ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ପ୍ରକାଶ କରିଛି। ଏସବିଆଇ ଗୁରୁବାର ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବର ସମେତ ଅନ୍ୟ ସବୁ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି। ଏନେଇ ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ଏସବିଆଇର ସତ୍ୟପାଠ ଅନୁସାରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନିର ନାମ, ବଣ୍ଡର ମୂଲ୍ୟ ଓ ବଣ୍ଡର ୟୁନିକ୍ ନମ୍ବର ପ୍ରଦାନ କରାଯାଇଛି। ଏହାସହ ନିର୍ବାଚନୀ ବଣ୍ଡ ପାଇଥିବା ରାଜନୈତିକ ଦଳର ନାମ ଓ ଏହାର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି। ଏବେ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା ଏସବିଆଇ ତରଫରୁ କୁହାଯାଇଛି।

ମାର୍ଚ୍ଚ ୧୨ ତାରିଖରେ ଏସବିଆଇ ପକ୍ଷରୁ ନିର୍ବାଚନୀ ବଣ୍ଡର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିଲା। ହେଲେ ସବୁ ବଣ୍ଡର ୟୁନିକ୍ ନମ୍ବର ଦିଆଯାଇନଥିଲା। ମାମଲାର ଶୁଣାଣି କରି ଗୁରୁବାର ସୁଦ୍ଧା ଏହି ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏସବିଆଇ ୟୁନିକ୍ ନମ୍ବର ପ୍ରକାଶ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ବୋଲି କହି ଏହାକୁ ରଦ୍ଦ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ।

ଏଥିରେ ଏ ଯାଏଁ ହୋଇଥିବା ନିର୍ବାଚନୀ ବଣ୍ଡ କିଣାବିକାର ସମସ୍ତ ବିବରଣୀ ମାର୍ଚ୍ଚ ୬ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମାର୍ଚ୍ଚ ୪ ତାରିଖରେ ବ୍ୟାଙ୍କ ପକ୍ଷରୁ ଜୁନ ୩୦ ଯାଏଁ ସମୟ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ମାର୍ଚ୍ଚ ୧୨ ସୁଦ୍ଧା ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  

Tags: #SupremeCourt #ElectoralBond #PoliticalParties #SBI #India

LEAVE A REPLY

Please enter your comment!
Please enter your name here