ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପାଇଁ ଟାଟା ଇଲେକଟୋରାଲ ବଣ୍ଡ୍‌ ଆକାରରେ ୫୦୦ରୁ ୬୦୦ କୋଟି ଟଙ୍କା ଦେଇଛି। ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ପାଖାପାଖି ୨୦ ଗୁଣା ଅଧିକ ଟଙ୍କା ଚାନ୍ଦା ଆକାରରେ ଦେଇଛି ଟାଟା। ସବୁଠୁ ବଡ଼ କଥା ହେଲା କମ୍ପାନି ସବୁଠୁ ଅଧିକ ଟଙ୍କା ବିଜେପିକୁ ଦେଇଛି।

ସମୂହ ରାଜନୈତିକ ଦଳକୁ ଚାନ୍ଦା ଦେବା ପାଇଁ ଟାଟା ପ୍ରୋଗେସିଭ୍ ଇଲେକଟୋରାଲ ଟ୍ରଷ୍ଟ ଗଠନ କରିଛି। ଟ୍ରଷ୍ଟ ଜରିଆରେ କମ୍ପାନି ୨୦୧୪ରେ ସମସ୍ତ ଦଳକୁ ମାତ୍ର ୨୫ କୋଟି ୧୧ ଲକ୍ଷ ଟଙ୍କା ଦେଇଥିଲା। ତେବେ ୨୦୧୯ରେ ଏହାର ୨୦ ଗୁଣା ଅଧିକ ଟଙ୍କା ଅର୍ଥାତ୍‌ ୬୦୦ କୋଟି ଟଙ୍କା ଦେଇଛି।

କମ୍ପାନି ସବୁଠୁ ଅଧିକ ଟଙ୍କା ବିଜେପିକୁ ଦେଇଛି। କେବଳ ବିଜେପିକୁ ୩୦୦ରୁ ୩୫୦ କୋଟି ଟଙ୍କା ଦେଇଥିଲାବେଳେ କଂଗ୍ରେସକୁ ୫୦ କୋଟି ଟଙ୍କା ଦେଇଛି।  ସେହିପରି ଟିଏମ୍‌ସି, ସିପିଆଇ, ସିପିଆଇଏମ୍ ଏବଂ ଏନସିପି ଭଳି ଦଳକୁ ୧୫୦ରୁ ୨୦୦ କୋଟି ଦେଇଛି।

ଏଡିଆର ରିପୋର୍ଟ ଅନୁସାରେ ୨୦୦୪-୦୫ ବର୍ଷରୁ ଆରମ୍ଭ କରି ୨୦୧୭-୧୮ ବର୍ଷ ମଧ୍ୟରେ ମୋଟ ୯ ହଜାର ୨୭୮ କୋଟି ଟଙ୍କା ଇଲେକଟୋରାଲ ଆକାରରେ ଚାନ୍ଦା ଆଦାୟ ହୋଇଛି। ଏଥିରୁ ୬ ହଜାର ୬୧୨ କୋଟି ଟଙ୍କା ଚାନ୍ଦା(୭୧ ପ୍ରତିଶତ) ଟଙ୍କା ଅଜ୍ଞାତ ସୁତ୍ରରେ ହାସଲ ହୋଇଥିଲା।

୨୦୧୫-୧୬ ବର୍ଷରେ ମୋଟ ଏକ ହଜାର ୩୩ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଥିଲା, ଯେଉଁଥିରେ ୭୦୮ କୋଟି ଟଙ୍କା ଅଜ୍ଞାତ ସ୍ରୋତରେ ମିଳିଥିଲା। ସେହିପରି ୨୦୧୬-୧୭ ବର୍ଷରେ ରାଜନୈତିକ ଦଳକୁ ଚାନ୍ଦା ଆକାରରେ ଏକ ହଜାର ୫୫୯ କୋଟି ଟଙ୍କା ମିଳିଥିଲାବେଳେ ସେଥିରୁ ୭୧୦ କୋଟି ୮ ଲକ୍ଷ ଟଙ୍କା ଅଜ୍ଞାତ ସ୍ରୋତରୁ ଆସିଥିଲା।

Comment