ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଏଥର ଜୋରସୋରରେ ଚାଲିଛି ପ୍ରଚାର।

(କଟକରୁ ପ୍ରଣବ କୁମାର ନନ୍ଦୀ): ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। କଟକ ଲୋକସଭା ଆସନ ଓ ଜିଲ୍ଲାର ୭ଟି ବିଧାନସଭା ଆସନ ପାଇଁ ଏହି ଦିନ ଭୋଟ ପଡ଼ିବ। ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ରହିଛି। ପଦଯାତ୍ରା, ବାଇକ ରାଲି, କର୍ମୀ ସମ୍ମିଳନୀ, ଡୋର ଟୁ ଡୋର କ୍ୟାମ୍ପେନିଂ, ୱାର୍ଡ କମିଟି ବୈଠକ, ମହିଳା ସମାବେଶ, ବୁଦ୍ଧିଜୀବୀ ବୈଠକ ସହିତ ପ୍ରଚାର ଗାଡ଼ି ମାଧ୍ୟମରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି।

କଟକ ମହାନଗର ନିଗମର ୩୨ଟି ୱାର୍ଡକୁ ନେଇ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ଏଥର ମୋଟ ୧୦ ଜଣ ପ୍ରାର୍ଥୀ ହୋଇଛନ୍ତି। ବିଜେଡିରୁ ଦେବାଶିଷ ସାମନ୍ତରାୟ, ବିଜେପିରୁ ସମୀର ଦେ, କଂଗ୍ରେସର ମହମ୍ମଦ ମୋକିମ, ଅଖିଳ ଭାରତୀୟ ହିନ୍ଦୁ ମହାସଭାରୁ ଶୀତଲ କିନ୍ନର, କଳିଙ୍ଗ ସେନାରୁ ଜୟଶଙ୍କର ଆଚାର୍ଯ୍ୟ, ଆପ୍ରୁ ମୁନ୍ତାକିମ ବକ୍ସ, ଏସୟୁସିଆଇରୁ (ସି) ପ୍ରିୟଦର୍ଶନ ପାଭେଲ, କୃପା ଦଳରୁ ବିଶ୍ୱନାଥ ରାଉତ, ହିନ୍ଦୁସ୍ଥାନ ନବ ନିର୍ମାଣ ଦଳରୁ ଦୀପକ କୁମାର ମହନ୍ତ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ହେମନ୍ତ ବେହେରା ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ତିନି ଅଭିଜ୍ଞ ନେତାଙ୍କ ମଧ୍ୟରେ କାଣ୍ଟେ କି ଟକ୍କର ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

ବିଜେଡି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି। ଦେବାଶିଷ ଏହି ନିର୍ବାଚନ ମଣ୍ଡଳୀରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଅପରପକ୍ଷରେ ବିଜେପିର ଭେଟରାନ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ବାରବାଟୀ-କଟକ ବିଧାନସଭା ଆସନରେ ନିଜ ସ୍ଥିତି ଜାହିର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାୱା ସହ ପରିବର୍ତ୍ତନର ବାର୍ତ୍ତା ନେଇ ଭୋଟରମାନଙ୍କୁ ମନାଇବାକୁ ଦେ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ମହମ୍ମଦ ମୋକିମ ଏଥର ବାରବାଟୀ-କଟକ ଆସନରେ ବିଜୟୀ ହେବା ପାଇଁ ସମସ୍ତ ଜୋର ଲଗାଇ ଦେଇଛନ୍ତି।

ସଂପ୍ରତି ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ସହରର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଭୋଟରମାନଙ୍କୁ ଅବଗତ କରୁଛନ୍ତି। ଦଳ ପକ୍ଷରୁ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ ଓ ୱାର୍ଡ କମିଟି ବୈଠକ କରାଯାଉଛି। ଏହାଛଡ଼ା ସାମନ୍ତରାୟ ଓ ଦଳର ପୂର୍ବତନ କର୍ପୋରେଟରମାନେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି।

ବିଜେପି ପ୍ରାର୍ଥୀ ଦେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡରେ ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ଦେ ଏକାଧିକ ୱାର୍ଡରେ ପଦଯାତ୍ରା, କର୍ମୀ ସମ୍ମିଳନୀ, ବୁଦ୍ଧିଜୀବୀ ବୈଠକ, ୱାର୍ଡ କମିଟି ବୈଠକ, ମିଶ୍ରଣ ପର୍ବ ଆଦି କରି ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ମୋକିମ୍ ନିଜ ସମର୍ଥକମାନଙ୍କୁ ନେଇ ବିଭିନ୍ନ ୱାର୍ଡରେ ପଦଯାତ୍ରା କରିବା ସହିତ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ସେ ବିଜେଡି ସରକାରର ବିଫଳତା ସଂପର୍କରେ ଭୋଟରଙ୍କୁ ଅବଗତ କରିବା ସହିତ ସ୍ୱଚ୍ଛ ଶାସନ ପାଇଁ କଂଗ୍ରେସ ଦଳକୁ ଭୋଟ ଦେବାକୁ ସେ ଭୋଟରଙ୍କୁ ନିବେଦନ କରୁଛନ୍ତି ।

ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଅନ୍ୟ ଦଳର ପ୍ରାର୍ଥୀମାନେ ଏବଂ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଯାହାଫଳରେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସରଗରମ ହେବାରେ ଲାଗିଛି।

Comment