥାନ କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର୍ ଜଗଦୀଶ ମହାନ୍ତି ବିଭିନ୍ନ ସ୍ଥାନରେ କର୍ମୀମାନଙ୍କୁ ଏକଜୁଟ କରି ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ଦଳ ପକ୍ଷରୁ ଏକାଧିକ ପ୍ରଚାର ଗାଡ଼ି ମଧ୍ୟ ପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇଛି। ସେହିପରି କଂଗ୍ରେସ ସାଂସଦ ପ୍ରାର୍ଥୀ ପଞ୍ଚାନନ କାନୁନଗୋ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହିତ ଦଳୀୟ ପ୍ରଚାର ଅଭିଯାନ ଜାରି ରଖିଛନ୍ତି।

ସେହିପରି ଏସ୍ୟୁସିଆଇ (ସି) ପ୍ରାର୍ଥୀ ସସ୍ମିତା ମହାନ୍ତି ଡୋର ଟୁ ଡୋର କ୍ୟାମ୍ପେନିଂ, ପଦଯାତ୍ରା ଓ ପଥପ୍ରାନ୍ତ ସଭା ମାଧ୍ୟମରେ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି

ସ୍ୱାଧୀନ ପ୍ରାର୍ଥୀ ଦୀପକ ବାରିକ ମଧ୍ୟ ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ବନ୍ଦ ପଡିଥିବା ଓଟିଏମ୍ ସମସ୍ୟାର ସମାଧାନ ସହିତ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିର ପ୍ରତିଶ୍ରୁତି ଦେଇ ବାରିକ ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା ଚଳାଇଛନ୍ତି।

ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କ ସହିତ ଅନ୍ୟ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି ।

Comment