ଓଡ଼ିଶାଲାଇଭ ବ୍ୟୁରୋ 

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରେଶମନଗରୀ ବ୍ରହ୍ମପୁରର ବିଭିନ୍ନ ସ୍ଥାନ ଶନିବାର ପାଲଟିଥିଲା ରାମାୟଣର କର୍ମ ଭୂମି। ସୁସଜ୍ଜିତ  ଦୁଇଟି  ରଥ ମଧ୍ୟରୁ ଗୋଟିକରେ ଶ୍ରୀରାମ, ଦେବୀ ସୀତା, ଲକ୍ଷ୍ମଣ, ଶ୍ରୀ ହନୁମାନ ଓ ସାଥିରେ ଅଗଣିତ ବାନର ଓ ଭଲ୍ଲୁକ ସେନା ଥିବା ବେଳେ ଅନ୍ୟଟିରେ ରାବଣ, ସୂର୍ପଣଖା, ପୁତନା ଓ ଅଗଣିତ ରାକ୍ଷସଗଣ ଥିଲେ।

ରାସ୍ତା ଉପରେ ଟିକିଏ କମ ଉଚ୍ଚତାରେ ଦଉଡ଼ିରେ ବନ୍ଧାଯାଇଥିବା କଦଳୀ, ଫଳ, ବିସ୍କୁଟ, କୁରକୁରେ ଆଦିକୁ ବାନର ସେନା ଡେଇଁ ଡେଇଁ ଛିଣ୍ଡାଉଥାନ୍ତି। ରାମ, ଲକ୍ଷ୍ମଣ ଓ ସୀତା ଚୁପଚାପ ବସିଥାନ୍ତି। ରାବଣ ଅଟ୍ଟହାସ୍ୟ କରୁଥାଏ। ଯେମିତି ସମଗ୍ର ଅଞ୍ଚଳ ପାଲଟି ଯାଇଥିଲା ଏକ ବିରାଟ ମୁକ୍ତ ରଙ୍ଗମଞ୍ଚ। ପିଲାଙ୍କ ମନରେ ଉତ୍ସାହ ଭରି ରହିଥିଲା। ରାସ୍ତା କଡରେ ଲୋକେ ଭକ୍ତିଭାବରେ ବାନର ସେନାଙ୍କୁ କଦଳୀ ଓ ଫଳମୂଳ ଦେଉଥାନ୍ତି।

ଏହି ଦୃଶ୍ୟ ଥିଲା ଗାନ୍ଧିନଗର ୧୦୮ ହନୁମାନ କମିଟି ଦ୍ୱାରା ପ୍ରସ୍ତୁତ ପ୍ରସିଦ୍ଧ ୧୦୮ ହନୁମାନ ବେଶର ଚିତ୍ର। ଠାକୁରାଣୀ ଯାତ୍ରାରେ ଗୋଟିଏ ଦିନ ଏହି ବେଶ ବାହାରେ। ଏଥରକୁ ମିଶାଇ କମିଟି ପକ୍ଷରୁ ୮ ଥର ଏହି ବେଶ ହେଲାଣି। ଅର୍ଥାତ କମିଟି ଗତ ୧୪ ବର୍ଷ  ହେଲା ଏହି ବେଶ କରି ଆସୁଛି।

ବିଭିନ୍ନ ଚରିତ୍ରରେ ୫ରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବେଶ ପକାଇଥାନ୍ତି। ଏଥର ୧୦୮ ହନୁମାନଙ୍କୁ ମିଶାଇ ମୋଟ ୧୫୦ ଜଣ ବେଶ ହୋଇଥିଲେ। ବେଶ ପକାଇଥିବା ସମସ୍ତେ ଗାନ୍ଧିନଗର ଅଞ୍ଚଳର ଓ ସମସ୍ତଙ୍କର ପୂର୍ବରୁ ମା’ଙ୍କ ପାଖରେ ମାନସିକ ଥାଏ।

ଜଣକୁ ବେଶ ହେବାପାଇଁ ୩ ରୁ ୪ ଘଣ୍ଟା ସମୟ ଲାଗେ। ବେଶଧାରୀମାନଙ୍କୁ କମିଟି ତରଫରୁ ଖରାବେଳେ ଥରେ ଖାଇବାକୁ ଦିଆଯାଇଥାଏ।

ଏଥର ହନୁମାନ ଚରିତ୍ରରେ ସୂର୍ଯ୍ୟନାରାୟଣ, ରାମ ଚରିତ୍ରରେ ଶୁଭମ ପାତ୍ର, ଲକ୍ଷ୍ମଣ ଚରିତ୍ରରେ ସୋନୁ ପାତ୍ର, ସୀତା ଚରିତ୍ରରେ ମିଟୁ  ପ୍ରଧାନ, ବାଳି ଚରିତ୍ରରେ ସନ୍ତୋଷ କୁମାର ପଣ୍ଡା, ସୁଗ୍ରୀବ ଚରିତ୍ରରେ ଚିନ୍ମୟ ପାଢ଼ୀ, ରାବଣ ଚରିତ୍ରରେ ସି ଆପନ୍ନା, ପୁତନା ଚରିତ୍ରରେ ପିଣ୍ଟୁ ବେହେରା ବେଶ  ହୋଇଥିଲେ।

ବାଘବେଶ, ଲଣ୍ଡା ବେଶ ଭଳି ଏହି ହନୁମାନ ବେଶ ଖୁବ ଲୋକପ୍ରିୟ  ଓ ଜନାଦୃତ  ହେଉଛି। ଏତେ  ଅଳ୍ପ  ବର୍ଷ ମଧ୍ୟରେ ଆମ ହନୁମାନ ବେଶ ଖୁବ ଖ୍ୟାତି ଅର୍ଜନ କଲାଣି ବୋଲି ଆମ ଆୟୋଜକମାନେ କହିଛନ୍ତି। ଏହି ବେଶ ଦେଖିବା ଲାଗି ଶ୍ରଦ୍ଧାଳୁଙ୍କର ପ୍ରବଳ ଗହଳି ଲାଗିଥିଲା। ଶୋଭାଯାତ୍ରା ସମୟରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା।

Comment