ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେୱଲ। ପଞ୍ଜାବ ଗୁରୁଦାସପୁର ଆସନରେ ବିଜେପି ସନ୍ନିଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଯାହା ଆକଳନ କରାଯାଉଛି ବିନୋଦ ଖାନ୍ନାଙ୍କ ପରେ ଏବେ ଏହି ହଟ୍ ସିଟକୁ ସମ୍ଭାଳିବେ ସନ୍ନି ଦେୱଲ। କିନ୍ତୁ ସନ୍ନିଙ୍କ ପାଇଁ ଏହି ଦାୟିତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ତାହା ଉପରେ ନଜର ପକାଇବା।

୧୯୮୦ରେ ଗୁରୁଦାସପୁର ଆସନରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଆସନ ପାଇଁ ବିଜେପି କାହାକୁ ପ୍ରାର୍ଥୀ ଭାବେ ଛିଡା କରିପାରିନଥିଲା। କିନ୍ତୁ ୧୯୮୫ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀ ବଳଦେବ ପ୍ରକାଶ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରଠାରୁ ସମସ୍ତ ଲୋକସଭା ନିର୍ବାଚନରେ ବିଜେପି ଦମ୍ ଦେଖା ଥିଲେ ମଧ୍ୟ ସଫଳତା ହାସଲ କରିପାରି ନାହିଁ।

୧୯୯୮ରେ ପ୍ରଥମ ଥର ପାଇଁ ବିନୋଦ ଖାନ୍ନା ଗୁରୁଦାସପୁର ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହି ଲଢ଼େଇରେ କଂଗ୍ରେସର ବରିଷ୍ଠ ନେତା ଖୁସବଂଶ କୌର ଭିଣ୍ଡରଙ୍କୁ ସେ ପରାସ୍ତ କରିଥିଲେ। ଏଡା ପୂର୍ବରୁ ଭିଣ୍ଡର ଲଗାତାର ୫ ଥର ଏହି ଆସନରୁ ନିର୍ବାଚନ ଜିତିଥିଲେ। କିନ୍ତୁ ବିନୋଦ ଖାନ୍ନା ୧୯୯୮ରେ ପ୍ରଥମ ଥର ପାଇଁ ଏହି ଆସନରେ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲେ।
ବିନୋଦ ଖାନ୍ନା ଲଗାତାର ତିନି ଥର ୧୯୯୮, ୧୯୯୯ ଏବଂ ୨୦୦୪ରେ ଗୁରୁଦାସପୁରରେ ବିଜେପି ସାଂସଦ ଭାବେ ନିର୍ବାଚନ ଜିତିଥିଲେ। ୨୦୧୭ରେ ବିନୋଦ ଖାନ୍ନାଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା। କିନ୍ତୁ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସବର୍ଣ୍ଣ ସିଂହ ସଲାରିଆ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ।

ଗୁରୁଦାସପୁରରେ ବିନୋଦ ଖାନ୍ନା ଜଣେ ଟାଣୁଆ ନେତା ଭାବେ ଉଭା ହୋଇଥିଲେ। ଫିଲ୍ମି ସୁଟିଂ ପାଇଁ ବ୍ୟସ୍ତତା ଥିବା ସତ୍ୱେ ଗୁରୁଦାସପୁର ଲୋକଙ୍କ ସହିତ ଜଡିତ ରହୁଥିଲେ। ଏହାଛଡ଼ା ସଂସଦୀୟ କ୍ଷେତ୍ରରେ ମଧ୍ୟ ଭଲ କାମ କରିଛନ୍ତି। ତାଙ୍କୁ ତୁଳନାରେ ସନ୍ନି ଦେୱଲଙ୍କ ପାଖରେ କିଛି ଦେଶଭକ୍ତି ଫିଲ୍ମ ଛଡ଼ା ଆଉ କିଛି ନାହିଁ। କିନ୍ତୁ ଏହା ସତ ସନ୍ନି ଦେୱଲଙ୍କ ପରିବାରରେ ନିର୍ବାଚନ ଲଢ଼ୁଥିବା ସଂଖ୍ୟା ତୁଳନାରେ ବିନୋଦ ଖାନ୍ନାଙ୍କୁ ତୁଳନା କରିବା କମ୍ ହେବ। ଅନ୍ୟପଟେ ବିନୋଦ ଖାନ୍ନା ନିର୍ବାଚନ ଲଢ଼ିବା ସହିତ ରାଜନେତାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଥିଲା। ସେହିପରି ନିର୍ବାଚନୀ ମୈଦାନରେ ସନ୍ନି ଦେୱଲ ତାଙ୍କ ଛବିରେ କେତେ ସୁଧାର ଆଣିପାରିବେ ତାହା ଏବେଠୁ କହିବା ମୁସ୍କିଲ ହେବ।


















