ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ୪୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା।
ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ମତଦାନ। ୩୫ଟି ବିଧାନସଭା ଆସନରେ ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ ହେଉଥିବା ବେଳେ ବାକି ଆସନରେ ସକାଳ ୭ରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।
ଏହି ପର୍ଯ୍ୟାୟରେ ୬ ଲୋକସଭା ଆସନ ଭୋଟ୍ ହେବ। ସେଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର। ଏହାସହ ଏହି ଲୋକସଭା କ୍ଷେତ୍ରରେ ଥିବା ୪୨ ବିଧାନସଭା କ୍ଷେତ୍ରରେ ଭୋଟ୍ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ ବୁଥରେ ଲାଗିବ ଭୋଟରଙ୍କ ଭିଡ଼। ୧୦ ହଜାର ୪୬୪ ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ମତଦାତାଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ଥିବା ବେଳେ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟରଙ୍କ ସମେତ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।
ରାଜ୍ୟରେ ୬ ଲୋକସଭା ଲାଗି ୬୧ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଲାଗି ୩୫୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ବି ଅଛନ୍ତି।

ମାଓ ପ୍ରବଣ ଅଞ୍ଚଳ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭାର ୭ଟି ସମ୍ବେଦନଶୀଳ ବିଧାନସଭା ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସମ୍ବଲପୁର ଲୋକସଭା ଆସନରେ ଅଧିନସ୍ଥ କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ସେହିପରି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀର ଚମ୍ପୁଆ, ଢେଙ୍କାନାଳ ଲୋକସଭା ଆସନ ଅଧୀନରେ ଆସୁଥିବା ପାଳଲହଡ଼ା ଓ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟ, କେରଳ, ଗୋଆ, ଦାଦ୍ରାନଗର ହାବେଳୀ ଓ ଡାମନ ଡିଉ ରାଜ୍ୟଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। କେରଳରେ ୨୬ ଲୋକସଭା, କେରଳରେ ୨୦ ଲୋକସଭା, ଗୋଆରେ ୨ଲୋକସଭା, ଦାଦ୍ରା ନଗର ହାଭେଳିରେ ଗୋଟିଏ ଆସନ ଲାଗି ଓ ଡାମନ ଡିଉରେ ଗୋଟିଏ ଲୋକସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସାରା ଦେଶରେ ମୋଟ୍ ୧୧୬ ଆସନ ଲାଗି ମଇଦାନରେ ମୋଟ ୧୬୨୨ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ୧୬୨୨ ପ୍ରାର୍ଥୀଙ୍କ ମଧ୍ୟରେ ମୋଟ ୧୪୪ ମହିଳା ଅଛନ୍ତି।


















